‘କ୍ଷମତା ନୁହେଁ ବିଚାରଧାରା’ ଶିବସେନାକୁ କାଳ

  • 24-Jun-2022
  • Comments


ମହାରାଷ୍ଟ୍ର ରାଜନୀତିରେ ଯାହା ଚାଲିଛି, ତାହା କ୍ଷମତା ପାଇଁ ନୁହେଁ, ବରଂ ଶିବସେନାର ବିଚାରଧାରାକୁ ନେଇ ସୃଷ୍ଟି ହୋଇଛି ବୋଲି ବୁଝିବାକୁ ହେବ । ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ଚରମପନ୍ଥୀ ହିନ୍ଦୁତ୍ୱ ବିଚାରଧାରାକୁ ଦଳର ତଳଠାରୁ ଆରମ୍ଭ କରି ଉପରସ୍ତରର ନେତାମାନେ ସହଜରେ ମାନି ନେଉଥିଲେ । ମାତ୍ର ତାଙ୍କ ପୁଅ ଉଦ୍ଧବ ଠାକରେ ନରମପନ୍ଥୀ ବିଚାରଧାରାକୁ ଅଧିକାଂଶ ଶିବସୈନିକ ବିରୋଧ କରୁଥିଲେ । ବାଲ ଠାକରେଙ୍କ ଗୋଟିଏ ଡାକରାରେ ଲକ୍ଷାଧିକ ଲୋକ କିଛି ବିଚାର ନକରି ଏକଜୁଟ ହୋଇ ଯାଉଥିଲେ । ମାତ୍ର ତାଙ୍କ ପରଲୋକ ପରେ ଦଳ ଭିତରେ ସେଭଳି ବ୍ୟକ୍ତିତ୍ୱର ଘୋର ଅଭାବ ଦେଖାଦେଲା । ଠାକରେ ପରିବାର ପ୍ରତି ମାତ୍ରାଧିକ ଅନୁଗତ ପ୍ରଦର୍ଶନ କରୁଥିବା ଲୋକମାନେ ଉଦ୍ଧବ ଠାକରେଙ୍କୁ ମୁଖ୍ୟ ରୂପେ ମାନିନେଲେ । କିନ୍ତୁ ବାଲ ଠାକରେଙ୍କ ବିଚାରଧାରାକୁ ଯୁକ୍ତିସଂଗତ ମନେ କରୁଥିବା ନେତାମାନଙ୍କ ଉଦ୍ଧବଙ୍କଠାରୁ ଦୂରେଈ ରହିଲେ । ଫଳରେ ଦଳ ଭିତରେ ନରମପନ୍ଥୀ ଓ ଚରମପନ୍ଥୀ ଗୋଷ୍ଠୀ ସୃଷ୍ଟି ହେଲା । ବାଲ ଠାକରେଙ୍କ ପରଲୋକ ପରେପରେ ଦଳ ବିଭାଜନ ହୋଇଯାଇଥାନ୍ତା । କିନ୍ତୁ ବାଲ ଠାକରେଙ୍କ ଦ୍ୱାହି ଦେଇ ଦଳକୁ ବିଭାଜନ ହେବାକୁ ଦିଆଗଲା ନାହିଁ । କିନ୍ତୁ କ୍ଷମତା ନିଶାରେ କଂଗ୍ରେସ ଓ ଏନସିପି ସହ ଶିବସେନାର ମେଂଟକୁ ଅଧିକାଂଶ ପୁରୁଖା ନେତା ନାପସନ୍ଦ କଲେ । ଖୋଦ ବାଲ ଠାକରେ କଂଗ୍ରେସ ଓ ଏନସିପିକୁ ପାଖରେ ପୁରାଇ ଦେଉନଥିଲେ । କିନ୍ତୁ ବିଜେପିକୁ କ୍ଷମତାଠାରୁ ଦୂରେଇ ରଖିବା ପାଇଁ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଉଭୟ କଂଗ୍ରେସ ଓ ଏନସିପି ସହ ମିଶି ମେଂଟ କଲା । ଶିବସେନା ନେତା ସଞ୍ଜୟ ରାଉତ ଉକ୍ତ ମେଂଟକୁ ରାଜନୈତିକ ସଫଳତା ଭାବି ବାହାଦୁରି ନେଲେ । ମାତ୍ର ଏକନାଥ ସିନେ୍ଦଙ୍କ ଭଳି ବହୁ ବରିଷ୍ଠ ନେତା ଓ ବିଧାୟକମାନେ ଉକ୍ତ ମେଂଟକୁ ଶିବସେନାର ଆତ୍ମଦାହ କହି କଟାକ୍ଷ କଲେ । ଏକନାଥଙ୍କୁ କ୍ୟାବିନେଟରେ ସ୍ଥାନ ଦେଇ ଉଦ୍ଧବ ଠାକରେ ଅସନ୍ତୁଷ୍ଟଙ୍କୁ ମନାଇବାକୁ ଚେଷ୍ଟା କଲେ । କିନ୍ତୁ ସେ ଉଦ୍ୟମ ଏବେ ଫେଲ ମାରିଲା । ତା’ର କାରଣ ମଧ୍ୟ ଖୋଦ ଉଦ୍ଧବ ଠାକରେ । ମୁଖ୍ୟମନ୍ତ୍ରୀ ହେଲା