ମାସ ଚାରିଟାରେ ଶକ୍ତିଶାଳୀ ରାଜପକ୍ଷ ପରିବାର ଚିତ୍

  • 14-Jul-2022
  • 1 Comments


  TUKU

good

ମନେପଡ଼େ, ୧ ମାର୍ଚ୍ଚ ୨୦୨୨ ଦିନର ସେ ଦୃଶ୍ୟ । ଶ୍ରୀଲଙ୍କାର କୋହୁବାଲା ସହରରେ ରହୁଥିବା ଛଅ ଜଣ ଯୁବକ ହାତରେ ମହମବତୀ ଓ ପୋଷ୍ଟର ଧରି ରାସ୍ତାକୁ ଓହ୍ଲାଇଥିଲେ । ରାଜପକ୍ଷ ପରିବାର ବିରୋଧରେ ପ୍ରତିବାଦ କରିବାର ସାହସ ଦେଖାଇଥିବା ଛଅ ଜଣ ଯାକ ଯୁବକ ସୂଚନା ପ୍ରଯୁକ୍ତି ଓ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ପାରଙ୍ଗମ । ସେମାନଙ୍କ ଅଭିଯୋଗ ଅତି ମାମୁଲି, ସେମାନେ ରହୁଥିବା ଅଂଚଳରେ ଦିନକୁ ପ୍ରାୟ ଦଶ ଘଂଟା ଧରି ବିଜୁଳି କାଟ ଚାଲିଥିଲା । ରାଜପକ୍ଷ ପରିବାର ଶାସନରେ ଦୀର୍ଘ ସମୟ ଧରି ବିଜୁଳି କାଟକୁ ସାରା ଦେଶ ନିରବରେ ସହି ଯାଉଥିଲା । କିନ୍ତୁ ସହି ପାରିଲେନି ୬ ଜଣ ଶିକ୍ଷିତ ଯୁବକ । ଶକ୍ତିଶାଳୀ ରାଜପକ୍ଷ ପରିବାର ବିରୋଧରେ ପାଟି ଫିଟାଇଲେ କିଛି ଲାଭ ହେବନି କହି ବହୁ ଲୋକ ସଂପୃକ୍ତ ଛଅ ଯୁବକଙ୍କୁ ଉପହାସ କରିଥିଲେ । ସବୁ ଉପହାସକୁ ଗୋଟିଏ କାନରେ ଶୁଣି ଆର କାନରେ ବାହାର କରି ଦେଉଥିଲେ ସଂପୃକ୍ତ ଯୁବକଗଣ । ସମୟ କାହାକୁ ଅପେକ୍ଷା କରେନା, ଦିନ ପରେ ଦିନ ଗଡ଼ିଚାଲିଲା । ଆସିଲା ୧୩ ଜୁଲାଇ ୨୦୨୨, କ୍ଷମତାଶାଳୀ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଜୀବନ ବିକଳରେ ଦେଶ ଛାଡ଼ି ମାଳଦ୍ୱୀପ ଚାଲିଗଲେ । ପରେପରେ ମାଳଦ୍ୱୀପରୁ ସିଙ୍ଗାପୁର ପଳାୟନ । ଅଭାବ ଅନଟନ ଭିତରେ ମାସ ମାସ କଟାଇ ସହିବାର ସୀମା ଟପିଥିବା ହଜାର ହଜାର ଲୋକ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଅକ୍ତିଆର କରିଥିଲେ । ଚାରିମାସ ଭିତରେ ତିନି ତିନି ଥର ଜରୁରୀକାଳୀନ ଶାସନ ଜାରି କରିବାକୁ ପଡ଼ିଛି ।
