ହସ୍ପିଟାଲ ଛାଡ଼ିଲେ ଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ କୁମାର

  • 11-Jun-2021
  • 0 Comments


ଭାରତୀୟ ଚଳଚ୍ଚିତ୍ର ଦୁନିଆର ଲୋକପ୍ରିୟ ଅଭିନେତା ଦିଲ୍ଲୀପ କୁମାରଙ୍କୁ ଶୁକ୍ରବାର ହସ୍ପିଟାଲରୁ ମୁକ୍ତ କରାଯାଇଛି । ତାଙ୍କୁ ଷ୍ଟ୍ରେଚର ଉପରେ ଶୁଆଇ ହସ୍ପିଟାଲ ବାହାରକୁ ଅଣାଯାଇଥିଲା । ତାଙ୍କୁ ମୁହଁରେ ମୁଖା ଲାଗିଥିଲା । ତାଙ୍କ ପତ୍ନୀ ସାଇରାବାନୁ ମିଡିଆ ପ୍ରତିନିଧିଙ୍କୁ ହାତ ହଲାଇ ସାଧୁବାଦ ଜଣାଇବା ସହିତ ସ୍ୱାମୀଙ୍କ ମଥାରେ ଚୁମ୍ବନ ଆଙ୍କି ଦେଉଥିଲେ । ଗତ ୫ ଦିନ ଧରି ୯୮ ବର୍ଷୀୟ ଦିଲ୍ଲୀପ କୁମାର ଚିକିତ୍ସାଧୀନ ଥିଲେ । ରବିବାର ଶ୍ୱାସକ୍ରିୟାରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ ପରୀକ୍ଷା କରିବାରୁ ତାଙ୍କ ଫୁସଫୁସରେ ପାଣି ଜମି ଯାଇଥିବାର ଜଣାପଡ଼ିଥିଲା ।
ଗତମାସରେ ମଧ୍ୟ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  ସେତେବେଳେ ‘ରୁଟିନ୍ ଚେକ୍ ଅପ୍’ କହି ସାଇରା ବାନୋ ବେଶି କିଛି କହି ନଥିଲେ ।
 

ଦିଲ୍ଲୀପ କୁମାରଙ୍କ ଅସଲି ନାମ ମହମ୍ମଦ ୟୁସୁଫ । ସେ ୧୯୪୪ରେ ‘ଜୁଆର ଭଟ୍ଟା’, ‘ଅନ୍ଦାଜ (୧୯୪୯)’, ‘ଆନ (୧୯୫୨)’, ‘ଦେବଦାସ (୧୯୫୫)’, ‘ଆଜାଦ (୧୯୫୫)’, ‘ମୁଗଲ-ଏ-ଆଜମ(୧୯୬୦)’, ‘ଗଙ୍ଗା ଯମୁନା (୧୯୬୧)’, ‘କ୍ରାନ୍ତି (୧୯୮୧)’, ‘କର୍ମା (୧୯୮୬)’ ଓ ‘ସୌଦାଗର (୧୯୯୧)’ ସମେତ ବହୁ  ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ନିଖୁଣ ଅଭିନୟ କରି ସେ ୮ ଥର ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମଫେୟାର ପୁରସ୍କାର ଲାଭ କରିଛନ୍ତି । ହିନ୍ଦୀ ଚଳଚ୍ଚିତ୍ର ଦୁନିଆରେ ଲୋକପ୍ରିୟ ପୁରସ୍କାର ଦାଦା ସାହେବ ଫାଲକେ ପୁରସ୍କାର ପାଇଛନ୍ତି । ୨୦୧୫ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ କରିଛନ୍ତି ।

Related

News