ମାତିଲାରେ ତୃତୀୟ ଲହର

  • 16-Jul-2021
  • 0 Comments


ଦିନକୁ ୩୬ରୁ ୫୬ ହଜାର ଆକ୍ରାନ୍ତ
ଆମେରିକା-ବ୍ରିଟେନରେ ଦୁଇଗୁଣ
ଏସିଆରେ ଇଣ୍ଡୋନେସିଆ କେନ୍ଦ୍ର

ବୁଧବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଘୋଷଣା କରିଛି । ତୃତୀୟ ସଂକ୍ରମଣରେ ଆମେରିକାରେ ସର୍ବାଧିକ ମାମଲା ଚିହ୍ନଟ କରାଯାଇଛି । ବିଗତ ୨୫ ଦିନ ଭିତରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୫୦% ବୃଦ୍ଧି ପାଇଛି । ଟୀକାକରଣ ହାର କମିବାକୁ ଲାଗିଛି । ଟୀକାକରଣ ସତ୍ତ୍ୱେ କରୋନାର ତୃତୀୟ ଲହର ବ୍ୟାପୁଥିବାରୁ ଆମେରିକାରେ ଉଦବେଗ ପ୍ରକାଶ ପାଇଛି । ଏବେ ଇଣ୍ଡୋନେସିଆ ଏସିଆ ମହାଦେଶର ତୃତୀୟ ସଂକ୍ରମଣର କେନ୍ଦ୍ର ପାଲଟିଛି । ସ୍ପେନରେ କରୋନାର ସବୁ ପର୍ଯ୍ୟାୟ ସଂକ୍ରମଣକୁ ଅନୁଧ୍ୟାନ କଲେ, ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୪୪ ହଜାର ମାମଲା ଚିହ୍ନଟ କରାଯାଇଛିି । ରୁଷିଆରେ ଅଧାରୁ ଅଧିକ ଲୋକ କରୋନା ଟୀକା ନେବାକୁ ଅରାଜି । ତୃତୀୟ ଲହରରୁ ଖସିବା ପାଇଁ ବ୍ରିଟେନ ଫ୍ରାନ୍ସକୁ ରେଡ୍ ଲିଷ୍ଟ ଅନ୍ତର୍ଭୁକ୍ତ କରିବାକୁ ବସିଛି ।
ଆମେରିକାରେ ୪୮% ଲୋକ ଟୀକା ନେଇଥିଲେ ମଧ୍ୟ ସେଠାରେ ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଭୟଙ୍କର ରୂପ ନେଇଛି । ଆମେରିକାର ୫୦ଟି ରାଜ୍ୟ ଭିତରୁ ୧୯ଟିରେ ପୁରୁଣା ମାମଲା ତୁଳନାରେ ନୂଆ ମାମଲା ଦୁଇଗୁଣ ହାରରେ ବଢ଼ିଚାଲିଛି । ଦକ୍ଷିଣ କାଲିଫର୍ଣ୍ଣିଆର ଲସ ଏଞ୍ଜଲସରେ ଘର ଭିତରେ ମାସ୍କ ପିନ୍ଧିବାକୁ କଡ଼ା ଆଦେଶ ଦିଆଯାଇଛି । ଏଠାରେ ଜୁନ ୧୬ ତାରିଖରେ ମାସ୍କ ଧାରଣ ଦରକାର ନାହିଁ ବୋଲି ଖୋଦ ପ୍ରଶାସନ ଘୋଷଣା କରିଥିଲା । ଆମେରିକାର ଜନସଂଖ୍ୟା ୩୩ କୋଟି ୬୦ ଲକ୍ଷ ଥିଲାବେଳେ ୧୬ କୋଟି ଲୋକ ଦୁଇଟି ଡୋଜ୍ ଟୀକା ନେଇସାରିଛନ୍ତି । ତଥାପି କରୋନା ଭୟ ସେମାନଙ୍କୁ ଛାଡ଼ିନି ।
 

କରୋନାର ବିଟା ଭାରିଏଂଟ ଏବେ ବ୍ରିଟେନରେ ପ୍ରଳୟ ଆରମ୍ଭ କରିଛି । ମାତ୍ର ବ୍ରିଟେନ ଅଯଥାରେ ଫ୍ରାନ୍ସକୁ ଲାଲ ତାଲିକାରେ ଫସାଇବାକୁ ବସିଛି ।  ବିଟା ଭାରିଏଂଟର ପ୍ରଥମ ମାମଲା ଦକ୍ଷିଣ ଆଫ୍ରିକାରେ ଠାବ କରାଯାଇଥିଲା । ମାତ୍ର ତାହା କେତେବେଳେ ବ୍ରିଟେନକୁ ଗ୍ରାସ କଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୁରୁବାର ବ୍ରିଟେନରେ ୪୮ ହଜାରରୁ ଅଧିକ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି । ୨୭ କୋଟି ଜନସଂଖ୍ୟା ବିଶିଷ୍ଟ ଇଣ୍ଡୋନେସିଆ ଏବେ ଏସିଆର ମୁଣ୍ଡ ବିଗାଡ଼ି ଦେଇଛି । ଭାରତ ତୁଳନାରେ ସେଠାରେ ଦୈନିକ ସଂକ୍ରମଣ ସଂଖ୍ୟା ବଢ଼ିଚାଲିଛି । ଗୁରୁବାର ଭାରତରେ ୩୯ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଇଣ୍ଡୋନେସିଆରେ ୫୬ ହଜାର ୭୫୭ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।

Related

News