ଅମ୍ବାନୀ ଓ ଆଦାନୀଙ୍କ ଉପରେ ବିକ୍ଷୋଭକାରୀଙ୍କ ନଜର

  • 20-Jan-2021
  • Comments


କେନ୍ଦ୍ର ସରକାର ପ୍ରଣୀତ ତିନୋଟି କୃଷି ଆଇନକୁ ନେଇ ସାରାଦେଶରେ ପ୍ରତିବାଦର ସ୍ୱର ଶୁଣିବାକୁ ମିଳିଛି । ବିକ୍ଷୋଭକାରୀଙ୍କ ଆଖି ଦେଶର ଦୁଇଜଣ ବିଶିଷ୍ଟ ଧନୀଙ୍କ ଉପରେ ପଡ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭଦୃଷ୍ଟିି କାରଣରୁ ଉକ୍ତ ଦୁଇଜଣ ବ୍ୟକ୍ତିଙ୍କ ସମ୍ପତ୍ତି କରୋନା ମହାମାରୀ ସମୟରେ ମଧ୍ୟ ବୃଦ୍ଧି ପାଇଛି । ପ୍ରାୟ ଦୁଇମାସ ଧରି ୧୦ ହଜାରରୁ ଅଧିକ କୃଷକ ରାଜଧାନୀ ନୂଆଦିଲ୍ଲୀ ବାହାରେ ଡେରା ପକାଇଛନ୍ତି । ବିକ୍ଷୋଭକାରୀଙ୍କ ଅଭିଯୋଗ ହେଲା, ସରକାର ତିନୋଟି କୃଷି ଆଇନ ଲାଗୁୁ କରିବା ପଛରେ ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀଙ୍କ ସଂପୃକ୍ତି ଅଛି । କେନ୍ଦ୍ର ସରକାରଙ୍କ ସହ ଏହିି ଦୁଇ ଧନୀ ତଥା ଶିଳ୍ପପତିଙ୍କର ଅଘୋଷିତ ଓ ଅଲିଖିତ ବୁଝାମଣା ହୋଇଛି । ଫଳରେ ସେମାନଙ୍କୁ ସୁହାଇବା ଭଳି କୃଷି  ଆଇନ ପ୍ରସ୍ତୁତ କରାଯାଇଛି । କରୋନା ମହାମାରୀ ପ୍ରଭାବରେ ଲକ୍ଷାଧିକ ଲୋକ ରୋଜଗାର ହରାଇଛନ୍ତି । ଦେଶର ଅର୍ଥନୀତି ତଳକୁ ଗତି କରିଥିଲା ବେଳେ ଅମ୍ବାନୀ ଓ ଆଦାନୀଙ୍କ ଆୟ ଉପରେ ସେତେ ପ୍ରଭାବ ପଡ଼ିନାହିଁ । କରୋନା ସମୟରେ ଅମ୍ବାନୀ ଓ ଆଦାନୀଙ୍କ ରୋଜଗାର ପ୍ରାୟ ୪,୧୦୦ କୋଟି ଟଙ୍କାରୁ ଅଧିକ ହୋଇଛିି । ଏହି ଦୁଇଜଣଙ୍କ ଆର୍ଥିକ ସାମ୍ରାଜ୍ୟ ପ୍ରାୟ ୨.୯ ଟି୍ରଲିୟନ ଡଲାର ।

ଗୋଟିଏ ନିବେଶ ପରିଚାଳନା ସଂସ୍ଥାର ନିଦେ୍ର୍ଦଶକ ସଞ୍ଜିବ ଭାସିନ କହନ୍ତି, ଆର୍ଥିକ ଦୁର୍ଗତି ସମୟରେ ସାଧାରଣ ଜନତାଙ୍କ ଦୃଷ୍ଟି ଧନୀଙ୍କ ଉପରେ ପଡ଼ିବା ସ୍ୱାଭାବିକ । ଗରିବ ଲୋକଟି ଭୋକଉପାସରେ ଛଟପଟ ହେଉଥିଲା ବେଳେ ତାକୁ ଧନୀଲୋକର କୋଠାବାଡ଼ି, ଧନସମ୍ପତ୍ତି ଛଡ଼ା ଆଉ କିଛି ଦିଶେ ନାହିଁ । ୨୦୨୦ ଜାନୁଆରୀରେ ପ୍ରକାଶିତ ଅକ୍ସଫାମ ରିପୋର୍ଟ ଅନୁସାରେ ଦେଶର ୧% ଲୋକଙ୍କ ମାଲିକାନାରେ ଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିର ପରିମାଣ ୯୫ କୋଟି ଲୋକଙ୍କ ସମ୍ପତ୍ତିର ଚାରିଗୁଣା । ଦେଶର ୭୦ ଭାଗ ଲୋକ ଗରିବ ଅଛନ୍ତି । ଦେଶର ଶ୍ରେଷ୍ଠ ୯ ଜଣ କୋଟିପତିଙ୍କ ପାଖରେ ୫୦ ଭାଗ ଲୋକଙ୍କ ସମ୍ପତ୍ତି ରହିଛି ।

