କୋଲକାତାରେ ନକଲି ଟୀକା କେନ୍ଦ୍ର

  • 26-Jun-2021
  • 0 Comments


ନକଲି ଟୀକା ନେଇ ସାଂସଦ ସଂକ୍ରମିତ

କୋଲକାତାର ଏକ ନକଲି କରୋନା ଟୀକା କେନ୍ଦ୍ରରୁ ଟୀକା ଗ୍ରହଣ କରିବାର ଚାରିଦିନ ପରେ ତୃଣମୂଳ ସାଂସଦ ମିମି ଚକ୍ରବର୍ତ୍ତୀ ସଂକ୍ରମିତ ହୋଇଛନ୍ତି । ଘଟଣାର ଏସଆଇଟି ତଦନ୍ତ ଆରମ୍ଭ କରାଯାଇଛି । ଅଭିଯୁକ୍ତକୁ ଗିରଫ କରାଯିବା ପରେ ତଦନ୍ତ ଅଭିଯାନ ଜୋରଦାର ହୋଇଛି । ଏ ସମ୍ପର୍କରେ ମିମି କହନ୍ତି ଯେ ଟୀକା ନେବାର ଚାରିଦିନ ପରେ ତାଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେଲା । ଦେହରେ ଘନଘନ ଝାଳ ବୋହିବାକୁ ଲାଗିଲା । ଡାକ୍ତରଖାନାରେ ଚିକିତ୍ସିତ ହେବା ପାଇଁ ଅରାଜି ହୋଇ ମିମି ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତି ।    କୋଲକାତା ସହରରେ ନକଲି ଟୀକାକରଣ କେନ୍ଦ୍ର ଖୋଲିଥିବା ସମ୍ପର୍କରେ ସ୍ୱୟଂ ମିମି ଅଭିଯୋଗ କରିଥିଲେ ।  ମିମିଙ୍କ ସୂଚନା ମୁତାବକ ଦେବାଞ୍ଜନ ଦେବ ନାମକ ଜଣେ ବ୍ୟକ୍ତି ନିଜକୁ ଆଇଏଏସ୍ ଅଧିକାରୀ ପରିଚୟ ଦେଇ ତାଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ । ତୃତୀୟ ଲିଙ୍ଗ ଓ ଦିବ୍ୟାଙ୍ଗ ଲୋକଙ୍କ ମନରେ ଟୀକାକରଣ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଅଭିଯୁକ୍ତ ବ୍ୟକ୍ତି ତାଙ୍କୁ ଶିବିରକୁ ଯାଇ ଟୀକା ନେବାକୁ ଅନୁରୋଧ କରିଥିଲେ । ତଦନୁଯାୟୀ ମିମି ଟୀକା କେନ୍ଦ୍ରକୁ ଯାଇ କୋଭିସିଲ୍ଡ ଗ୍ରହଣ କରିଥିଲେ । ମାତ୍ର ମୋବାଇଲରେ କୋୱିନ୍ ସାଇଟରେ ସଂପୃକ୍ତ ଟୀକା କେନ୍ଦ୍ରର ନାଁ ଗନ୍ଧ ନଥିବାରୁ ତାଙ୍କ ମନରେ ସନ୍ଦେହ  ହୋଇଥିଲା । ସେ ପୁଲିସକୁ ଫୋନ୍ କରି ଘଟଣା ବିଷୟରେ ଅଭିଯୋଗ କରିଥିଲେ ।
 

ଅଭିଯୁକ୍ତ ଦେବାଞ୍ଜନଙ୍କ ବୟସ ୨୮ ବର୍ଷ । ତାଙ୍କ ବାପାଙ୍କ ନାମ ମନୋରଞ୍ଜନ ଦେବ । କୋଲକାତାର ଆନନ୍ଦପୁରସ୍ଥିତ ମଦୁରଦାହାରେ ସେମାନଙ୍କ ଘର । ଦେବାଞ୍ଜନ ନିଜକୁ କୋଲକାତା ନଗର ନିଗମର ଯୁଗ୍ମ କମିଶନର ପରିଚୟ ଦେଇଥିଲେ । ପୁଲିସ ଅଭିଯୁକ୍ତଙ୍କଠାରୁ ନକଲି ପରିଚୟ ପତ୍ର, ଭିଜିଟିଙ୍ଗ କାର୍ଡ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶିତ କିଛି ଡକୁମେଂଟ ଜବତ କରିଥିଲା । 

Related

News