ନବୀନ ଅଧ୍ୟାୟରେ ସାଢ଼େ ୮ ଲକ୍ଷ ଗରିବ ହତାଶ

  • 04-Oct-2023
  • 0 Comments


କଥାରେ କହନ୍ତି, ମିଛକୁ ସତ ଭଳି କହି ପାରୁଥିବା ଲୋକ ହିଁ ରାଜନୀତି କରିପାରନ୍ତି । ବିଜୁ ପଟ୍ଟନାୟକ ମିଛ କହିବାରେ ଦକ୍ଷ ଥିଲେ । ତାଙ୍କ ପୁଅ ନବୀନ ପଟ୍ଟନାୟକ ମଧ୍ୟ ମିଛ କହିବାରେ ବାପାଙ୍କୁ ଟପି ଯାଇଛନ୍ତି । ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ହେବା ପରେ ନବୀନ ପଟ୍ଟନାୟକ ତାଙ୍କ ବାପାଙ୍କ ଭଳି ମିଛ କହିବା ଆରମ୍ଭ କଲେ । ସେତେବେଳେ ବିଜେଡି-ବିଜେପି ମିଳିତ ସରକାର ଚାଲିଥିବାରୁ ନବୀନଙ୍କ ମିଛକୁ ଘୋଡ଼ାଇ ଦେଉଥିଲା ବିଜେପି । ନବୀନଙ୍କ ମିଛକୁ ଲୁଚାଇବାର ପରିଣାମ ବିଜେପିକୁ ଭୋଗିବାକୁ ପଡ଼ିଲା । ୨୦୦୯ରେ ନବୀନ ବିଜେପି ସହ ସଂପର୍କ ତୁଟାଇ ନିରଙ୍କୁଶ ଶାସନ କରି ଆସୁଛନ୍ତି । ବିଜେପି ଯେତେ କଳବଳ କୌଶଳ ପ୍ରୟୋଗ କଲେ ମଧ୍ୟ ନବୀନଙ୍କ କେଶାଗ୍ର ଛୁଇଁ ପାରିଲାନି ।

ନବୀନଙ୍କ ଭଳି ଜଣେ ଧୋକାବାଜଙ୍କ ହାତ ମିଳାଇବାର ପରିଣାମ ବିଜେପି ଭୋଗିଲା, ସେଥିରେ ରାଜ୍ୟବାସୀଙ୍କର କିଛି ଯାଏ ଆସେନାହିଁ । କିନ୍ତୁ ‘ଗରିବଙ୍କ ବଳ ବିଜୁ ଜନତା ଦଳ’ ପ୍ରଚାର କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢ଼େ ୮ ଲକ୍ଷ ଗରିବ ପରିବାର ସହିତ ଅବିଚାର କରିଛନ୍ତି । ତା’ର ପ୍ରମାଣ ସିଏଜିଙ୍କ ରିପୋର୍ଟରୁ ମିଳିଛି । ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯେ ଡାହାମିଛ କହିବାରେ ଏକ ନମ୍ବର, ତାହା ଜଣାଇଛି ସିଏଜି ରିପୋର୍ଟ । କେନ୍ଦ୍ର ସରକାରଙ୍କ  ଜନଶୋଷଣ ଯୋଜନାକୁ କାର୍ଯ୍ୟକାରୀ କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତିକି ଆଗ୍ରହ ଦେଖାଇଛନ୍ତି, ଜନକଲ୍ୟାଣମୂଳକ ଯୋଜନା ପ୍ରତି ସେତିକି ଆନ୍ତରିକତା ଦେଖାଇ ନାହାନ୍ତି ।

ସିଏଜିଙ୍କ ରିପୋର୍ଟକୁ ଚାଲେଂଜ କରିବାର ସତ୍ ସାହସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନାହିଁ । ସିଏଜିଙ୍କ ରିପୋର୍ଟ ଅନୁସାରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ୮ ଲକ୍ଷ ୫୯ ହଜାର ପରିବାରକୁ ବଂଚିତ କରିଛନ୍ତି ।
ସବୁଠାରୁ ଦୁଃଖର ବିଷୟ ହେଉଛି, ଗ୍ରାମସଭାରେ ଯୋଉମାନେ ଯୋଗ୍ୟ ହିତାଧିକାରୀ ଭାବେ ଚିହ୍ନଟ ହୋଇଛନ୍ତି । ହିତାଧିକାରୀ ତାଲିକାରେ ସେମାନଙ୍କ ନାମ ନଥିବାର ପ୍ରମାଣ ପାଇଛନ୍ତି ସିଏଜି । ନବୀନ ପଟ୍ଟନାୟକଙ୍କ ମୋ ସରକାର, ଫାଇଭ-ଟି ଭେଳିକି କାରଣରୁ ରାଜ୍ୟର ପ୍ରକୃତ ଗରିବ ପରିବାର ସେମାନଙ୍କ ହକ୍ ପାଇନାହାନ୍ତି । ତା’ ସହିତ ବହୁ ଗରିବଙ୍କ ବାସୋପଯୋଗୀ ଘରଢିହ ଯୋଗାଇ ପାରିନାହାନ୍ତି ନବୀନ ସରକାର ।

ଗରିବଙ୍କ ପାଇଁ ଉଦ୍ଦିଷ୍ଟ ପାଣ୍ଠିକୁ ଅନ୍ୟ ଆକାଉଂଟକୁ ସ୍ଥାନାନ୍ତର କରାଯାଇଛି ।
ନବୀନ ସରକାରଙ୍କ ଟଙ୍କା ହେରାଫେରି ବାବଦକୁ ଆଇସିଆଇସିଆଇ ବ୍ୟାଙ୍କର ଏକ ଆକାଉଂଟକୁ ଧରିଛି ସିଏଜି ଯୋଉଥିରେ ପ୍ରାୟ ୧୮ କୋଟି ଟଙ୍କା ଦେଣନେଣ ହୋଇଛି । ଭାତହାଣ୍ଡିରୁ ଗୋଟିଏ ଚିପିଲା ପରେ ନବୀନଙ୍କ ଗରିବ ମାରଣ ନୀତି ଏବେ ପଦାରେ ପଡ଼ିଛି ।

କେବଳ ଭୋଟ ଖଣ୍ଡିଏ ପାଇବା ଲୋଭରେ ଗରିବ ପରିବାରକୁ ମାଗଣା ଚାଉଳ, କାଳିଆ ଟଙ୍କା, ଛତା, କମ୍ବଳ, ପକେଟ୍ ଖର୍ଚ୍ଚ ଦେଉଛି ନବୀନ ସରକାର । ଏପରିକି ଯୋଗ୍ୟ ହିତାଧିକାରୀଙ୍କୁ ଠିକ୍ ସମୟରେ ଟଙ୍କା ଦେବାକୁ ନବୀନଙ୍କ କର୍ମଚାରୀମାନେ ଟାଳଟୁଳ କରିଛନ୍ତି ।

Related

News