ଧୋକାବାଜ ଆମେରିକା

  • 18-Aug-2021
  • Comments


‘ଆପଣ ଆମ ସହିତ ନା ଆମ ବିରୋଧରେ’ । ୯/୧୧ ହୃଦୟ ବିଦାରକ ଆତଙ୍କୀ ହମଲା ପରେ ଆମେରିକା ରାଷ୍ଟ୍ରପତି ଜର୍ଜ ବୁଶ ୨୦୦୧ ସେପ୍ଟେମ୍ବର ୨୧ ତାରିଖରେ ଏଭଳି ଭାଷଣ ଦେବାର ୧୫ ଦିନ ପରେ ଆମେରିକା ବିମାନ ଆଫଗାନିସ୍ତାନ ଉପରେ ବୋମା ପକାଇବା ଆରମ୍ଭ କରି ଦେଇଥିଲା । ତା’ର ପ୍ରାୟ ୨୦ ବର୍ଷ ପରେ ଆମେରିକା ଆଫଗାନିସ୍ତାନରୁ ପଳାୟନ କରିଛି । କାବୁଲ ସମେତ ସମ୍ପୂର୍ଣ୍ଣ ଆଫଗାନିସ୍ତାନ ପୁଣିଥରେ ତାଲିବାନ କବଳକୁ ଚାଲିଯାଇଛି ।

ଆମେରିକାର ଏପରି ନିଷ୍ପତ୍ତିରେ ଆଫଗାନିସ୍ତାନର ନିରୀହ ଜନତା ଏତେ ଭୟଭୀତ ହୋଇଯାଇଛନ୍ତି ଯେ ଉଡ଼ନ୍ତା ବିମାନର ଅବତରଣ ଗିୟରରେ ବସି ଜୀବନ ହରାଇବାକୁ ପଛାଇନାହାନ୍ତି । ସବୁଠାରୁ କ୍ଷୋଭର ବିଷୟ ହେଉଛି, ଆମେରିକାଠାରୁ ଧୋକା ଖାଇଥିବା ଦେଶ ଭିତରେ ଆଫଗାନିସ୍ତାନ ସ୍ଥାନ ପ୍ରଥମ ନୁହେଁ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଚାରିଟି ଦେଶକୁ ଆମେରିକା ଚରମ ଧୋକା ଦେଇଛି । ଆଫଗାନିସ୍ତାନରେ ଆମେରିକା ଦୀର୍ଘ ୨୧ ବର୍ଷ ଧରି ନାଟକବାଜି କରିଥିଲା । ପ୍ରାୟ ୬୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଆମେରିକା ବିଦ୍ରୋହୀ ତାଲିବାନକୁ ସାବାଡ଼ କରିପାରିଲାନି । ଆଫଗାନିସ୍ତାନ ପୂର୍ବରୁ ଆମେରିକା ଭିଏତନାମ, କୁ୍ୟବା ଓ ସୋମାଲିଆକୁ ଧୋକା ଦେଇଛି ।

ଆସନ୍ତୁ ଭିଏତନାମ ଉପରେ ନଜର ପକାଇବା । ଦୀର୍ଘ ୧୯ ବର୍ଷ ଧରି ଭିଏତନାମରେ ଭୟଙ୍କର ଯୁଦ୍ଧରେ ଲିପ୍ତ ରହି ଆମେରିକା ପଛାଇଯିବାକୁ ବାଧ୍ୟ ହୋଇଥିଲା । ଆମେରିକାର କଳଙ୍କିତ ଇତିହାସ ଭିତରେ ଭିଏତନାମରୁ ସୈନ୍ୟ ପ୍ରତ୍ୟାହାର ଏକ ଚର୍ଚ୍ଚିତ ଅଧ୍ୟାୟ । ଆଫଗାନିସ୍ତାନଠାରୁ ୫ ଗୁଣ ସେନା ଧରି ଆମେରିକା ଭିଏତନାମରେ ବୋମାବର୍ଷୀ ବିମାନଠାରୁ ଆରମ୍ଭ କରି ଯାବତୀୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲେ ମଧ୍ୟ ଉତ୍ତର ଭିଏତନାମର କମୁ୍ୟନିଷ୍ଟ ଶାସକଙ୍କୁ ଦବାଇ ପାରିଲାନି । ଅବଶେଷରେ ସ୍ୱଦେଶବାସୀଙ୍କ ଚାପ ନିକଟରେ ଆମେରିକାର ତକ୍ରାଳୀନ ରାଷ୍ଟ୍ରପତି ରିଚର୍ଡ ନିକ୍ସନ ସେନା ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ । ୧୯୭୩ ଜାନୁଆରୀରେ ପ୍ୟାରିସରେ ଆମେରିକା, ଉତ୍ତର ଭିଏତନାମ, ଦକ୍ଷିଣ ଭିଏତନାମ ଓ ଭିଏତକଙ୍ଗ ଭିତରେ ଯେଉଁ ଶାନ୍ତି ବୁଝାମଣା ହୋଇଥିଲା । ତା’ କେବଳ ଆମେରିକାର ସମ୍ମାନରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା ।

