ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପାଇଁ ଦିନଟିଏ

  • 17-Sep-2021
  • Comments


କନ୍ୟା ସଂକ୍ରାନ୍ତି ଦିନ ଭାରତର ବହୁ ଶିଳ୍ପସଂସ୍ଥାରେ ଆଜଦିନ ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ପୂଜାର୍ଚ୍ଚନା କରାଯାଏ । ସୂର୍ଯ୍ୟ ସିଂହରାଶିରୁ କନ୍ୟା ରାଶିକୁ ପ୍ରବେଶ କରିବା ଦିନଟି କନ୍ୟା ସଂକ୍ରାନ୍ତି ଭାବେ ପରିଚିତ । ଭାରତ ଓ ନେପାଳରେ ଏହିଦିନ ଦେବଶିଳ୍ପୀ ବିଶ୍ୱକର୍ମାଙ୍କର ଆରାଧନା କରାଯାଏ । ବେଦ ଲିଖନ ଅନୁସାରେ ପୃଥିବୀର ନିର୍ମାତା ହେଉଛନ୍ତି ବିଶ୍ୱକର୍ମା । ବିଶ୍ୱକର୍ମାଙ୍କ ପିତା ହେଉଛନ୍ତି ପ୍ରଜାପତି ବ୍ରହ୍ମା । ବିଷ୍ଣୁ ପୁରାଣ ଅନୁସାରେ ଅଷ୍ଟମବସୁ ପ୍ରଭାସ ଓ ବୃହସ୍ପତିଙ୍କ ଭଉଣୀ ସ୍ୱୟଂସିଦ୍ଧାଙ୍କ ପୁଅ ବିଶ୍ୱକର୍ମାଙ୍କୁ ଶିଳ୍ପକର୍ମର ସ୍ରଷ୍ଟା ଭାବେ ଧରି ନିଆଯାଏ । ସମସ୍ତ କଳାର ଅଧିକାରୀ ହୋଇଥିବାରୁ ସେ ସ୍ୱର୍ଗଲୋକ, ମର୍ତ୍ତ୍ୟଲୋକ ଓ ପାତାଳଲୋକର ନିର୍ମାତା । ଦେବଦେବୀମାନେ ବ୍ୟବହାର କରୁଥିବା ଆୟୁଧକୁ ବିଶ୍ୱକର୍ମା ତିଆରି କରିଛନ୍ତି । ଭଗବାନ ବିଷ୍ଣୁଙ୍କର ଚକ୍ର, ଶିବଙ୍କର ତ୍ରିଶୂଳ ଓ ଇନ୍ଦ୍ରଙ୍କର ବଜ୍ରକୁ ମଧ୍ୟ ବିଶ୍ୱକର୍ମା ତିଆରି କରିଛନ୍ତି ।
କୁହାଯାଏ, ବିଶ୍ୱକର୍ମାଙ୍କ କନ୍ୟା ସଂଜ୍ଞା ସୂର୍ଯ୍ୟଙ୍କୁ ବିବାହ କରିଥିଲେ । ସଂଜ୍ଞା ସୂର୍ଯ୍ୟଙ୍କ ତାପ ସହ୍ୟ କରି ନପାରିବାରୁ ବିଶ୍ୱକର୍ମା ତାଙ୍କ ଶାଣଚକ୍ରରେ ସୂର୍ଯ୍ୟଙ୍କ ଔଜ୍ଜଲ୍ୟର ଏକ ଅଷ୍ଟମାଂଶ କର୍ତ୍ତନ କରି ସେଥିରେ ବିଷ୍ଣୁଙ୍କ ପାଇଁ ସୁଦର୍ଶନ ଚକ୍ର, ଶିବଙ୍କ ପାଇଁ ତ୍ରିଶୂଳ, କୁବେରଙ୍କ ପାଇଁ ପାଶ ଓ କାର୍ତ୍ତିକଙ୍କ ପାଇଁ ଭାଲ ନିର୍ମାଣ କରିଥିଲେ । ବ୍ରହ୍ମବୈବର୍ତ୍ତ ପୁରାଣ ଅନୁସାରେ ବିଶ୍ୱକର୍ମା ଓ ଅପ୍ସରା ଘୃତାଚୀ ପରସ୍ପରକୁ ଅଭିଶାପ ଦେଇ ମର୍ତ୍ତ୍ୟଲୋକରେ ଜନ୍ମ ନେଇଥିଲେ । ସେମାନଙ୍କଠାରୁ ନବପୁତ୍ର ଜନ୍ମ ହୋଇଥିଲେ । ସେହି ପୁତ୍ରମାନେ ମାଳାକାର, କର୍ମକାର, କଂସେଇ, ଶଙ୍ଖାର କୁମ୍ଭକାର, କୁନ୍ଦବିକ, ସୂତ୍ରଧର, ସ୍ୱର୍ଣ୍ଣକାର ଓ ଚିତ୍ରକାର । ରାମାୟଣ ବର୍ଣ୍ଣନା ଅନୁସାରେ ଘୃତାଚୀ ଓ ବିଶ୍ୱକର୍ମା ମର୍ତ୍ତ୍ୟକୁ ଆସି ବିବାହ କରି ସୁମେରୁ ପ୍ରଦେଶରେ ବାସ କରୁଥିଲେ । ସେମାନଙ୍କଠାରୁ ନଳ ଓ ନୀଳ ନାମକ ଦୁଇଟି ପୁଅ ଜନ୍ମ ହୋଇଥିଲେ । ଏହି ଦୁଇ ପୁଅ ଶ୍ରୀରାମଙ୍କ ସେତୁବନ୍ଧ ନିର୍ମାଣର ମୁଖ୍ୟ ଉପଦେଷ୍ଟା ଥିଲେ ।

Related

News