ଗତ ସେପ୍ଟେମ୍ବରରେ ସଂସଦରେ ନୂତନ କୃଷି ଆଇନ ପ୍ରଣୟନ କରାଗଲା । ଉକ୍ତ ଆଇନରେ ଘରୋଇ କମ୍ପାନୀମାନେ ଚାଷୀଙ୍କଠାରୁ ସିଧାସଳଖ ଶସ୍ୟ କିଣିପାରିବେ । ବିଗତ ଦଶନ୍ଧି ଧରି ସରକାର ଚାଷୀଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ଶସ୍ୟ କିଣୁଥିଲେ । ସରକାରଙ୍କ ପ୍ରଣୀତ କୃଷି ଆଇନରେ ପଞ୍ଜାବ ଓ ହରିଆଣାର ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ ହଟାଇ ନିଆଯିବାର ଆଶଙ୍କା କରୁଛନ୍ତି । ଖୋଦ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ନୂତନ କୃଷି ଆଇନ ପ୍ରଭାବରେ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ହଟିବାର ପ୍ରଶ୍ନ ନାହିଁ । ତଥାପି କୃଷକ ନେତାମାନେ କିଛି ରାଜନୈତିକ ଦଳର ପ୍ରରୋଚନାରେ ପଡ଼ି ବିକ୍ଷୋଭ ଜାରି ରଖିଛନ୍ତି ବୋଲି କ୍ଷମତାସୀନ ମେଂଟ ଅଭିଯୋଗ କରୁଛି । ଦେଶର ୧୩୦ କୋଟି ଲୋକଙ୍କ ମଧ୍ୟରୁ ପ୍ରାୟ ୮୦ କୋଟି ଲୋକ ପ୍ରତ୍ୟକ୍ଷ ବା ପରୋକ୍ଷରେ ଚାଷ ଉପରେ ନିର୍ଭର କରିଥାନ୍ତି ।

୨୦୧୯ ସାଧାରଣ ନିର୍ବାଚନରେ ବିଜେପି ମେଂଟ ବିପୁଳ ଆସନ ଲାଭ କରିବା ପରେ ମୋଦୀ ଦ୍ୱିତୀୟ ପାଳି ପ୍ରଧାନମନ୍ତ୍ରୀ ହେଲେ । ଦ୍ୱିତୀୟ ବାର ୫ ବର୍ଷ ପାଇଁ କ୍ଷମତାସୀନ ହେବା କ୍ଷଣି ପ୍ରଧାନମନ୍ତ୍ରୀ ମୋଦୀ ଏକାଧିକବାର ଟ୍ୱିଟ୍ କରି ନୂତନ କୃଷି ଆଇନରେ ମଧ୍ୟସ୍ଥି ବା ଦଲାଲିରାଜ ରହିବ ନାହିଁ, ଚାଷୀମାନଙ୍କ ଆୟ ପୂର୍ବାପେକ୍ଷା ଚାରିଗୁଣ ବଢ଼ିଯିବାର ସ୍ପଷ୍ଟ କରିଛନ୍ତି । ସବୁ ଉଦ୍ୟମ ସତ୍ତ୍ୱେ ମୋଦୀଙ୍କ କୃଷି ଆଇନ ଲାଗୁ ଆଶା କ୍ଷୀଣ ମନେହୁଏ । ମୋଦୀଙ୍କ ଶାସନକୁ ‘ସୁଟ୍ ବୁଟ୍ କି ସରକାର’ କହିବାର ଅର୍ଥ ସରକାର ବ୍ୟବସାୟୀ ଗୋଷ୍ଠୀ ପ୍ରତି ଅଧିକ ଆସକ୍ତ । 

Related

News