ଲକ୍ଷ୍ମଣରେଖା

  • 06-Nov-2020
  • Comments


ମା’ ସୀତାଙ୍କ ସୁରକ୍ଷା ପାଇଁ ପ୍ରଭୁ ରାମଚନ୍ଦ୍ରଙ୍କ ଅନୁଜ ଲକ୍ଷ୍ମଣ ଆଶ୍ରମ ସମ୍ମୁଖରେ ଟାଣିଥିବା ରେଖାଟି ପରବର୍ତୀ ସମୟରେ ଆମ ସମସ୍ତଙ୍କ ପାଇଁ ପ୍ରମୁଖ ଶବ୍ଦଟିଏ ହୋଇ ରହିଯାଇଛି । ଆଜିବି ଆମେ କଥା ପଡ଼ିଲେ ଲକ୍ଷ୍ମଣରେଖା ଶବ୍ଦଟିକୁ ପ୍ରାଥମିକତା ଦେଇଥାଉ । ଏହି ରେଖାଟି ସାଧାରଣ ଜନତାଠାରୁ ଆରମ୍ଭ କରି ରାଷ୍ଟ୍ରମୁଖ୍ୟଙ୍କ ପ୍ରତି ପ୍ରଯୁଜ୍ୟ । ବିଶେଷ କରି ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ଏହାର ଗୁରୁତ୍ୱ ସର୍ବାଧିକ । ଏଠି ସାଧାରଣ ମଣିଷକୁ ରାଷ୍ଟ୍ର ସର୍ବାଧିକ ଗୁରୁତ୍ୱ ଦେଇଥିବା ବେଳେ ସେମାନଙ୍କ ପ୍ରତିନିଧିମାନଙ୍କୁ ଉଭୟ ରାଷ୍ଟ୍ର ଓ ଲୋକମାନଙ୍କ ପ୍ରତି ସମର୍ପିତ ରହିବାକୁ ପରାମର୍ଶ ଦେଇଥାଏ । ରାଷ୍ଟ୍ରର ସମ୍ବିଧାନ ସବୁ ଲୋକଙ୍କୁ ଅଧିକାର ଉପଭୋଗ କରିବାର ସୁଯୋଗ ଦେଇଥିବାବେଳେ କର୍ତବ୍ୟ ପ୍ରତି ସଚେତନ ରହିବାକୁ କହିଥାଏ । ଜନତାଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଉନଥିବା ଲୋକପ୍ରତିନିଧି ବା ରାଜନୈତିକ ଦଳକୁ କ୍ଷମତାରୁ ହଟାଇବା ପାଇଁ ସମ୍ବିଧାନରେ ନିର୍ବାଚନ ଭଳି ଅମୋଘ ବ୍ୟବସ୍ଥା ରହିଛି । ତେବେ କଥା ହେଉଛି, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଶାସନ ପରିଚାଳନା କରୁଥିବା ରାଜନୈତିକ ଦଳ ଦେଶର ସମ୍ବିଧାନ ପ୍ରତି ସମର୍ପିତ କି? ଆଜିର ଗଣତନ୍ତ୍ର ଶାସନ ଭୋଟ ସର୍ବସ୍ୱ ହୋଇଗଲାଣି । ଭୋଟ ହାତେଇ କ୍ଷମତା ଉପଭୋଗ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ନାନା ଫନ୍ଦିଫିକର କରୁଛନ୍ତି । ଗରିବ ପରିବାରକୁ କିଲୋ ଟଙ୍କାଏ ଚାଉଳ ଦେଇ ଗୋଟିଏ ରାଜନୈତିକ ଦଳ ଦୀର୍ଘଦିନ ଧରି କ୍ଷମତାରେ ରହିଛି । ସାଧାରଣ ଭୋଟର କିଲୋ ଟଙ୍କାଏ ଚାଉଳ ଲୋଭରେ ଦେଶର ବୃହତର ସ୍ୱାର୍ଥ ପ୍ରତି