ତାଲିବାନ ସହ ଶାନ୍ତି ବୁଝାମଣା କରିବାର ମହାନାଟକ ରଚି ଆମେରିକା ଆଫଗାନିସ୍ତାନରୁ ସେନା ହଟାଇନେଇଛି । ଆମେରିକା ଚାହିଁଥିଲେ, ଆଫଗାନିସ୍ତାନକୁ ପୂର୍ଣ୍ଣ ସୁରକ୍ଷିତ କରି ସେନା ହଟାଇ ପାରିଥାନ୍ତା । କେବଳ ଆମେରିକା ସାହସରେ ବହୁ ଦେଶ ଆଫଗାନିସ୍ତାନର ବିକାଶ କାର୍ଯ୍ୟରେ ଟଙ୍କା ଖଟାଇଛନ୍ତି । 

ଆମେରିକା ସେନା ଭିଏତନାମରୁ ସମ୍ପୂର୍ଣ୍ଣ ଅପସାରଣ ପୂର୍ବରୁ ୧୯୭୩ ମାର୍ଚ୍ଚ ୨୯ ତାରିଖରେ ଉତ୍ତର ଭିଏତନାମ ପୁରାଦମରେ ଦକ୍ଷିଣ ଭିଏତନାମକୁ ଆକ୍ରମଣ କଲା । ୧୯୭୫ ଏପ୍ରିଲ ୩୦ ତାରିଖରେ କମୁ୍ୟନିଷ୍ଟ ଶାସନାଧୀନ ଭିଏତନାମର ସେନାବାହିନୀ ଅତର୍କିତ ଭାବେ ସାଇଗନରେ ପ୍ରବେଶ କରିଥିଲେ । ଫଳରେ ସାଇଗନରେ ରହିଯାଇଥିବା ଆମେରିକା ଯବାନମାନେ ଇତଃସ୍ତତଃ ଭାବେ ଏଣେତେଣେ ଧାଇଁଥିଲେ । 

ସେ ସମୟର ସାଇଗନ ଆଜି ଭିଏତନାମର ରାଜଧାନୀ ହୋ-ଚି-ମିନ ସିଟି ନାମରେ ପରିଚିତ । ହୋ-ଚି-ମିନ ହେଉଛନ୍ତି ଭିଏତନାମର କମୁ୍ୟନିଷ୍ଟ କର୍ଣ୍ଣଧାର । ୧୯୫୫ରୁ ଭିଏତନାମ ଯୁଦ୍ଧର ସୂତ୍ରପାତ ହୋଇଥିଲା । ୧୯୫୪ ଜେନେଭା ବୁଝାମଣା ଅନୁଯାୟୀ ଉତ୍ତର ଓ ଦକ୍ଷିଣ ଭିଏତନାମ ପ୍ରତିଷ୍ଠା ହୋଇଥିଲା । କମୁ୍ୟନିଷ୍ଟ ନେତା ହୋ-ଚି-ମିନ ଉତ୍ତର ଭିଏତନାମର ନେତୃତ୍ୱ ନେଉଥିଲେ । ସେହିପରି କ୍ୟାଥଲିକ ରାଷ୍ଟ୍ରବାଦୀ ନେତା ନଗୋ ଦିହ୍ନ ଦିମ ଦକ୍ଷିଣ ଭିଏତନାମକୁ ଶାସନ କରୁଥିଲେ । ୧୯୫୫ରେ ଉତ୍ତର ଭିଏତନାମ ଦକ୍ଷିଣ ଭିଏତନାମକୁ ଆକ୍ରମଣ କରିବାରୁ ଆମେରିକା ବିଶ୍ୱପୃଷ୍ଠରୁ କମୁ୍ୟନିଷ୍ଟ ଶାସନକୁ ନିଶ୍ଚିହ୍ନ କରିବା ପାଇଁ ସେନା ପଠାଇବା ଆରମ୍ଭ କଲା । ୧୯୬୭ ବେଳକୁ ଆମେରିକା ଦକ୍ଷିଣ ଭିଏତନାମରେ ପ୍ରାୟ ୫ ଲକ୍ଷ ସେନା ଠୁଳ କରି ସାରିଥିଲା । ମାତ୍ର ଅଟଳ ହୋ-ଚି-ମିନଙ୍କ ନିକଟରେ ଆମେରିକା ଫିକା ପଡ଼ିଯାଇଥିଲା ।