ପରେ ଉଦ୍ଧବ ଠାକରେ, ତାଙ୍କୁ ପୁଅ ଆଦିତ୍ୟ, ପତ୍ନୀ ସ୍ମିତାଙ୍କ ସମେତ ବନ୍ଧୁବାନ୍ଧବ ଓ ଘନିଷ୍ଠ ଲୋକମାନେ ଅଧିକ କ୍ଷମତାଶାଳୀ ହୋଇଗଲେ । ଉଦ୍ଧବଙ୍କ ଚାଟୁକାରମାନେ ଯାହା ଚାହିଁଲେ, କଲେ । ସତେ ଯେପରି ଶିବସେନା କହିଲେ ଉଦ୍ଧବ ଠାକରେ ଓ ତାଙ୍କ ପରିବାର । ଦଳର ତୃଣମୂଳ ନେତାଙ୍କୁ ଗୁରୁତ୍ୱ ଦିଆଗଲାନି । ଏପରିକି ମନ୍ତ୍ରିମଣ୍ଡଳର ଅଧିକାଂଶ ମନ୍ତ୍ରୀଙ୍କୁ ଗୌଣ ମନେ କରାଗଲା ଯାହାର ପରିଣାମ ସ୍ୱରୂପ ଆଜି ଶିବସେନା ଦୁଇଫାଳ ହେବାକୁ ବସିଛି । 
ଆଜି ଯେଉଁ ଏକନାଥ ଦଳ ଭିତରେ ବିଦ୍ରୋହ ସୃଷ୍ଟି କରିଛନ୍ତି । ସେ ହେଉଛନ୍ତି ଆନନ୍ଦ ଦିଘେଙ୍କ ଚେଲା । ଏବେ ଆପଣମାନେ ପଚାରିବେ, ଏ ଆନନ୍ଦ ଦିଘେ କିଏ? ଆନନ୍ଦ ଦିଘେ ବିଧାୟକ କି ମନ୍ତ୍ରୀପଦରେ ନଥିଲେ ମଧ୍ୟ ନବେ ଦଶକରେ ତାଙ୍କୁ ଠାଣେ ଅଂଚଳର ବାଲ ଠାକରେ ଭାବେ ଗଣାଯାଉଥିଲା । ଆନନ୍ଦ ଦିଘେଙ୍କୁ ଦଳର ଦ୍ୱିତୀୟ ପରାକ୍ରମଶାଳୀ ନେତା ଭାବେ ଧରି ନିଆଯାଉଥିଲା । ଶୁଣିବାକୁ ମିଳେ, ଜଣେ ଶିବସୈନିକ ଆନନ୍ଦ ଦିଘେଙ୍କ ଆଗରେ କଂଗ୍ରେସକୁ ପ୍ରଶଂସା କଲା । ଦିଘେ ଏତେମାତ୍ରାରେ ରାଗିଗଲେ ଯେ ତାକୁ ଜୀବନରୁ ମାରିଦେଲେ । ଆଜି ଦଳ ଭିତରେ ବିଦ୍ରୋହର ବିଗୁଲ ବଜାଇଥିବା ଏକନାଥ ସିନେ୍ଦ ହେଉଛନ୍ତି ସେହି ଆନନ୍ଦ ଦିଘେଙ୍କ ଚେଲା । ଉଦ୍ଧବ ଠାକରେଙ୍କ ଗୋଷ୍ଠୀ କଂଗ୍ରେସ ଓ ଶରଦ ପୱାରଙ୍କ ସହ ମେଂଟ କରି ଅନ୍ୟପକ୍ଷରେ କଂଗ୍ରେସ ନାଁକୁ ଘୃଣା କରୁଥିବା ଶିବସୈନିକମାନଙ୍କୁ ଧର୍ମ ସଂକଟରେ ପକାଇଦେଲେ ।
ପରିବାରକୁ ମହାରାଷ୍ଟ୍ର କ୍ଷମତାର କେନ୍ଦ୍ରକୁ ନେବା ଆଶାରେ ବାଲ ଠାକରେ ଯେଉଁ ଗୁରୁତର ତ୍ରୁଟି କଲେ । ତା’ର ପରିଣାମ ଆଜି ଶିବସେନାକୁ ଭୋଗିବାକୁ ପଡୁଛି । ଆନନ୍ଦ ଦିଘେଙ୍କୁ ବାଲ ଠାକରେଙ୍କ ଉତ୍ତରାଧିକାରୀ ବିବେଚନା କରାଯାଉଥିଲା । ଠାକରେ ପରିବାରର ଅନୁଗତମାନେ ଆନନ୍ଦ ଦିଘେଙ୍କୁ ରାଜନୈତିକ ଶତ୍ରୁ ଭାବେ ମନେ କରୁଥିଲେ । ୨୦୦୧ରେ ଆନନ୍ଦ ଦିଘେଙ୍କ ଆକସ୍ମିକ ପରଲୋକ ପରେ ଉଦ୍ଧବଙ୍କୁ ନେତା ରୂପେ ମାନୁଥିବା ଦଳୀୟ ନେତାମାନେ ଆଶ୍ୱସ୍ତବୋଧ କଲେ । କିନ୍ତୁ ୨୦ ବର୍ଷ ପରେ ଆନନ୍ଦ ସିନେ୍ଦଙ୍କ ଚେଲା ଏକନାଥ ସିନେ୍ଦ ଏବେ ଶିବସେନାକୁ ଭାଙ୍ଗିବାକୁ ବସିଛନ୍ତି । କଥାରେ ଅଛି, ଆପଣା ହସ୍ତେ ଜିହ୍ୱା ଛେଦି, କେ’ ଅଛି ତା’ର ପ୍ରତିବାଦୀ । ନିଜେ ବିଛାଇଥିବା ଜାଲରେ ଫସିଯାଇଛି ଶିବସେନା । 

Related

News