୬୦ ବର୍ଷରେ ୬୦% ଚନ୍ଦ୍ର ଅଭିଯାନ ବିଫଳ

  • 07-Sep-2019
  • 0 Comments


ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ-୨ ଏକରକମର ସଫଳ ହୋଇଛି । ପୂର୍ବ ପ୍ରସ୍ତୁତି ଅନୁସାରେ ସବୁକିଛି ସ୍ୱାଭାବିକ ଥିଲା । ଶନିବାର ରାତି ଗୋଟାଏ ୩୮ ମିନିଟରେ ସାରା ଭାରତଙ୍କ ସମେତ ଇସ୍ରୋ ବୈଜ୍ଞାନିକଙ୍କ ମନରେ ଉକ୍ରଣ୍ଠା ଚରମସୀମାରେ ଥିଲା । ଚନ୍ଦ୍ରପୃଷ୍ଠରୁ ମାତ୍ର ୨ କିଲୋମିଟର ଦୂରରେ ଥିବାବେଳେ ଲ୍ୟାଣ୍ଡର ସହ ଇସ୍ରୋ ନିୟନ୍ତ୍ରଣ କକ୍ଷର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ପରିସ୍ଥିତି ଅନୁଧ୍ୟାନ କରିବା ପରେ ଇସ୍ରୋ ମୁଖ୍ୟ କେ ସିବନ କହିଥିଲେ ଯେ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଦୀର୍ଘ ୪୮ ଦିନର ଚନ୍ଦ୍ରଯାନ-୨ ଯାତ୍ରା ଚନ୍ଦ୍ରଠାରୁ ମାତ୍ର ୨.୧ କିଲୋମିଟର ଦୂରତାରେ ଇସ୍ରୋ ବୈଜ୍ଞାନିକଙ୍କ ସହ ସମ୍ପର୍କ ଛିନ୍ନ କରିଥିଲା । ସମ୍ପୂର୍ଣ୍ଣ ପ୍ରକରଣର ତଥ୍ୟଗୁଡ଼ିକ ତନ୍ନତନ୍ନ କରି ଅନୁଧ୍ୟାନ କଲେ, ପ୍ରକୃତ ଘଟଣା ଜଣାପଡ଼ିବ ବୋଲି କୁହାଯାଉଛି । ଜୁଲାଇ ୨୨ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହକାଶ କେନ୍ଦ୍ରରୁ ୯୭୮ କୋଟିର ଚନ୍ଦ୍ରଯାନ-୨ ମହାକାଶଯାନକୁ ଓଜନଦାର ରକେଟ୍ ଜି ଏସ୍ ଏଲ୍ ଭି ମାର୍କ-୩ ଚନ୍ଦ୍ର ଅଭିମୁଖେ ନେଇଯାଇଥିଲା । ଚନ୍ଦ୍ରଯାନ-୨ରେ ତିନୋଟି ସେଗ୍ମେଣ୍ଟ ଥିଲା । ପ୍ରଥମଟି ଥିଲା, ୨୩୭୯ କିଲୋ ବିଶିଷ୍ଟ ଅର୍ବିଟର (୮ ପେଲୋଡ୍), ୧୪୧୭ କିଲୋବିଶିଷ୍ଟ ବିକ୍ରମ ଲ୍ୟାଣ୍ଡର (୪ ପେଲୋଡ୍ ) ଓ ୨୭ କିଲୋବିଶିଷ୍ଟ ପ୍ରଜ୍ଞାନ ରୋଭର (୨ ପେଲୋଡ୍ ) । ପୃଥିବୀ କକ୍ଷରେ ପ୍ରାୟ ୨୩ ଦିନ ବୁଲିବାପରେ ଅଗଷ୍ଟ ୧୪ରେ ଚନ୍ଦ୍ରଯାନ-୨ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲା । ସେପ୍ଟେମ୍ବର ୨ରେ ଅର୍ବିଟରଠାରୁ ବିକ୍ରମ ଲ୍ୟାଣ୍ଡର୍ ଅଲଗା ହୋଇଥିଲା । ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ଉଦ୍ଦେଶ୍ୟରେ ଭାରତର ଏହା ପ୍ରଥମ ପ୍ରୟାସ ଥିଲା । ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ ଓ ଚୀନ ମହାକାଶଯାନ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲେ ମଧ୍ୟ ଚନ୍ଦ୍ରର ଦକ୍ଷିଣମେରୁ ସମ୍ପର୍କରେ ସେମାନଙ୍କ ନିକଟରେ କୌଣସି ତଥ୍ୟ ନାହିଁ । ଏକମାତ୍ର ଚନ୍ଦ୍ରଯାନ-୨ ଦକ୍ଷିଣମେରୁରେ ଅବତରଣ କରି ବିଶ୍ୱବାସୀଙ୍କୁ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଥାନ୍ତା । ୨୦୦୮ରେ ଭାରତର ଚନ୍ଦ୍ରଯାନ-୧ ମିଶନ ସଫଳ ହୋଇଥିଲା । ଚନ୍ଦ୍ରଯାନ-୨ ମିଶନର ସଫଳତାକୁ ଅତି ନିକଟରୁ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁରେ ଥିଲେ । ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଇସ୍ରୋ ବୈଜ୍ଞାନିକଙ୍କ ମନରେ ସରସତା ନଥିଲା । ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କୁ ଉତ୍ସାହପୂର୍ଣ୍ଣ ଠାଣିରେ କହିଥିଲେ, ଆଗାମୀ ଭବିଷ୍ୟତକୁ ଗୌରବୋଜ୍ଜଳ କରି ଦେଖାଇବାର ସମସ୍ତ ଦକ୍ଷତା ଆପଣମାନଙ୍କ ନିକଟରେ ଅଛି । ଆପଣମାନେ ଏ ଜାତିର ଗର୍ବ । ଭାରତ ଆପଣଙ୍କ ସହିତ ଅଛି । ଭାରତବାସୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆପଣମାନେ ବହୁତ ପରିଶ୍ରମ କରିଛନ୍ତି । ଆପଣମାନଙ୍କର ଅକ୍ଲାନ୍ତ ପରିଶ୍ରମ ଆମକୁ ଚନ୍ଦ୍ରର ଅତି ନିକଟକୁ ନେଇଯାଇଛି । ୨୦୧୯ ଫେବୃଆରୀରେ ଇସ୍ରାଏଲ୍ ଚନ୍ଦ୍ର ଅଭିଯାନ ଆରମ୍ଭ କରି ବିଫଳ ହୋଇଥିଲା । ଇସ୍ରାଏଲ୍ର ମହାକାଶଯାନ ବେରେସିଟ୍ ଫେବୃଆରୀରେ ଚନ୍ଦ୍ର ଅଭିମୁଖେ ଯାଇ ଏପ୍ରିଲରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ସମୟରେ ଧ୍ୱଂସ ପାଇଯାଇଥିଲା । ୧୯୫୮ରୁ ୨୦୧୯ ପର୍ଯ୍ୟନ୍ତ ଭାରତ ସମେତ ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ (ପୂର୍ବର ସୋଭିଏତ୍ ରୁଷ), ଜାପାନ, ୟୁରୋପୀୟନ୍ ୟୁନିଅନ୍, ଚୀନ ଓ ଇସ୍ରାଏଲ୍ ଚନ୍ଦ୍ର ମିଶନରେ ଭାଗ ନେଇଥିବାର ଦେଖାଯାଇଛି । ୧୯୫୮ ଅଗଷ୍ଟ ୧୭ରେ ଆରମ୍ଭ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ ଚନ୍ଦ୍ର ମିଶନ ‘ପାଓନିୟର’ ବିଫଳ ହୋଇଥିଲା । ୧୯୫୯ ଜାନୁଆରୀ ୪ରେ ସୋଭିଏତ୍ ରୁଷ (ଏବେ ରୁଷିଆ)ର ପ୍ରଥମ ଚନ୍ଦ୍ର ମିଶନ ଲୁନା-୧ ଥିଲା । ମହାକାଶଯାନଟି ଚନ୍ଦ୍ରପୃଷ୍ଠ ନିକଟରେ ପହଞ୍ôଚଥିଲେ ମଧ୍ୟ ଅବତରଣ ନକରି କେବଳ ମାତ୍ର ଉଡ଼ାଣ କରି ଲେଉଟି ଆସିଥିଲା । ସୋଭିଏତ୍ ରୁଷର ଷଷ୍ଠ ଚନ୍ଦ୍ର ମିଶନ ସଫଳ ହୋଇଥିଲା । ଅଗଷ୍ଟ ୧୯୫୮ରୁ ନଭେମ୍ବର ୧୯୫୯ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ ୧୪ଥର ଚନ୍ଦ୍ର ମିଶନ କରିଥିଲେ । ସେଥିରୁ କେବଳ ସୋଭିଏତ୍ ରୁଷର ଲୁନା-୧, ଲୁନା-୨ ଓ ଲୁନା-୩ ଚନ୍ଦ୍ର ମିଶନ ସଫଳ ହୋଇଥିଲା । ଜୁଲାଇ ୧୯୬୪ରେ ଯୁକ୍ତରାଷ୍ଟ୍ର ଆମେରିକା ମହାକାଶଯାନ ରେଞ୍ଜର-୭ ଚନ୍ଦ୍ରର ଅତି ନିକଟରେ ପହଞ୍ôଚ ଫଟୋ ଉଠାଇଥିଲା । ୧୯୬୬ ଜାନୁଆରୀରେ ଛଡ଼ାଯାଇଥିବା ସୋଭିଏତ୍ ରୁଷର ଲୁନା-୯ ଚନ୍ଦ୍ରପୃଷ୍ଠରେ ଅବତରଣ କରି ପ୍ରଥମ ଫଟୋ ଉଠାଇ ପୃଥିବୀକୁ ପଠାଇଥିଲା । ତା’ର ଠିକ ୫ ମାସ ପରେ ୧୯୬୬ ମେ’ରେ ଯୁକ୍ତରାଷ୍ଟ୍ର ଆମେରିକାର ସର୍ଭେୟର-୧ ଚନ୍ଦ୍ର ଅଭିମୁଖେ ଯାଇଥିଲା । ଆମେରିକାର ଆପୋଲୋ ୧୧ ମିଶନ ଐତିହାସିକ ଥିଲା । ମହାକାଶଚାରୀ ନିଲ ଆର୍ମଷ୍ଟ୍ରଙ୍ଗ ଓ ଏଡ୍ୱିନ୍ ଆଲଡ୍ରିନ ଚନ୍ଦ୍ରପୃଷ୍ଠରେ ପ୍ରଥମ ଥର ପାଇଁ ପାଦ ରଖିଥିଲେ । ମହାକାଶଚାରୀ ମାଇକେଲ୍ କଲିନ୍ସ ଅର୍ବିଟରକୁ ସମ୍ଭାଳିଥିଲେ ।