ଏବେ ଆସନ୍ତୁ କୁ୍ୟବାକୁ ଯିବା । ୧୯୫୯ ଜାନୁଆରୀରେ କମୁ୍ୟନିଷ୍ଟ ନେତା ଫିଦେଲ କାଷ୍ଟ୍ରୋ କୁ୍ୟବାର ଏକଚ୍ଛତ୍ରବାଦୀ ଶାସକ ଫୁଲଗେନ୍ସିଓ ବତିସ୍ତାଙ୍କୁ କ୍ଷମତାଚୁ୍ୟତ କରିଥିଲେ । କାଷ୍ଟ୍ରୋ ଲାଟିନ ଆମେରିକାର ବହୁ ଦେଶରେ କମୁ୍ୟନିଷ୍ଟ ଶାସନର ପ୍ରବର୍ତ୍ତକ ଥିଲେ । ସେ ଆମେରିକାକୁ ଖୋଲାଖୋଲି ସମାଲୋଚନା କରୁଥିଲେ । ୧୯୬୧ ଜାନୁଆରୀରେ ଆମେରିକା କୁ୍ୟବା ସହିତ କୂଟନୈତିକ ସମ୍ପର୍କ ଚ୍ଛିନ୍ନ କରିଥିଲା । ଠିକ ତା’ ପରେପରେ ଆମେରିକା ୧୯୬୧ରେ କୁ୍ୟବାକୁ ତିନୋଟି ବିମାନ ପଠାଇ ରକେଟ୍ ମାଡ଼ ଆରମ୍ଭ କରିଦେଲା । ଉକ୍ତ ତିନୋଟି ବିମାନକୁ କୁ୍ୟବାର ପାଇଲଟ୍ ଚଲାଉଥିଲେ । କୁ୍ୟବା ବିଦ୍ରୋହୀଙ୍କୁ ଆମେରିକା ପୂର୍ଣ୍ଣ ସହାୟତା ପ୍ରଦାନ କରିଥିଲା । ଅସ୍ତ୍ରଶସ୍ତ୍ର ଯୋଗାଣ, ଯୁଦ୍ଧକୌଶଳ ତାଲିମ ପ୍ରଦାନ କରିବା ସହିତ ଆପଣା ବିମାନଘାଟି ବ୍ୟବହାର କରିବା ପାଇଁ ଅନୁମତି ଦେଇଥିଲା । ଆମେରିକା ବଳରେ କୁ୍ୟବାର ପ୍ରାୟ ୨୦୦୦ ଲଢ଼ୁଆ ଯୋଦ୍ଧା ଲୁଚିଛପି କୁ୍ୟବା ଉପରେ ଆକ୍ରମଣ କରିଥିଲେ । ମାତ୍ର ଚତୁର କାଷ୍ଟ୍ରୋ ଆଗୁଆ ଖବର ପାଇ ସମୁଦ୍ରରେ ଥିବା ବିଦ୍ରୋହୀଙ୍କ ପୋତକୁ ବୁଡାଇ ଦେଇଥିଲେ । ଠିକ ସମୟରେ ସୋଭିଏତ ସଂଘ କାଷ୍ଟ୍ରୋଙ୍କୁ ସମର୍ଥନ କରି କୁ୍ୟବାରେ ପରମାଣୁ ମିସାଇଲ ଠିଆ କରିଦେଲା । ସୋଭିଏତ ସଂଘକୁ ଠିକଣା ଜବାବ ଦେବାକୁ ଆମେରିକା ନୌସେନା କୁ୍ୟବାକୁ ଚାରିପଟୁ ଘେରାଉ କଲା । ଦୁଇ ମହାଶକ୍ତି ପରମାଣୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିଲା ବେଳେ ହଠାତ୍ ସୋଭିଏତ ସଂଘ ପରମାଣୁ ମିସାଇଲ୍ ହଟାଇବାକୁ ରାଜି ହୋଇଗଲା । ଫଳରେ ପରମାଣୁ ଯୁଦ୍ଧ ଆଶଙ୍କା ଟଳିଗଲା ।

