ବାଟହୁଡ଼ା ଅର୍ଥନୀତିକୁ ସରକାରୀ ଆଶୀର୍ବାଦ

  • 09-Jun-2021
  • Comments


ସବୁରି ମୂଳରେ ଧନ । ଧନକୁ ଛାଡ଼ି ଦେଇ ଆଉ କୌଣସି କଥା ମନକୁ ଆଣିବା ମୂଲ୍ୟହୀନ । ଧନ ବିନା ଦେଶଦୁନିଆ, ସମାଜ, ପରିବାର ଅର୍ଥହୀନ । ପାଖରେ ଧନ ଥିଲେ, ଚାକିରି, ମୁଣ୍ଡପିଛା ଆୟ, ଲୋକ କଲ୍ୟାଣ ମୂଳକ ଯୋଜନା, ବେପାର ଦୁନିଆ କଥା ବିଚାର କରାଯାଇପାରେ । 

ଭାରତର ଅର୍ଥନୀତି ଏକକ ସଂଖ୍ୟାଗରିଷ୍ଠ ଦଳ ବା ମେଂଟର ଶାସନ ନୀତି ଉପରେ ନିର୍ଭରଶୀଳ । ଲୋକମାନେ କ’ଣ ଖାଇବେ? କେତେ ଟଙ୍କାରେ କେଉଁ ଜିନିଷ କିଣିବେ? କେଉଁ ଶ୍ରେଣୀର ଲୋକଙ୍କ ପକେଟରେ କେତେ ଟଙ୍କା ରହିବା ଦରକାର? କେଉଁ ଲୋକ ହାତରେ ଧନ ରହିବା ଦରକାର? କାହାକୁ ଦେଶର ଶ୍ରେଷ୍ଠ ଧନୀବ୍ୟକ୍ତି ତାଲିକାରେ ସାମିଲ କରାଯିବ? ଏସବୁ ନିଷ୍ପତ୍ତି ସଂସଦରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଦଳ ବା ମେଂଟ ଗ୍ରହଣ କରିଥାଏ । ଦେଶର ଭାଗ୍ୟ ନିୟନ୍ତା ସାଜିଥିବା ଦଳ ବା ମେଂଟ ଲୋକଙ୍କ ହାତକୁ କାମ ଦେଇ ସେମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିକୁ ମଜବୁତ କରୁଛନ୍ତି ଅବା ଅଭିବୃଦ୍ଧି ଆଳରେ ମନକୁ ବୁଝାଇବା ଭଳି ଗାଣିତିକ ସଂଖ୍ୟା ଉଲ୍ଲେଖ କରି ବିକାଶର ଡିଣ୍ଡିମ ପିଟା ଚାଲିଛି । ଆଲୋଚନା କରିବା ।

କଥାରେ ଅଛି, ମାଙ୍କଡ଼ ହାତରେ ଶାଳଗ୍ରାମ । ୨୦୧୪ ପୂର୍ବରୁ ଦେଶର ଅର୍ଥନୀତି ବା ଅଭିବୃଦ୍ଧି ଯୋଉଠି ଥିଲା, ୨୦୨୧ରେ ତା’ର ସ୍ଥିତି ଆହୁରି ଦୟନୀୟ । ସେଥିପାଇଁ କେନ୍ଦ୍ରରେ କ୍ଷମତାସୀନ ମେଂଟ ସରକାର ମହାମାରୀ କରୋନା ମୁଣ୍ଡରେ ସବୁ ଦୋଷ ଲଦି ନିଜକୁ ନିରୀହ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି । ସତକଥା କହିଲେ, ଏଠି ସବୁ ରାଜନୈତିକ ଦଳ ବା ମେଂଟର ଗୋଟିଏ ଲକ୍ଷ୍ୟ ହେଉଛି ଲୋକଙ୍କୁ ସ୍ୱପ୍ନ ଦେଖାଇ ଶାସନ କରିବା । କରୋନା ମହାମାରୀ ୨୦୨୦ ଡିସେମ୍ବରରେ ଭାରତରେ ପ୍ରବେଶ କଲା । କିନ୍ତୁ ଭାରତର ଅର୍ଥନୀତି ୨୦୧୭ରୁ ତଳକୁ ଖସିବା ଆରମ୍ଭ କରିଛି । ରାଷ୍ଟ୍ରୀୟ ପରିସଂଖ୍ୟାନ ତଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦେଲେ, ୨୦୧୬-୧୭ରେ ଦେଶର ଅଭିବୃଦ୍ଧି ହାର ୮.୩% ଥିଲା । ୧୯୭୯-୮୦ ପରଠାରୁ ପ୍ରଥମ ଥର ପାଇଁ ଦେଶର ଅଭିବୃଦ୍ଧି ବିଯୁକ୍ତାତ୍ମକ ସଂଖ୍ୟାକୁ ଛୁଇଁଛି । ୨୦୧୨-୧୩ରେ ଦେଶର ଅଭିବୃଦ୍ଧି ହାର ୧୩.୮% ଥିଲା । ୨୦୨୧ରେ ଦେଶର ଅଭିବୃଦ୍ଧି ହାର ମାଇନସ୍ ୩% କୁ ଖସିବା ମାନେ କ’ଣ କେବଳ କରୋନା ମହାମାରୀ? ସତ କହିଲେ, ୨୦୧୬ ବିମୁଦ୍ରାକରଣ ପରଠାରୁ ଦେଶର ଅର୍ଥନୀତିକୁ ରାହୁ ଗ୍ରାସ କରିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମନ୍ତବ୍ୟ ‘ସୁସଂଗଠିତ ଲୁଣ୍ଠନ ଓ ଆଇନାନୁମୋଦିତ ଭେଳିକିି’ ଯୁକ୍ତିଯୁକ୍ତ ମନେହୁଏ । ବିମୁଦ୍ରାକରଣ ଘୋଷଣା କରି କଳାଧନ ସାମ୍ରାଜ୍ୟକୁ ମୂଳପୋଚ୍ଛ କରିବା ଯେମିତି ତି ଗୋଟିଏ ମହାଭେଳିକି ଥିଲା । ଏକକ କରସେବା ‘ଜିଏସଟି (ଦ୍ରବ୍ୟ ଓ ସେବା ଟିକସ)’ ଘୋଷଣା କରିବା ଆଉ ଗୋଟିଏ ମହାଭେଳିକି ।  ନିକଟରେ ଶେଷ ହୋଇଥିବା ଜିଏସଟି ବୈଠକକୁ ଅଣବିଜେପି ଶାସିତ ରାଜ୍ୟଗୁଡ଼ିକ ‘ମହାନାଟକ’ କହି ଉପହାସ କରିଛନ୍ତି । କେନ୍ଦ୍ରରେ କ୍ଷମତାସୀନ ବିଜେପି ନିଜକୁ ଦୋଷମୁକ୍ତ ବୋଲାଇବା ପାଇଁ ବିଶ୍ୱର ଶକ୍ତିଶାଳୀ ଦେଶଗୁଡ଼ିକର ଅଭିବୃଦ୍ଧି ହାର ଚିତ୍ରର ଆଶ୍ରୟ ନେଇଛି । କରୋନା କବଳରେ ପଡ଼ିବା ପୂର୍ବରୁ ୨୦୨୦ରେ ଯୁକ୍ତରାଷ୍ଟ୍ର ଆମେରିକାର ଅଭିବୃଦ୍ଧି ହାର ମାଇନସ୍ ୩.୫%, ଜର୍ମାନୀର ମାଇନସ୍ ୪.୯%, ଫ୍ରାନ୍ସର ମାଇନସ୍ ୮.୨%, ଚାଇନାର ୨.୩%, ଜାପାନର ମାଇନସ୍ ୪.୮% ଓ ଭାରତର ଅଭିବୃଦ୍ଧି ହାର ମାଇନସ୍ ୭.୩% ଥିଲା । ୨୦୧୬-୧୭ରେ ଦେଶରେ ମୁଣ୍ଡ ପିଛା ଆୟ ୧୦.୬% ଥିଲାବେଳେ ୨୦୨୦-୨୧ରେ ତାହା ମାଇନସ୍ ୫.୪%କୁ ଖସି ଯାଇଥିଲା । ବାଂଲାଦେଶ ଭଳି ଦେଶର ମୁଣ୍ଡ ପିଛା ଆୟ ଭାରତ ତୁଳନାରେ ଅଧିକ ଥିଲା ।

