ପୁଲିସକୁ ଘାଂଟିଲା, ଧରାପଡ଼ିଲା

  • 05-Jul-2021
  • 0 Comments


କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅଂଚଳରେ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଓ ଅଗ୍ନିଶମ ବାହିନୀକୁ ନାକେଦମ ହେବାକୁ ପଡ଼ିଛି । ବେଶ କିଛି ସମୟ ଧରି ସ୍ଥାନୀୟ ଲୋକମାନେ ପୁଲିସ ଓ ଅଭିଯୁକ୍ତର ଲୁଚକାଳି ଖେଳ ଉପଭୋଗ କରିଥିଲେ । ଦୀର୍ଘ ୫ ଘଂଟା ଧରି ଅଭିଯୁକ୍ତ ଜଣକ ପୁଲିସ ଓ ଅଗ୍ନିଶମ ବାହିନୀର ଦକ୍ଷ ବୁଡାଳିଙ୍କୁ ହଲାପଟା କରିଥିଲା । ପୁଲିସ ଏକ ମୂର୍ତ୍ତି ଚୋରି ଘଟଣାର ତଦନ୍ତ କରିବାକୁ ଯାଇ ନାହିଆଡ଼ିଆ ନିବାସୀ ପ୍ରଫୁଲ୍ଲ ମଳିକ ଓରଫ ଭରତକୁ ଖୋଜିଥିଲା । ଖବର ପାଇ ଭରତ ବ୍ରାହ୍ମଣୀ ନଦୀକୁ ଡେଇଁ ପହଁରି ପହଁରି ଆରପାରିକୁ ପଳାଇବାକୁ ଉଦ୍ୟମ କରିଥିଲା । ଗ୍ରାମବାସୀଙ୍କ ସହାୟତାରେ ପୁଲିସ ନଦୀର ଉଭୟପଟକୁ ଘେରାଉ କରିଥିଲା । ପୁଲିସଠାରୁ ସୂଚନା ପାଇ ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଂଚିଥିଲେ । ଯନ୍ତ୍ରଚାଳିତ ଡଙ୍ଗାରେ ଅଗ୍ନିଶମ କର୍ମଚାରୀମାନେ ନଈ ଭିତରେ ଭରତର ପିଛା କରିଥିଲେ ।

ମାତ୍ର ଭରତ ନଈର ତଳମୁହଁ ଆଡ଼କୁ ପହଁରି ଏକ ଅତଡ଼ା ଉହାଡ଼ରେ ଲୁଚି ଯାଇଥିଲା । ଅଗ୍ନିଶମ କର୍ମଚାରୀ ସେଠାରେ ପହଂଚିବା କ୍ଷଣି ଭରତ ପୁଣି ଗଭୀର ପାଣିକୁ ପଳାଉଥିଲା । ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏ ନଈ ଭିତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଶେଷରେ ଭରତ ଅଗ୍ନିଶମ କର୍ମଚାରୀଙ୍କ ହାତରେ ଧରାପଡ଼ିଥିଲା । 
ପୁଲିସ ଭରତ ପାଖରୁ ଏକଫୁଟ ଉଚ୍ଚର ରାମ, ଲକ୍ଷ୍ମଣ ଓ ସୀତାଙ୍କ ମୂର୍ତ୍ତି ଉଦ୍ଧାର କରିଛି । ମୂର୍ତ୍ତିଗୁଡ଼ିକର ଓଜନ ପ୍ରାୟ ୧୦ କିଲୋ ହେବ । ଏହାବାଦ ଭରତଠାରୁ ଗୋଟିଏ ପିତ୍ତଳ ଢାଳ, ଘଂଟି, ଦୀପ, ଥାଳି,  ତମ୍ବା ଥାଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଅଭିଯୁକ୍ତ ଭରତକୁ କୋର୍ଟ ଚାଲାଣ କରାଯିବା ସହ ରାମ ମନ୍ଦିର ପରିଚାଳନା କମିଟିକୁ  ଉଦ୍ଧାର ସାମଗ୍ରୀ ହସ୍ତାନ୍ତର କରାଯାଇଛି ।

Related

News