ଆଖି ବୁଜି ଦେଉଛି । ନିଜ ପିଲାମାନଙ୍କ ସୁନ୍ଦର ଭବିଷ୍ୟତକୁ କ୍ଷମତାଲୋଭୀଙ୍କ ହାତକୁ ଟେକିଦେଉଛି । ନିଜ ଝିଅବୋହୂଙ୍କ ମାନସମ୍ମାନକୁ ଜଳାଞ୍ଜଳି ଦେବାକୁ ପଛାଉନାହିଁ । ପିପିଲିର ବେବିନା ହେଉ କି କୁନ୍ଦୁଲି ନାବାଳିକା ହୁଅନ୍ତୁ, ସମସ୍ତେ ଶାସକ ଦଳର ଚକ୍ରବୁ୍ୟହରେ ପେଷି ହୋଇଯାଇଛନ୍ତି । କ୍ଷମତାସୀନ ଦଳର କିଲୋ ଟଙ୍କାଏ ଚାଉଳ ପାଇବା ନିଶାରେ ସେମାନଙ୍କ ଆଖିର ଲୁହ ପୋଛିବାକୁ କାହା ପାଖରେ ସମୟ ନାହିଁ । ବେବିନା କି କୁନ୍ଦୁଲି ନାବାଳିକା ପ୍ରତି ସାରା ଓଡ଼ିଶାବାସୀ ଏକ ପ୍ରକାର ଅନ୍ୟାୟ କରିଛନ୍ତି ବୋଲି ମୁଁ ଛାତିରେ ହାତ ପିଟି କହିବି । ତା’ ହୋଇନଥିଲେ କ୍ଷମତାସୀନ ଦଳର ଚକ୍ରବୁ୍ୟହକୁ ଭେଦ କରି ସାଢ଼େ ଦୁଇକୋଟି ଭୋଟର ଶତାଧିକ ବେବିନାଙ୍କ ପ୍ରତି ଉପଯୁକ୍ତ ନ୍ୟାୟ ଦେଇଥାନ୍ତେ । ପ୍ରମାଣ ଅଭାବରୁ ଦେଶର ନ୍ୟାୟପାଳିକା ସିନା ବେବିନାକୁ ନ୍ୟାୟ ଦେଇପାରିଲାନି । କିନ୍ତୁ ଏ ରାଜ୍ୟର ସାଢ଼େ ଦୁଇକୋଟି ଭୋଟର କ’ଣ ସେମାନଙ୍କ ଝିଅକୁ ନ୍ୟାୟ ଦେଇପାରିନଥାନ୍ତେ । ସରକାରୀ ତଦନ୍ତକାରୀ ସଂସ୍ଥାର ତଦନ୍ତ ବ୍ୟବସ୍ଥା ଯେ ସମ୍ପୂର୍ଣ୍ଣ ନିରପେକ୍ଷତା ରକ୍ଷା କରିଛି । ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ ଛାତିରେ ହାତ ରଖି କହିପାରିବେନି । ଆଜି ଚାରିଆଡ଼େ ଗୋଟିଏ ଗୁଞ୍ଜରଣ ଶୁଣିବାକୁ ମିଳୁଛି । କ୍ଷମତାସୀନ ଦଳ ଗଣମାଧ୍ୟମର କଣ୍ଠରୋଧ କରୁଛି । ଗଣତନ୍ତ୍ର ଶାସନର ଚତୁର୍ଥ ସ୍ତମ୍ଭ ରୂପେ ଅଘୋଷିତ ମର୍ଯ୍ୟାଦା ଲାଭ କରୁଥିବା ଗଣମାଧ୍ୟମର ସ୍ୱାଧିନ ମତପୋଷଣ ଅଧିକାର ଲୋପ କରିବାର ଚକ୍ରାନ୍ତ ଚାଲିଛି । ଯଦି ତା’ ସତ୍ୟ ହୋଇଥାଏ, ତେବେ ଧରିନେବାକୁ ହେବ ରାଜା ନହୁଷ ପୁଣି ମୁନିଋଷିଙ୍କୁ ପାଲିଙ୍କି କାନେ୍ଧଇବାକୁ ବାଧ୍ୟ କରୁଛନ୍ତି । ତା’ ସହିତ ଏ ଉଦ୍ୟମର ପରିଣତି ମଧ୍ୟ ଲୋକମାନଙ୍କୁ ଜଳଜଳ ହୋଇ ଦେଖାଯାଉଛି । ସାଧୁସନ୍ଥଙ୍କ ଅଭିଶାପରେ ରାଜା ନହୁଷଙ୍କ ଦୂରବସ୍ଥା କାହାକୁ ଅଛପା ନାହିଁ । କଳବଳ କୌଶଳ ପ୍ରୟୋଗ କରି ରାଜ୍ୟର ସାଢ଼େ ଦୁଇକୋଟି ଭୋଟରଙ୍କୁ ସବୁଦିନ ବୋକା ବନାଇ ରଖିବା ଶାସକଦଳ ପକ୍ଷେ କଷ୍ଟକର ହେବ । ଯେଉଁଦିନ ଏ ଜନତା କ୍ଷମତାସୀନ ଦଳକୁ ପ୍ରଶ୍ନ ପଚାରିବେ ଯେ କିଲୋ ଟଙ୍କାଏରେ ବିକୁଥିବା ଚାଉଳର ଧାନକୁ କେତେ ମୂଲ୍ୟରେ କିଣୁଛ? ସେଇଦିନ କ୍ଷମତାସୀନ ଦଳର ସବୁ କାରସାଦି ଧରା ପଡ଼ିଯିବ । ପାଂଚଟା ଟାଉଟରଙ୍କ ହାତରେ ରାଜ୍ୟର ଶାସନକୁ ଧରାଇ ଗୋଟିଏ ଦଳ ନିରଙ୍କୁଶ ଶାସନ କରିବାର ଅଭିପ୍ରାୟ ରଖିଛି । ବିରୋଧୀ ଦଳ ରୂପେ ଚର୍ଚ୍ଚାରେ ରହିଥିବା ଦଳଗୁଡ଼ିକ ଲୋକଙ୍କ ସେବା ପ୍ରତି ସମର୍ପିତ ନୁହନ୍ତି । ବିଧାନସଭାରେ ବିଧାୟକଙ୍କ ଦରମା ଓ ଅନ୍ୟାନ୍ୟ ଭତା ବୃଦ୍ଧି ସମ୍ପର୍କିତ ବିଲକୁ ବିରୋଧୀ ଦଳର ବିଧାୟକମାନେ ଟେବୁଲରେ ହାତ ବାଡ଼େଇ ସ୍ୱାଗତ କରୁଥିବା ବେଳେ ଅନ୍ୟ ବିଲକୁ କଡ଼ା ବିରୋଧ କରୁଛନ୍ତି । ବିରୋଧୀ ଦଳର ଏପରି ଆଚରଣ ଆଦୌ ଗ୍ରହଣୀୟ ନୁହେଁ । ମୋଟ କଥା ହେଲା, ଆମ ସମସ୍ତଙ୍କୁ ବାସ୍ତବ ଜୀବନରେ ଲକ୍ଷ୍ମଣରେଖା ପାଳନ କରିବାକୁ ହେବ । ଲକ୍ଷ୍ମଣରେଖା ଟପିଲେ, ମା’ ସୀତାଙ୍କ ଭଳି ହିନସ୍ତା ଭୋଗିିବାକୁ ପଡ଼ିବ । ଆଜି ରାଜ୍ୟର ଅଧୋଗତି ପାଇଁ ଆମେ ସମସ୍ତେ ଦାୟୀ । ଏଥିପାଇଁ ଗୋଟିଏ ଦଳକୁ ଦୋଷ ଦେବା ଆଦୌ ଉଚିତ ହେବନାହିଁ । ରାଜ୍ୟର ସାଢ଼େ ଦୁଇକୋଟି ଭୋଟର ସଚେତନ ହେବା ଆବଶ୍ୟକ । ଯେଉଁଦିନ ରାଜ୍ୟର ଶତକଡ଼ା ଶହେ ଭୋଟର ସଚେତନ୍ ହୋଇଯିବେ, ସେଦିନ କ୍ଷମତାସୀନ ଦଳର କୌଣସି ଚକ୍ରବୁ୍ୟହ କାମ କରିବନି । କାମ କରିବନି ବିଦେଶରୁ ଲିଟର ପିଛା ୫ ଟଙ୍କାରେ ଆସୁଥିବା ଅଶୋଧିତ ତେଲକୁ ୯୦ ଟଙ୍କାରେ ବିକିବାର କାରସାଦି । କାମ କରିବନି ରାଜ୍ୟରେ ମଦର ବନ୍ୟା କରି ଟଙ୍କା ସାଉଁଟିବା ଆଳରେ ନାଗରିକଙ୍କୁ ଅଚେତନ କରି ଶାସନ ବ୍ୟବସ୍ଥାକୁ ପଙ୍ଗୁ କରିବାର ହୀନ ଚକ୍ରାନ୍ତ ।

Related

News