କରୋନା ଦାଗ ଛଡ଼ାଉଛି ବିଜେପି, ଆରଏସଏସ୍

  • 12-May-2021
  • Comments


କରୋନା ମୁକାବିଲା କରୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ମଳ ଭାବମୂର୍ତ୍ତିରେ ଦାଗ ଲାଗିଯାଇଛି । ମୋଦୀଙ୍କ ‘କରୋନା ହଟାଅ ମିଶନ’ ବିଫଳ ହୋଇଛି ବୋଲି ଏକପ୍ରକାର ବାତାବରଣ ସୃଷ୍ଟି ହୋଇଥିବା ଅନୁଭବ କରି ବିଜେପି ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ପକ୍ଷରୁ ‘ସବୁକିଛି ଠିକ୍ ହୋଇଯିବ’ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଆପଣମାନେ ଭଲ ଭାବରେ ଜାଣନ୍ତି, ବିଜେପି ହେଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ରାଜନୈତିକ ଖୋଳପା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ପ୍ରତିଟି କାର୍ଯ୍ୟ ଉପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟଙ୍କ ମୋହର ବାଜିଥାଏ । ତେଣୁ କରୋନା ସଂକଟ କାଳରେ ଦେଶବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଭଳି ମହନୀୟ କାର୍ଯ୍ୟରୁ ବିପୁଳ ଟଙ୍କା ରୋଜଗାର କରିବାର ମନୋଭାବ ପୋଷଣ ପଛରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଯେ ମୋହର ବାଜିନି ଭାବିବା ସଂପୂର୍ଣ୍ଣ ଭୁଲ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଏକ ଲାଭଜନକ ମନ୍ତ୍ରଣାଳୟ ରୂପେ ପ୍ରମାଣିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କରୋନା ଟୀକା ପ୍ରସ୍ତୁତ କରିବା ପାଇଁ ଭାରତ ବାୟୋଟେକ୍ ଓ ସିରମ ଇନଷ୍ଟିଚୁ୍ୟଟକୁ ରାଜକୋଷରୁ ଆଗୁଆ ଟଙ୍କା ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଉକ୍ତ ଟଙ୍କା ଫେରି ପାଇବାର ବିକଳ୍ପ ପନ୍ଥା ସ୍ୱରୂପ ରାଜ୍ୟ ସରକାରଙ୍କୁ ଟୀକା କିଣିବାକୁ ଏକରକମ ବାଧ୍ୟ କଲେ । କେବଳ ସେତିକି ନୁହେଁ, କରୋନା ଟୀକା ଉପରେ ଜିଏସଟି ଲାଗୁ କଲେ । ସଂକ୍ଷେପରେ କହିଲେ, ମାଛ ତେଲରେ ମାଛ ଭାଜି ଖାଉଟିଙ୍କୁ ବିକୁଛନ୍ତି ସରକାର । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟବସାୟିକ ମନୋଭାବ ଉଭୟ ବିଜେପି ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସୁନିଶ୍ଚିତ ।

