ଆଇଏସ୍ ବିରୋଧରେ ଅନ୍ତିମ ଲଢ଼େଇ!

  • 28-Jun-2021
  • 0 Comments


ସିରିଆର କୁର୍ଦ୍ଦିସ ନେତୃତ୍ୱାଧୀନ ବିଦ୍ରୋହୀ ସଂଗଠନ କବଳରେ ୧୦ ହଜାରରୁ ଅଧିକ ଆଇଏସ ଯୋଦ୍ଧା ଥିବା ସମ୍ପର୍କରେ ଆଶଙ୍କା ପ୍ରକାଶ କରିଛି ଆମେରିକା । ସୋମବାର ରୋମରେ ଅନୁଷ୍ଠିତ ଏକ ଅନ୍ତର୍ଜାତୀୟ ବୈଠକରେ ଯୋଗଦେଇ ଆମେରିକାର ପରରାଷ୍ଟ୍ର ସଚିବ ଆଂଟୋନୀ ବ୍ଲିଙ୍କେନ ସିରିଆର ଉତ୍ତରାଂଚଳକୁ ମାଡ଼ି ବସିଥିବା ବିଦ୍ରୋହୀ ସଂଗଠନ ବିରୋଧରେ ଅନ୍ତିମ ଲଢ଼େଇ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ବୈଠକରେ ପ୍ରାୟ ୭୮ ସଭ୍ୟରାଷ୍ଟ୍ର ଯୋଗ ଦେଇଥିଲେ । ବ୍ଲିଙ୍କେନଙ୍କ ମତରେ ଆଇଏସ୍ ବିଦ୍ରୋହୀଙ୍କ ଉତ୍ପାତ ଅସହ୍ୟ ହେଲାଣି । ଉକ୍ତ ସଂଗଠନର ଅସ୍ତିତ୍ୱ ସାରାବିଶ୍ୱ ପାଇଁ ମହାବିପଦ । ତା’କୁ ସମୂଳେ ଲୋପ କରିବାକୁ ହେବ । ଲୋପ କରା ନଗଲେ, ଅନ୍ୟ ଦେଶଗୁଡ଼ିକ କରିବାକୁ ହେବ । ମାର୍ଚ୍ଚରେ ପ୍ରକାଶିତ ଅନ୍ତର୍ଜାତୀୟ ମାନବିକ ଅଧିକାର ସଂଗଠନ ରିପୋର୍ଟ ଅନୁସାରେ ସିରିଆନ ଡେମୋକ୍ରାଟିକ୍ ଫୋର୍ସ କବଳରେ ଏବେ ମହିଳା ଓ ଶିଶୁୁଙ୍କୁ ମିଶାଇ ୬୩ ହଜାରରୁ ଅଧିକ ପଣବନ୍ଦୀ ଅଛନ୍ତି ।

ବିଦ୍ରୋହୀ ସଂଗଠନ ତିଅରି କରିଥିବା ଦୁଇଟି ଅଟକ ଶିବିରରେ  ପଣବନ୍ଦୀଙ୍କୁ ରଖାଯାଇଛି । ପୁରୁଷ ପଣବନ୍ଦୀଙ୍କ ହାତରେ ବନ୍ଧୁକ ଧରାଇ ଲଢ଼ିବା ପାଇଁ ବାଧ୍ୟ କରାଯାଉଛି । ଇରାକ ଓ ସିରିଆ ସମେତ ସୁଦୂର ଆଫ୍ରିକାରେ ମଧ୍ୟ ଆଇଏସ ଆତଙ୍କୀ କାୟା ବିସ୍ତାର କରିଛନ୍ତି । 
ଆମେରିକା ମତରେ ଆତଙ୍କୀ ସଂଗଠନ ସହିତ ଆଉ ଖୋଲା ଆଲୋଚନା ସମ୍ଭବ ନୁହେଁ । ସେମାନଙ୍କର ମୂଳୋତ୍ପାଟନ ହିଁ ଏକମାତ୍ର ବିକଳ୍ପ । କିଛିଦିନ ପାଇଁ ଯୁଦ୍ଧ କରି ଲମ୍ବା ବିରତି ନେବା ଅପେକ୍ଷା ଏକାଥରକେ ଲମ୍ବା ସଂଘର୍ଷ କରି ବିଶ୍ୱରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରାଯିବା ଉଚିତ । 

Related

News