ଏତେସବୁ ବଖାଣିବା ମୂଳରେ ଗୋଟିଏ ବିଷୟ ପ୍ରତି ଆମେ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛୁ, ତାହା ହେଉଛି ବିଜୁଳି କାଟକୁ ବିରୋଧ କରି ପ୍ରଥମେ ରାଜପକ୍ଷ ପରିବାର ବିରୋଧରେ ରାସ୍ତାକୁ ପାଦ କାଢ଼ିଥିବା ୬ ଜଣ ଯୁବକଙ୍କ ସହିତ ସାଢ଼େ ଦୁଇକୋଟି ଲୋକ ସାମିଲ ହୋଇଯିବାର ଅଭିଯାନ । ଚାରିଟା ମାସ ଭିତରେ ସମୟର ଚକ ଏପରି ଗଡ଼ିଲା ଯେ ରାଜପକ୍ଷ ପରିବାର ହାତରୁ କ୍ଷମତା ଚାଲିଗଲା । ସତ କଥା ହେଉଛି, ସାରାଦେଶକୁ ଆର୍ଥିକ ସଂକଟ ଦେଇ ଗତି କରିବାକୁ ପଡୁଥିଲା । ଶ୍ରୀଲଙ୍କା ରାଜକୋଷରୁ ବିଦେଶୀ ମୁଦ୍ରା ଏକପ୍ରକାର ଖାଲି ହୋଇଯାଇଥିଲା । ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ସାଙ୍ଗକୁ କ୍ଷୀର, ଔଷଧ, ଖାଦ୍ୟପଦାର୍ଥ ସାଙ୍ଗକୁ ଖାଇବା ତେଲ ଓ ପେଟ୍ରୋଲ, ଡିଜେଲ ମଧ୍ୟ ଆମଦାନୀ କରିବାକୁ ପଡ଼ୁଥିଲା । ସମାଜର ସବୁ ବର୍ଗର ଲୋକଙ୍କୁ ନାହିଁ ନାହିଁ ଭିତରେ ରହିବାକୁ ପଡ଼ୁଥିଲା । ଦେଶବାସୀଙ୍କ ମନରେ ଚାପି ରହିଥିବା ରାଗରୋଷ ଅଭିମାନକୁ ବାହାର କରିବା ପାଇଁ ୬ ଜଣ ଯୁବକ ଯଥା ସମୟରେ ମରଣକୁ ବରଣ କରି ରାସ୍ତାକୁ ଓହ୍ଲାଇଥିଲେ । ମାର୍ଚ୍ଚ ୧୩ ତାରିଖରେ ଆରମ୍ଭ ହୋଇଥିବା ୬ ଜଣ ଯୁବକଙ୍କ ସରକାର ବିରୋଧୀ ଅଭିଯାନକୁ ନାପସନ୍ଦ କରିଥିଲେ ଦେଖଣାହାରୀ । କିନ୍ତୁ ବିକ୍ଷୋଭ ପ୍ରଦର୍ଶର୍ନର ଦ୍ୱିତୀୟ ଦିନରେ ସେମାନଙ୍କ ସହ ଯୋଡ଼ି ହୋଇଗଲେ ୫୦ ଲୋକ । ବିଜୁଳି କାଟ ଯନ୍ତ୍ରଣାକୁ ସବୁ ଲୋକ ବରଦାସ୍ତ କରୁଥିଲେ ମଧ୍ୟ ସମସ୍ତଙ୍କ ମନରେ ଥିଲା ପୁଞ୍ଜିଭୂତ ଅସନ୍ତୋଷ । ତେଣୁ ବିକ୍ଷୋଭ ପ୍ରଦର୍ଶନକାରୀଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାକୁ ଲାଗିଲା । କ୍ରିକେଟ୍ ଦୁନିଆର ଜଣାଶୁଣା ଖେଳାଳିମାନଙ୍କ ସମେତ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଲୋକମାନେ ମଧ୍ୟ ରାଜପକ୍ଷ ପରିବାରକୁ ବିରୋଧ କରି ବିକ୍ଷୋଭରେ ସାମିଲ ହେଲେ ।
ଶ୍ରୀଲଙ୍କାକୁ ବିଦେଶୀ ମୁଦ୍ରା ଆସିବାର ପ୍ରମୁଖ କ୍ଷେତ୍ର ହେଉଛି ଆଇଟି । ବିଜୁଳି ବିନା ଆଇଟି କ୍ଷେତ୍ର ଅଚଳ ପ୍ରାୟ । ଆର୍ଥିକ ସଂକଟକୁ ମୁକାବିଲା କରିବାର ସବୁ ବାଟ ବନ୍ଦ ହୋଇଯାଇଥିଲା । ରାଜପକ୍ଷ ସରକାରଙ୍କ ବିରୋଧରେ ପାଟିି ଫିଟାଇବା ପାଇଁ ବିରୋଧୀ ଦଳ ସାହସ ଜୁଟାଇ ପାରୁନଥିଲେ । ସାଧାରଣ ଲୋକଙ୍କ ଦୃଷ୍ଟିରେ ଲୋକଙ୍କ ଅଭାବ ଅସୁବିଧାକୁ ରାସ୍ତାକୁ ଓହ୍ଲାଇବାର ଅଧିକାର କେବଳ ରାଜନୈତିକ ଦଳକୁ ଦିଆଯାଇଛି । ଲୋକମାନଙ୍କ ମନରୁ ସେଭଳି ଭାବନା ଦୂର କରିବା ପାଇଁ ଆମେ ଉପାୟ ବାହାର କଲୁ । ନିରବରେ ପ୍ରତିବାଦ ପ୍ରଦର୍ଶନ କରିବାର ସହଜ ବାଟ ବାଛିନେଲୁ । ମାତ୍ର ଦୁଇସପ୍ତାହ ଭିତରେ  ଦେଶସାରା ପ୍ରତିବାଦ ପ୍ରଦର୍ଶନ ଆରମ୍ଭ ହୋଇଗଲା । ପରେ ଉକ୍ତ ବିକ୍ଷୋଭ ପ୍ରଦର୍ଶନ ଜନ ଆନେ୍ଦାଳନ ରୂପ ନେଲା ।
ସୂଚନା ମୁତାବକ, ୩୧ ମାର୍ଚ୍ଚରେ ରାଜଧାନୀ କଲମ୍ବୋର ମିରିହାନା ଅଂଚଳରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନର ଆୟୋଜନ କରାଯାଇଥିଲା । ଉକ୍ତ ବିକ୍ଷୋଭରେ ହଜାର ହଜାର ସଂଖ୍ୟକ ଲୋକ  ଯୋଗ ଦେଇଥିଲେ । ବିକ୍ଷୋଭ ଦମନ କରିବା ପାଇଁ ରାଜପକ୍ଷ ସରକାର ପୁଲିସକୁ ଆଦେଶ ଦେଲେ । ଆଦେଶ ପାଇ ପୁଲିସ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ଉଭୟ ଲାଠିମାଡ଼ ଓ ଲୁହବୁହା ଗ୍ୟାସ୍ ବ୍ୟବହାର କରିଥିଲା । ପୁଲିସର ଦାଦାଗିରିକୁ ପ୍ରତିବାଦ କରି ବହୁ ବିକ୍ଷୋଭକାରୀ ଜେଲ ବରଣ କଲେ । ବିକ୍ଷୋଭ ସ୍ଥଳୀରେ ଖବର ସଂଗ୍ରହ କରୁଥିବା କିଛି ରିପୋର୍ଟରଙ୍କୁ ମଧ୍ୟ ପୁଲିସ ମାଡ଼ ମାରି ଜେଲକୁ ପଠାଇଥିଲା । ଲୋକଙ୍କ ଏକଜୁଟ ଦେଖି ବିରୋଧୀ ରାଜନୈତିକ ଦଳଗୁଡ଼ିକ ପଦାକୁ ଗୋଡ଼ କାଢ଼ିବାକୁ ଲାଗିଲେ । ପୂର୍ବତନ ରାଷ୍ଟ୍ରପତି ପ୍ରେମଦାସାଙ୍କ ପୁଅ ସଜିତ ପ୍ରେମଦାସା ମଧ୍ୟ ଜନ ଆନେ୍ଦାଳନରେ ସାମିଲ ହୋଇଥିଲେ । କ୍ରିକେଟର ଜୟସୁରିଆ, ସାଙ୍ଗାକାରା, ରଣତୁଙ୍ଗା, ରୋଶନ ମହାନାମା, ମୁରଳୀ ମୁଥୈୟା ମଧ୍ୟ ମଇଦାନକୁ ଓହ୍ଲାଇ ପୁଲିସର ଗିରଫଦାରିକୁ ତୀବ୍ର ସମାଲୋଚନା କରିଥିଲେ ।  ବିକ୍ଷୋଭ ଦମନ କରିବା ପାଇଁ ରାଜପକ୍ଷ ସରକାର ଜରୁରୀକାଳୀନ ଶାସନ ଜାରି କଲେ । ମାତ୍ର ଗୋଟବାୟାଙ୍କ ସବୁ ଉଦ୍ୟମ ବିଫଳ ହେଲା । ରାଜପକ୍ଷ ପରିବାରକୁ କ୍ଷମତାରୁ ତଡ଼ିବା ଦେଶବାସୀଙ୍କର ଏକମାତ୍ର ଉଦେ୍ଦଶ୍ୟ ଥିଲା । ଦେଶର ସମ୍ବିଧାନକୁ ନୂଆ ରୂପ ଦେବା ସହିତ ଶାସନ ବ୍ୟବସ୍ଥାରେ ଆମୂଳଚୁଳ ବଦଳାଇବା ଆଉ ଏକ ପ୍ରମୁଖ ଲକ୍ଷ୍ୟ । 
ରାଜ୍ୟରେ ବିକାଶ ଚାଲିଛି କହି ନବୀନ ସରକାର ଟଙ୍କାକୁ କିଲେ ଚାଉଳ ଦେଇ ଭୋଟ ହାତେଇ ଶାସନ କରିଚାଲିଛି । ଭିନ୍ନଭିନ୍ନ ଯୋଜନାର ବାଟ ଦେଇ ରାଜକୋଷରୁ ବିପୁଳ ଟଙ୍କା ବାହାର କରି ସାଧାରଣ ଲୋକଙ୍କ ପକେଟରେ ପୁରାଇ ଭୋଟ କିଣିବାର ସହଜ ବାଟ ଆପଣାଇ ନବୀନ ପଟ୍ଟନାୟକ ନିରଙ୍କୁଶ ଶାସନ କରୁଛନ୍ତି । ବୁଦ୍ଧିଜୀବୀ ସବୁ ଜାଣି ନିରବ ରହିବାକୁ ବାଧ୍ୟ ହେଉଛି । ପ୍ରତିବାଦ କରୁଥିବା ଲୋକର ମୁହଁ ବନ୍ଦ କରିବା ପାଇଁ ପ୍ରଥମେ ପଦପଦବୀର ମୋହ ଓ ପରେ ପୁଲିସ ପ୍ରଶାସନକୁ ବ୍ୟବହାର କରାଯାଉଛି । ଦେଶରେ  ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ପାଉଥିଲେ ମଧ୍ୟ ସାଧାରଣ ଲୋକଙ୍କ ସ୍ୱାର୍ଥ ପ୍ରତି ଆଖି ବୁଜି ଦେଇଛନ୍ତି ଉଭୟ ମୋଦୀ ସରକାର ଓ ନବୀନ ସରକାର । କେବଳ ସରକାରୀ ଚାକିରିଆଙ୍କ ଉପରେ ମହଙ୍ଗା ମାଡ଼ ପଡୁଥିବାର ଅନୁଭବ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କୁ ମହଙ୍ଗା ଭତା ବୃଦ୍ଧି କରିଛନ୍ତି । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପାଇବାକୁ ଲାଗିଛି । ସରକାରୀ ଶିଳ୍ପ ସଂସ୍ଥାକୁ ଶିଳ୍ପପତିଙ୍କ ହାତକୁ ଟେକି ଦିଆଯାଉଛି । ସୁଶାସନ ଦ୍ୱାହି ଦେଇ ଦେଶରେ କୁଶାସନ ଚାଲିଛି । ଭାରତରେ ଶ୍ରୀଲଙ୍କା ଭଳି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ବେଳ ଥାଉଁ ଥାଉଁ ସରକାର ସଚେତନ ନହେଲେ ଆଗାମୀ ଦିନରେ ବଡ଼ ଧରଣର ଜନ ଆନେ୍ଦାଳନ ଯେ ସୃଷ୍ଟି ନହେବ, କିଏ କହିବ? 

Related

News