‘ଆତ୍ମଘାତୀ ଆକ୍ରମଣ କରି ଶାସକଙ୍କୁ ମାରିବୁ’

  • 08-Jun-2022
  • 0 Comments


‘ଆତ୍ମଘାତୀ ଆକ୍ରମଣ କରି ଶାସକଙ୍କୁ ମାରିବୁ’

ଇସଲାମାବାଦ: ଇମ୍ରାନଙ୍କର ସାମାନ୍ୟ କ୍ଷତି ହେଲେ, କ୍ଷମତାସୀନ ସରକାରଙ୍କୁ ଗମ୍ଭୀର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ । ପାକିସ୍ତାନ ତେହେରକି-ଇ-ଇନସାଫ ଦଳ ଟିକେଟରେ କରାଚୀକୁ ନିର୍ବାଚିତ ହୋଇଥିବା ସାଂସଦ ଅତାଉଲ୍ଲାହ ଏଭଳି ଚେତାବନୀ ଦେଇ କହିଛନ୍ତି, ଶରିଫ ସରକାର ଇମ୍ରାନଙ୍କର କେଶକୁ କ୍ଷତି ପହଂଚାଇଲେ, ଦେଶରେ ନିଅାଁ ଜଳିବ । ଦଳୀୟ କର୍ମୀମାନେ ଆତ୍ମଘାତୀ ବୋମାଧାରୀ ସାଜି ଶାସକଙ୍କୁ ମାରିଦେବାକୁ ପଛାଇବେ ନାହିଁ । ଅତାଉଲ୍ଲାହ ଜାରି କରିଥିବା ଏକ ଭିଡିଓ କ୍ଲିପ୍ ଏବେ ସୋସିଆଲ ମିଡିଆରେ ବୁଲୁଛି । ସେ ଏପରି ମନ୍ତବ୍ୟ ଦେବାର କାରଣ ହେଉଛି, ପିଟିଆଇ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଏକ ସମ୍ମିଳନୀରେ ଯୋଗ ଦେଇ କହିଥିଲେ ଯେ ତାଙ୍କୁ ଜେଲକୁ ପଠାଇବା ପାଇଁ ଶେହବାଜ ଶରିଫ ସରକାର ଷଡ଼ଯନ୍ତ୍ର କରୁଛନ୍ତି । ଇମ୍ରାନଙ୍କୁ ମିଛ ମାମଲାରେ ଫସାଇ ଗିରଫ କରି ଜେଲ ପଠାଇ ଦିଆଯିବ । ଅବଶ୍ୟ ଶରିଫ ସରକାର ଏ ସମ୍ପର୍କରେ କୌଣସି ଟିପ୍ପଣୀ ଦେଇନାହାନ୍ତି । କିନ୍ତୁ ପିଟିଆଇ ଅଧ୍ୟକ୍ଷଙ୍କ ସୂଚନା ମୁତାବକ ପିଏମଏଲ-ଏନ୍ ନେତୃତ୍ୱାଧୀନ ସରକାର ସାଧାରଣ ନିର୍ବାଚନ ଘୋଷଣା ନକରିବା ଯାଏ ବିକ୍ଷୋଭ ଜାରି ରହିବ । ଦଳର ଆଇନଜୀବୀଙ୍କ ମଂଚରେ ଉଦବୋଧନ ଦେବା ଅବସରରେ ସେ ପୁଣି କହିଛନ୍ତି, ସେ ଆରମ୍ଭ କରିଥିବା ବିକ୍ଷୋଭ ଦମନ କରିବା ପାଇଁ ସରକାର ଯାବତୀୟ ଫନ୍ଦିଫିକର କରିପାରନ୍ତି ।
 

ବିଦେଶୀ ଶକ୍ତି ବଳରେ କ୍ଷମତାସୀନ ଶରିଫ ସରକାର ତାଙ୍କ ପାଟି ଚୁପ୍ କରିବାକୁ ବସିଛନ୍ତି । ତେଣୁ ଆଗାମୀ ଦିନରେ ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଦଳର କର୍ମୀମାନେ ପ୍ରସ୍ତୁତ ରୁହନ୍ତୁ । ଇମ୍ରାନଙ୍କ ଦୃଢ଼ୋକ୍ତି ହେଲା, ବର୍ତ୍ତମାନର ସରକାର ଏକ ବୈଦେଶିକ ଶକ୍ତିର ଗୋଲାମ ସାଜିଛି । ଦେଶବାସୀଙ୍କୁ ପ୍ରକୃତ ସ୍ୱାଧୀନତାର ସ୍ୱାଦ ଚଖାଇବା ପର୍ଯ୍ୟନ୍ତ ତାଙ୍କ ଦଳ ସଂଗ୍ରାମ ଚାଲୁରହିବ ।

Related

News