ବିଜେପିର ‘ପରୀକୁ ନ୍ୟାୟ’

  • 22-Apr-2021
  • Comments


ମନ୍ତ୍ରୀ ଅରୁଣ ସାହୁଙ୍କ ଇଲାକାରେ ଗୋଟିଏ ନାବାଳିକାକୁ ବିଭତ୍ସ ଭାବେ ମାରି ଦିଆଗଲା । ଏଥିପାଇଁ ରାଜ୍ୟ ବିଧାନସଭା ବାହାରେ ଓ ଭିତରେ ବେଶ ହଇଚଇ ସୃଷ୍ଟି ହେଲା । ଘଟଣାଟା ଚାପି ହୋଇ ରହି ଯାଇଥିଲା । ମାତ୍ର ବିଧାନସଭା ଚାଲିଥିବା ଭିତରେ ପରୀର ମା’ବାପା ମାଷ୍ଟର କ୍ୟାଂଟିନ ଛକ ନିକଟରେ ଆତ୍ମାହୁତି ଦେବାକୁ ପ୍ରୟାସ କରିବାରୁ ଘଟଣାଟି ସାରା ରାଜ୍ୟବାସୀଙ୍କ ନିକଟରେ ପହଂଚିଲା । ଅବଶ୍ୟ ଏଥିପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶଂସାର ପାତ୍ର । ସେମାନଙ୍କ ସହଯୋଗ ମିଳିବାରୁ ଘଟଣାଟି ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି । ତେବେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ମେଂଟ କ୍ଷମତାରେ ଥିଲାବେଳେ ପରୀକୁ ତୁରନ୍ତ ନ୍ୟାୟ ମିଳିଲାନି କାହିଁକି? ୟା’ ପଛରେ ଦୁଇଟି କାରଣ ସାମ୍ନାକୁ ଆସୁଛି । ପ୍ରଥମଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନବୀନ ପ୍ରୀତି । ଦ୍ୱିତୀୟଟି ରାଜ୍ୟ ବିଜେପି ନେତାଗଣଙ୍କ ଏକତାର ଅଭାବ । ମୋଦୀଙ୍କ ପାଖନେତା ସାଜି ସମ୍ବିତ ପାତ୍ର ପିପିଲି ଉପନିର୍ବାଚନ ଘୋଷଣା ପୂର୍ବରୁ ଲୋକଙ୍କ ନିକଟରେ ପହଂଚି ବେଶ ନାଟକବାଜି କଲେ । କାହାକୁ କେତେ କ’ଣ ବାଂଟିଲେ । କେତେ ଲୋକଙ୍କୁ ଭାଇ, ଦାଦା, ମଉସା କରି ପକାଇଲେ । ପରୀକୁ ନ୍ୟାୟ ଦେବା ପାଇଁ ପୁରୀରୁ ନୟାଗଡ଼ ବାଟ ଚାଲିଲେ । ବିଜେପି ନେତ୍ରୀ ଲେଖାଶ୍ରୀ ଗଣମାଧ୍ୟମ ଆଗରେ ବିଜେଡିକୁ ସମାଲୋଚନା କରୁଛନ୍ତି । ରାଜ୍ୟ ବିଜେପି ନେତାଙ୍କ ଭିତରେ ଏକତାର ଅଭାବ ସାଧାରଣ ଲୋକଙ୍କୁ ଜଳଜଳ ଦେଖାଯାଉଛି । ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପରାଜୟରୁ ବିଜେପି କିଛି ଶିଖି ପାରିଲାନି । ପରିଣାମ ସ୍ୱରୂପ ପିପିଲି ବିଧାନସଭା ଆସନଟି ପୂର୍ବପରି ବିଜେଡି ହାତରେ ରହିବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ ‘ପୂର୍ବୋଦୟରୁ ଭାରତର ଉଦୟ’ କେବଳ ମୁହଁ ଫୁଟାଣିରେ ସୀମିତ ହୋଇ ରହିଗଲା । ଅସଲ କଥା ହେଉଛି, ଚତୁରେ ଚତୁରେ ବିଜେପି-ବିଜେଡି ରାଇଜବାସୀଙ୍କୁ ବୋକା ବନାଉଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାଧାରଣ ଲୋକଙ୍କୁ ଆର୍ଥିକ ସାକ୍ଷରତା ପାଇଁ ବ୍ୟାଙ୍କରେ ଟଙ୍କା ଜମା ଓ ଉଠାଣ ପ୍ରକ୍ରିୟା, ଏଟିଏମ ବ୍ୟବହାର ସମ୍ପର୍କରେ ପାଠ ପଢ଼ାଇବା ତୁଳନାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମୁଦ୍ରା ଲୋନ୍’ ପ୍ରସଙ୍ଗ ନଉଠାଇବାର ମାନେ କ’ଣ?  ଛାଡ଼ନ୍ତୁ, ଆମେ ପରୀ ମାମଲା ଉଠାଇ ମୁଦ୍ରା ଲୋନ ଆଡ଼େ ପଶିଗଲୁ । ସତକଥା ହେଉଛି, ବିଜେଡିକୁ ହରାଇବାକୁ ହେଲେ, ରାଜ୍ୟ ବିଜେପିକୁ ଛୋଟଛୋଟ ରାଜନୈତିକ ଦଳ ସହିତ ହାତ ମିଶାଇ ଆସନ ବାଂଟିବାକୁ ପଡ଼ିବ । ତା’ ନହେଲେ, ବିଜେଡିକୁ କ୍ଷମତାରୁ ହଟାଇବା ବିଜେପି ପାଇଁ ସ୍ୱପ୍ନ ହୋଇ ରହିଯିବ । ବିଜେପିର ଟୋକାଳିଆ ନେତାମାନେ ନବୀନ ପଟ୍ଟନାୟକଙ୍କ  ପରଲୋକ ଗମନକୁ ଅନାଇ ବସିଛନ୍ତି । ସେମାନଙ୍କ ମତରେ ନବୀନଙ୍କ ଦେହାନ୍ତ ପରେ ବିଜେପି କ୍ଷମତା ଦଖଲ କରିବା ଥୟ । ଏମିତି ଭାବନାରେ ବିଜେପିର ପାରିବା ପଣିଆ ପ୍ରମାଣିତ ହେବ! ପରୀ ହତ୍ୟାକୁ କବର ଦେଇ ବିଜେଡି ଯେତିକି ବଡ଼ ଅପରାଧ କରିଛିି । ପୁରୀରୁ ନୟାଗଡ଼ ଅଭିଯାନ କରି ବିଜେପି ସେତିକି ଦୁର୍ବଳ ରଣନୀତିର ପରିଚୟ ଦେଇଛି । କଂଗ୍ରେସର ଅଘୋଷିତ ବିଲୟର ସୂତ୍ରପାତ ଘଟିଛି । କିଛି ବରିଷ୍ଠ ନେତା ଯେତେ ବୟାନବାଜି କଲେ ବି କଂଗ୍ରେସର ତ୍ରାଣକର୍ତ୍ତା ହୋଇପାରିବେନି । ନିରଞ୍ଜନ ଅମାପ ସମ୍ପତ୍ତିର ଅଧିକାରୀ ହୋଇପାରନ୍ତି । ସୁରେଶ ରାଉତରାୟଙ୍କ ଭାଷାରେ ନିରଞ୍ଜନଙ୍କ ପାଖରେ ଓଡ଼ିଶା କିଣିବା ଭଳି ଧନ ଅଛି । ଥାଇପାରେ, ମାତ୍ର ନବୀନଙ୍କୁ କ୍ଷମତାଚୁ୍ୟତ କରିବା ଭଳି ମୁଣ୍ଡ ନାହିଁ ।  ନିରଞ୍ଜନଙ୍କ ସାନଭାଇ ତଥା ‘ସମ୍ବାଦ’ ଖବରକାଗଜ ଓ ‘କନକ’ ଟିଭି ଚାନେଲ ମାଲିକ ସୌମ୍ୟରଂଜନ ପଟ୍ଟନାୟକ ନବନିର୍ମାଣ କୃଷକ ସଂଗଠନ ଡଙ୍ଗାରେ ବସି ବିଜେଡି ତୁଠରେ ଲାଗିଗଲେ । ଦାଦାଙ୍କ ହାତ ଧରି ନିରଞ୍ଜନଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଯେ ବିଜେଡି ଭାଡ଼ିରେ ନବସିବେ, କିଏ କହିବ? ରାଜନୀତିର ଗତି ବଡ଼ ବିଚିତ୍ର । କାହାର ହାତ କେତେବେଳେ କିଏ ଧରିବ ଅବା ଗୋଚ୍ଛି କାଟିବ, କଳ୍ପନାତୀତ । ଆସନ୍ତା ସାଧାରଣ ନିର୍ବାଚନ ବେଳକୁ ବିଜେପି-ବିଜେଡି ‘ବଡେ ମିଅାଁ-ଛୋଟେ ମିଅାଁ’ ଅବତାର ନେବେନି ତ!
ସମ୍ପାଦନା: ସୁଶାନ୍ତ ସର୍ବେଶ୍ୱର

Related

News