 

୧୯୫୮-୭୯ ମଧ୍ୟରେ ସୋଭିଏତ୍ ଓ ଯୁକ୍ତରାଷ୍ଟ୍ର ଆମେରିକା ପ୍ରାୟ ୯୦ଥର ଚନ୍ଦ୍ର ଅଭିଯାନ କରିଥିଲେ । ତେବେ ୧୯୮୦-୮୯  ଦଶନ୍ଧିରେ କୌଣସି ରାଷ୍ଟ୍ର ଚନ୍ଦ୍ର ମିଶନରେ ଭାଗ ନେଇନଥିଲେ । ଜାପାନ, ୟୁରୋପୀୟ ୟୁନିଅନ୍, ଚୀନ, ଭାରତ ଓ ଇସ୍ରାଏଲ୍ ବହୁ ବିଳମ୍ବରେ ଚନ୍ଦ୍ର ଅଭିଯାନରେ ଭାଗ ନେଇଥିଲେ । ଜାନୁଆରୀ ୧୯୯୦ରେ ଜାପାନ ଚନ୍ଦ୍ର ନିକଟକୁ ପ୍ରଥମେ ‘ହିଟେନ୍’ ପଠାଇଥିଲା । ତା’ପରେ ସେପ୍ଟେମ୍ବର ୨୦୦୭ରେ ଜାପାନ ଚନ୍ଦ୍ର ନିକଟକୁ ‘ସେଲେନେ’ ପଠାଇଥିଲା । ୨୦୦୦ରୁ ୨୦୦୯ ମଧ୍ୟରେ ୬ଟି ଚନ୍ଦ୍ର ଅଭିଯାନ ଆରମ୍ଭ ହୋଇଥିଲା । ସେଗୁଡ଼ିକ ହେଲା ୟୁରୋପ (ସ୍ମାର୍ଟ-୧), ଜାପାନ (ସେଲେନେ),  ଚୀନ (ଚାଙ୍ଗ’ଇ-୧), ଭାରତ (ଚନ୍ଦ୍ରଯାନ-୧) ଓ ଯୁକ୍ତରାଷ୍ଟ୍ର ଆମେରିକା (ଲୁନାର ଅର୍ବିଟର ଓ ଲାକ୍ କ୍ରୋସ) । ୨୦୦୯ରୁ ୨୦୧୯ ମଧ୍ୟରେ ସଂଘଟିତ ୧୧ଟି ଚନ୍ଦ୍ର ଅଭିଯାନ ମଧ୍ୟରୁ ୬ଟି ଚୀନ, ୩ଟି ଯୁକ୍ତରାଷ୍ଟ୍ର ଆମେରିକା, ଭାରତ ଓ ଇସ୍ରାଏଲ୍ ଗୋଟିଏ ଲେଖାଏଁ ଅଭିଯାନ କରିଥିଲେ । ୧୯୯୦ ପରଠାରୁ ଆମେରିକା, ଭାରତ, ଜାପାନ, ୟୁରୋପୀୟ ୟୁନିଅନ୍ , ଚୀନ ଓ ଇସ୍ରାଏଲ୍ ୧୯ଟି ଚନ୍ଦ୍ର ଅଭିଯାନ କରିଛନ୍ତି ।

Related

News