ଆସାମ-ମିଜୋରାମ ସୀମା ବୁଝାମଣା

  • 06-Aug-2021
  • 0 Comments


ଆର୍ଥିକ କଟକଣା ପ୍ରତ୍ୟାହୃତ
ସୀମାରେ ନିରପେକ୍ଷ ବାହିନୀ

ଗୁରୁବାର କେନ୍ଦ୍ର ମଧ୍ୟସ୍ଥତାରେ ଆସାମ-ମିଜୋରାମ ସୀମା ବିବାଦର ବୁଝାମଣା ସ୍ୱାକ୍ଷରିତ ହୋଇଛି । ବୁଝାମଣା ଅନୁଯାୟୀ ଉଭୟ ରାଜ୍ୟର ସୀମାନ୍ତରେ ବନରକ୍ଷୀ ଓ ପୁଲିସ କର୍ମଚାରୀଙ୍କୁ ହଟାଇ ଦିଆଯିବ । ଅନ୍ତଃରାଜ୍ୟ ସୀମାନ୍ତରେ ନିରପେକ୍ଷ ସୁରକ୍ଷାବାହିନୀ ନିୟୋଜିତ ରହି ଶାନ୍ତିପୂର୍ଣ୍ଣ ଜୀବନଯାପନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । କୌଣସି ପରିସ୍ଥିତିରେ ରାଜପଥ ଅବରୋଧ ଭଳି କାର୍ଯ୍ୟାନୁଷ୍ଠାନ କରାଯିବ ନାହିଁ । ଉଭୟ ରାଜ୍ୟର ସରକାର ପରସ୍ପର ମଧ୍ୟରେ ତିକ୍ତତା ଭୁଲି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରକ୍ଷା କରିବେ ।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିଷ୍ପତ୍ତି ଅନୁସାରେ ଆସାମର କରିମଗଞ୍ଜ, କାଚାର ଓ ହାଇଲାକାଣ୍ଡି ଜିଲ୍ଲାକୁ ମିଜୋରାମର ମମିତ ଓ କୋଲାସିବ ଜିଲ୍ଲା ଲାଗିଛି ।
ଆଇଜଲରେ ଅନୁଷ୍ଠିତ ବୁଝାମଣା ବୈଠକରେ ଉଭୟ ରାଜ୍ୟରୁ ଦୁଇଜଣ ଲେଖାଏଁ କ୍ୟାବିନେଟ୍ ମନ୍ତ୍ରୀ ଯୋଗ ଦେଇଥିଲେ । ଜୁଲାଇ ୨୬ ଗୁଳିକାଣ୍ଡରେ ଆସାମର ୬ ଜଣ ପୁଲିସ କର୍ମଚାରୀ ପ୍ରାଣ ହରାଇବା ଘଟଣାରେ ମିଜୋରାମ ସରକାର ଦୁଃଖପ୍ରକାଶ କରିଛନ୍ତି । ଜୁଲାଇ ୨୯ ତାରିଖରେ ଆସାମ ସରକାର ଜାରି କରିଥିବା କଟକଣାକୁ ପ୍ରତ୍ୟାହାର କରି ନେଇଛନ୍ତି । ଗୁଳିକାଣ୍ଡ ଘଟଣାରେ କ୍ଷୋଭ ପ୍ରକାଶ କରି ଆସାମ ସରକାର ରାଜ୍ୟବାସୀଙ୍କୁ ମିଜୋରାମ ଯାତ୍ରା ପାଇଁ ବାରଣ କରିଥିଲେ । ତା’ ସହିତ ମିଜୋବାସୀଙ୍କ ସହିତ ବ୍ୟବସାୟିକ ସମ୍ପର୍କ ନରଖିବା ପାଇଁ ବାରଣ କରିଥିଲେ । ଏଣିକି ଉଭୟ ରାଜ୍ୟର ବାସିନ୍ଦା ପୂର୍ବଭଳି ଚଳପ୍ରଚଳ କରିବା ସହିତ ବ୍ୟବସାୟ କରିପାରିବେ ।

ଆସାମ ସରକାରଙ୍କ ଆର୍ଥିକ କଟକଣା ଫଳରେ ଜାତୀୟ ରାଜପଥ ୩୦୬ ଉପରେ ମେଡିକାଲ ଓ ଜରୁରୀକାଳୀନ ସାମଗ୍ରୀ ବହନ କରିଥିବା ଶତାଧିକ ଟ୍ରକ ଠିଆ ହୋଇଥିଲା । ଗୁରୁବାର ବୁଝାମଣା ବୈଠକ ପରେ ମିଜୋ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଟ୍ୱିଟ୍ କରି ଦୁଇ ସରକାର ମଧ୍ୟରେ  ଶାନ୍ତିପୂର୍ଣ୍ଣ ବୁଝାମଣା ସ୍ୱାକ୍ଷରିତ ହୋଇଥିବା ସ୍ପଷ୍ଟ କରିଛନ୍ତି ।

Related

News