୧୯୯୧ ଜାନୁଆରୀରେ ଆଫ୍ରିକା ଅନ୍ତର୍ଗତ ସୋମାଲିଆରେ ବହୁ ସଶସ୍ତ୍ର ଆତଙ୍କୀ ସଂଗଠନ ରାଷ୍ଟ୍ରପତି ମହମ୍ମଦ ସିୟାଦ ବରେଙ୍କୁ କ୍ଷମତାଚୁ୍ୟତ କରିଥିଲେ । ସୋମଲିଆ ସେନାର ଯବାନମାନେ ଆପଣା ଆପଣା ଗୋଷ୍ଠୀରେ ମିଶିଗଲେ । ସୋମାଲିଆ ସରକାର ବିରୋଧରେ ଗୃହଯୁଦ୍ଧ ଆରମ୍ଭ ହୋଇଗଲା । ରାଜଧାନୀ ମୋଗାଡିସୁରେ ମୁଖ୍ୟ ବିଦ୍ରୋହୀ ଗୋଷ୍ଠୀ ୟୁନାଇଟେଡ୍ ସୋମାଲିଆ କଂଗ୍ରେସ ମଧ୍ୟ ଦୁଇଭାଗରେ ବିଭକ୍ତ ହୋଇଗଲା । ଗୋଟିଏ ଗୋଷ୍ଠୀର ନେତା ଅଲୀ ମେହଦୀ ମୁହମ୍ମଦ ରାଷ୍ଟ୍ରପତି ହେଲେ । ଅନ୍ୟ ଗୋଷ୍ଠୀକୁ ମହମ୍ମଦ ଫରାହ ଅଦିଦି ପରିଚାଳନା କରୁଥିଲେ । ସୋମାଲିଆରେ ହଣାକଟା ଓ ଅରାଜକତା ବ୍ୟାପିବାରୁ ମିଳିତ ଜାତିସଂଘ ପକ୍ଷରୁ ସୋମାଲିଆର ସାଧାରଣ ଜନତାଙ୍କୁ ଖାଦ୍ୟପେୟ, ପୋଷାକପତ୍ର ଓ ଡାକ୍ତରୀ ସେବା ପ୍ରଦାନ କରାଗଲା । ମାତ୍ର ଅଦିଦି ଗୋଷ୍ଠୀ ସେଥିରେ ବାଧା ଦେଉଥିଲେ । ଫଳରେ ଆମେରିକା ଅକ୍ଟୋବର ୩ ତାରିଖରେ ଅଦିିଦିର ଦୁଇଜଣ ଘନିଷ୍ଠ ସହଯୋଗୀଙ୍କୁ ଧରିବା ପାଇଁ ଟାସ୍କ ଫୋର୍ସ ପଠାଇଥିଲା । ଏହି ଆକ୍ରମଣ ଆମେରିକାକୁ କ୍ଷତିରେ ପକାଇଥିଲା । ବିଦ୍ରୋହୀମାନେ ଆମେରିକା ସେନାର ଦୁଇଟି ହେଲିକପ୍ଟରକୁ ଖସାଇଦେଲେ । ବିଦ୍ରୋହୀଙ୍କ ଗରିଲା ଯୁଦ୍ଧ ନିକଟରେ ଆମେରିକା ପଛକୁ ହଟିବାକୁ ବାଧ୍ୟ ହୋଇଥିଲା ।

Related

News