ଆଜମଗଡ଼ ଉପନିର୍ବାଚନ: ସପା-ବସପା କଳିରୁ ଜିତିଲା ଭାଜପା

  • 27-Jun-2022
  • 0 Comments


ଲକ୍ଷ୍ନୌ: ମାତ୍ର ତିନିମାସ ତଳେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଯେଉଁ କ୍ଷେତ୍ରରୁ ସମାଜବାଦୀ ପାର୍ଟି ବିରାଟ ବିଜୟ ହାସଲ କରିଥିଲା । ଆଜିର ଉପନିର୍ବାଚନ ଫଳାଫଳ ସମାଜବାଦୀ ପାର୍ଟିକୁ ଶକ୍ତ ଧକ୍କା ଦେଇଛି । ସଂକ୍ଷେପରେ କହିଲେ, ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବଙ୍କୁ କଡ଼ା ଜବାବ ଦେବା ସହିତ ବିଜେପି ପ୍ରାର୍ଥୀଙ୍କ ପାଇଁ ବିଜୟର ରାସ୍ତା ସୁଗମ କରିଛି ବହୁଜନ ସମାଜ ପାର୍ଟି । କୁହାଯାଉଛି, ବରିଷ୍ଠ ମୁସଲିମ ନେତା ଆଜମ ଖାନଙ୍କ ସହିତ ମତଭେଦ କାରଣରୁ ଅଖିଳେଶଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ୟୁପିରେ ବିଜେପିକୁ ବିରାଟ ବିଜୟ ମିଳିଥିଲେ ମଧ୍ୟ ଆଜମଗଡ଼ ଅନ୍ତର୍ଗତ ଦଶୋଟି ବିଧାନସଭା ଆସନକୁ ସମାଜବାଦୀ ପାର୍ଟି ଦଖଲ କରିଥିଲା । ସପା ଜିତିଥିବା ଦଶୋଟି ବିଧାନସଭା ଆସନ ଭିତରୁ ପାଂଚୋଟି ଆଜମଗଡ଼ ଲୋକସଭା ଆସନ ଭିତରେ ରହିଛି । ଏହି ପାଂଚୋଟି ଆସନରୁ ସପା ଲକ୍ଷାଧିକ ମୁସଲିମ ଭୋଟ ପାଇଥିଲା । କିନ୍ତୁ ସଂପ୍ରତି ଶେଷ ହୋଇଥିବା ଆଜମଗଡ଼ ଲୋକସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଦିନେଶ ଲାଲ ଯାଦବ ନିରହୁଆ ସପା ପ୍ରାର୍ଥୀ ଧର୍ମେନ୍ଦ୍ର ଯାଦବଙ୍କୁ ୮୦୦୦ ଭୋଟ ବ୍ୟବଧାନରେ ପରାସ୍ତ କରିଚନ୍ତି ।
ବିଜେପିର ନିରହୁଆ ଓ ସପାର ଧର୍ମେନ୍ଦ୍ର ତିନି ଲକ୍ଷରୁ ଅଧିକ ଭୋଟ ପାଇଥିଲା ବେଳେ ବିଏସପିର ଗୁଡୁ ଜମାଲି ଅଢ଼େଇ ଲକ୍ଷରୁ ଅଧିକ ଭୋଟ ସାଉଁଟିଥିଲେ । ଆଜମଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଗୋପାଲପୁର, ସଗଡ଼ି, ମୁବାରକପୁର, ଆଜମଗଡ଼ ଓ ମେହନଗର ବିଧାନସଭା ଆସନରେ ବିଜେପିକୁ ଅଧିକ ଭୋଟ ମିଳିଛି । ଏହି ପାଂଚୋଟି ଆସନରେ ସପାକୁ ଅଧିକ ୧୦୬୧୧୦ ଭୋଟ ମିଳିଥିଲା । ମାତ୍ର ଉପନିର୍ବାଚନରେ ଧର୍ମେନ୍ଦ୍ର ଯାଦବ ତାଙ୍କ ଭାଇ ଅଖିଳେଶଙ୍କ ଜୈତ୍ର ବାନାକୁ ବଜାୟ ରଖିପାରିଲେନି । ବହୁ ଆଶା କରି ଅଖିଳେଶ ତାଙ୍କ ଭାଇଙ୍କୁ ଆଜମଗଡ଼ରୁ ପ୍ରାର୍ଥୀ କରିଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ଅଖିଳେଶ ଯାଦବ ବିଜେପିର ନିରହୁଆଙ୍କୁ ୨୫୯୮୭୪ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । ଶୁଣିବାକୁ ମିଳେ, ବିଜେପିର ନିରହୁଆଙ୍କୁ ଯାଦବ ସମୁଦାୟ ଭୋଟ ମିଳିଥିଲା ବେଳେ ବିଏସପିର ଗୁଡୁଙ୍କୁ ମୁସଲିମ ଭୋଟ ମିଳିଗଲା । ଫଳରେ ଅଖିଳେଶଙ୍କୁ ଶୋଚନୀୟ ହାର ଦେଖିବାକୁ ପଡ଼ିଚି ।

Related

News