କରୋନାର ଦ୍ୱିତୀୟ ସଂକ୍ରମଣ ସହ କେନ୍ଦ୍ର ସରକାରଙ୍କ ମୁକାବିଲା ନୀତିକୁ କେନ୍ଦ୍ର କରି ଦେଶବ୍ୟାପୀ ଆଲୋଚନା ମୁଣ୍ଡ ଟେକିଲାଣି । ମୋଦୀଙ୍କ କାର୍ଯ୍ୟଧାରାକୁ ସମାଜର ପ୍ରତିଟି ବର୍ଗର ଲୋକମାନେ ତୀବ୍ର ସମାଲୋଚନା କରୁଛନ୍ତି । ମୋଦୀଙ୍କ ଚରିତ୍ରକୁ ନିର୍ମଳ କରିବା ପାଇଁ ମେଂଟ ସରକାର, ବିଜେପି ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆପଣା ଆପଣା ବାଟରେ ଲାଗି ପଡ଼ିଛନ୍ତି । କରୋନା ନିୟନ୍ତ୍ରଣ ବାହାରକୁ ଚାଲିଯିବା ସମ୍ପର୍କୀତ ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ଦେଶରେ ସୃଷ୍ଟି ହୋଇଥିବା ସରକାର ବିରୋଧୀ ହାୱାକୁ ଲୁଚାଇବା ପାଇଁ ତିନୋଟି ସ୍ତରରେ ଯୋଜନା ଚାଲିଛି । ମେଂଟ ସରକାରର ସଫଳତା ବଖାଣିବା ପାଇଁ କେନ୍ଦ୍ରସ୍ତରରେ କାର୍ଯ୍ୟରତ ସଚିବମାନଙ୍କୁ ଦାୟିତ୍ୱ ଦିଆଯାଇଛି । ତଦନୁଯାୟୀ, ଉକ୍ତ ସଚିବମାନେ ଲୋକଙ୍କ ନିକଟକୁ ଯାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଫଳତାର ଗୁଣଗାନ କରୁଛନ୍ତି । ଖୋଦ୍ ପ୍ରଧାନମନ୍ତ୍ରୀ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଜରିଆରେ ସରକାରଙ୍କ ଗୁଣଗାନ କରୁଛନ୍ତି । କେନ୍ଦ୍ରମନ୍ତ୍ରୀମାନେ ଅକ୍ସିଜେନ୍ ଯୋଗାଣଠାରୁ ଆରମ୍ଭ କରି ଯାବତୀୟ କାହାଣୀମାନେ ସୋସିଆଲ୍ ମିଡିଆରେ ପ୍ରଚାର କରୁଛନ୍ତି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସରକାର ବିରୋଧୀ ମନ୍ତବ୍ୟକୁ କଡ଼ା ମୁକାବିଲା କରୁଛନ୍ତି । ବିଜେପି କର୍ମୀମାନେ ଗ୍ରାମଠାରୁ ଆରମ୍ଭ କରି ସହରରେ କେନ୍ଦ୍ର ସରକାରଙ୍କ ଗୁଣଗାନ କରି କଂଗ୍ରେସ ଓ ଅନ୍ୟ ବିରୋଧୀ ରାଜନୈତିକ ଦଳର ସମାଲୋଚନା ଉପରେ ପରଦା ପକାଉଛନ୍ତି ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଲୋକଙ୍କ ନିକଟକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଫାସୁତରା ଛବି ବାଂଟିବାକୁ ଲାଗି ପଡ଼ିଛି । ସଂଘ ପକ୍ଷରୁ ମେ’ ୧୧ ତାରିଖରୁ ଅନ୍ ଲାଇନ୍ ଇଭେଂଟ ଆରମ୍ଭ କରାଯାଇଛି ଯାହାର ନାମ ‘ପଜିଟିଭିଟି ଅନ୍ ଲିମିଟେଡ୍’ ରଖାଯାଇଛି । ଉକ୍ତ ଇଭେଂଟରେ ଧର୍ମଗୁରୁ, ବ୍ୟବସାୟୀ ଓ ବଛାବଛା ମୋଟିଭେଟର୍ସଙ୍କୁ ନିଆଯାଇଛି । ସଂଘ ମୁଖ୍ୟ ମୋହନ ଭାଗବତ ମଧ୍ୟ ଉକ୍ତ ଇଭେଂଟରେ ସରକାରଙ୍କ ସଫଳତା ଗାଉଛନ୍ତି ।

କରୋନାର ବାସ୍ତବ ଚେହେରା କାହା ନିକଟରେ ଆଉ ଅଜଣା ହୋଇ ରହିନାହିଁ । ତେଣୁ କେନ୍ଦ୍ର କ୍ୟାବିନେଟ୍ , ବିଜେପି ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୋଦୀ ପ୍ରେମ ଶୁଣିବା ପରେ ଲୋକଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିବା ଛଡ଼ା ଆମ ନିକଟରେ ଆଉ କିଛି ବିକଳ୍ପ ନାହିଁ ।  

Related

News