ଅମରନାଥଙ୍କ ଉପରେ କରୋନା କୋପ

  • 21-Jun-2021
  • 0 Comments


ଗତଥର ଭଳି ଏଥର ଯାତ୍ରା ବନ୍ଦ

ବାବା ଅମରନାଥଙ୍କ ଉପରେ କରୋନା କୋପ ପଡ଼ିଛି । ଦ୍ୱିତୀୟ ଥର ପାଇଁ ଅମରନାଥ ଯାତ୍ରାକୁ ବାତିଲ କରିଛନ୍ତି କେନ୍ଦ୍ର ସରକାର । କରୋନା ଟୀକା ଅଭିଯାନ ଆରମ୍ଭ ହୋଇଥିଲେ ମଧ୍ୟ ସରକାର ଅମରନାଥ ଯାତ୍ରାକୁ ବାତିଲ କରିଛନ୍ତି । ଜୁନ ୨୮ରେ ଅମରନାଥ ଯାତ୍ରା ଆରମ୍ଭ ହୋଇ ଅଗଷ୍ଟ ୨୨ ପର୍ଯ୍ୟନ୍ତ ଚାଲିଥାନ୍ତା । କରୋନା ପରିସ୍ଥିତି ନିୟନ୍ତ୍ରଣାଧୀନ ହେବାର ଦେଖି ଅମରନାଥ ପୀଠ ବୋର୍ଡ ଯାତ୍ରା ପାଇଁ ସମୟ ଧାର୍ଯ୍ୟ କରିଥିଲେ । ଏପରିକି ଅନ୍ ଲାଇନରେ ନାମ ପଂଜୀକରଣ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ମାତ୍ର ଦେଶରେ କରୋନାର ଦ୍ୱିତୀୟ ସଂକ୍ରମଣ ବ୍ୟାପିବାରୁ ଶ୍ରଦ୍ଧାଳୁଙ୍କ ଯାତ୍ରାକୁ ବାତିଲ କରି ଦିଆଗଲା । ଏବେ ଶ୍ରଦ୍ଧାଳୁମାନେ ଅନ୍ ଲାଇନରେ ବାବା ଅମରନାଥଙ୍କ ବରଫ ଲିଙ୍ଗକୁ ଦର୍ଶନ କରିପାରିବେ । ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଅମରନାଥ ଯାତ୍ରା ବାତିଲ ସମ୍ପର୍କୀତ ଘୋଷଣା କରିଛନ୍ତି ।
କରୋନା କାରଣରୁ ୨୦୨୦ରେ ମଧ୍ୟ ଅମରନାଥଙ୍କ ଯାତ୍ରାକୁ ବାତିଲ କରାଯାଇଥିଲା । ଏହାଛଡ଼ା ୨୦୧୯ରେ ଜମ୍ମୁ-କଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ପରବର୍ତ୍ତୀ ସ୍ଥିତି ଦୃଷ୍ଟିରୁ ଅମରନାଥଙ୍କ ଯାତ୍ରାକୁ ଅଧାରୁ ବାତିଲ କରାଯାଇଥିଲା । ଫଳରେ ବହୁ ଶ୍ରଦ୍ଧାଳୁ ବାବା ଅମରନାଥଙ୍କ ବରଫ ସ୍ୱରୂପକୁ ଦର୍ଶନ କରିପାରି ନଥିଲେ ।
 

ବାବା ଅମରନାଥଙ୍କ ପୀଠକୁ ଯାଇଥିବା ପାହାଡ଼ିଆ ରାସ୍ତା ବଡ଼ କଠିନ । କଶ୍ମୀରର ବାଲଟାଲ ଓ ପେହଲଗାମରୁ ଯାତ୍ରା ଶୁଭାରମ୍ଭ ହୋଇଥାଏ । ଅନନ୍ତନାଗ ଜିଲ୍ଲାରେ ବାବା ଅମରନାଥଙ୍କ ପୀଠ ଅବସ୍ଥିତ । ଅମରନାଥଙ୍କ ଗୁମ୍ଫାରେ ବରଫରେ ପ୍ରାକୃତିକ ଶିବଲିଙ୍ଗ ତିଆରି ହୋଇଥାଏ । ପ୍ରତିକୂଳ ପାଗ, ବରଫ ଅତଡ଼ା ଖସିବାର ଭୟ, ଅମ୍ଳଜାନ କମିବା ଆଶଙ୍କା ଭଳି ପ୍ରତିବନ୍ଧକ ସତ୍ତ୍ୱେ ଲକ୍ଷାଧିକ ଭକ୍ତ ଅମରନାଥ ଗୁମ୍ଫା ନିକଟରେ ପହଂଚି ବାବାଙ୍କ ବରଫ ଲିଙ୍ଗକୁ ଦର୍ଶନ କରିଥାନ୍ତି ।

Related

News