ପେଟ୍ରୋଲ ଓ ଡିଜେଲ ମୂଲ୍ୟକୁ ଆଶାତୀତ ବୃଦ୍ଧି କରିବା କେନ୍ଦ୍ର ସରକାରଙ୍କ ପ୍ରଧାନ ‘ଆମ୍ ଆଦମୀ’ କଲ୍ୟାଣକାରୀ ଯୋଜନା । ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଉପରେ ଲଗାମ ନଟାଣିବା କ୍ଷମତାସୀନ ଦଳର ‘ଅଚ୍ଛେ ଦିନ’ ଏଜେଣ୍ଡା । ଅତ୍ୟାବଶ୍ୟକ ଜିନିଷର ଦରଦାମ ବୃଦ୍ଧି କରି କ୍ଷମତାସୀନ ଦଳ ତା’ର ଲୋକଙ୍କ ପ୍ରତି ଗଭୀର ଶ୍ରଦ୍ଧା ପ୍ରତିପାଦନ କରିଛି । ପ୍ରଧାନମନ୍ତ୍ରୀ ମନକୁ ମନ ‘ଭାଗ୍ୟବାନ’ ବୋଲାଉଛନ୍ତି; ମାତ୍ର ଦରଦାମ ବୃଦ୍ଧି ଉପରେ ଲଗାମ ନ ଲଗାଇବା ନିର୍ବାଚିତ ସରକାରଙ୍କ ଦୁର୍ଭାଗ୍ୟ ନିଶ୍ଚିତ । ଦେଶର ବ୍ୟାଙ୍କିଙ୍ଗ ସିଷ୍ଟମକୁ ଗୁରୁତର କ୍ଷତିଗ୍ରସ୍ତ କରିବା ପଛରେ ଏନଡିଏ ସର୍ବାଧିକ ଓ ଉପା କିୟଦାଂଶ ଦାୟୀ । ରିଜର୍ଭ ବ୍ୟାଙ୍କ ତଥ୍ୟ ମୁତାବକ ଭାରତର ନଷ୍ଟ ପ୍ରାୟ ଋଣବୋଝ ୧୩.୫% । ବେରୋଜଗାରଙ୍କ ସଂଖ୍ୟା କ୍ରମେ ବୃଦ୍ଧି ପାଉଛି । ୧୫ କୋଟି ଲୋକଙ୍କୁ ଚାକିରି ଦେବା ପାଇଁ ବିଜେପି ନିର୍ବାଚନ ଇସ୍ତାହାରରେ ଘୋଷଣା କରିଥିଲା । କିନ୍ତୁ ଏବେ କରୋନା ମହାମାରୀ ଯୋଗୁ ଦେଶରେ ୧୨.୨ କୋଟି ଲୋକ ଚାକିରି ହରାଇଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଜୋର ଜବରଦସ୍ତି ତାଲାବନ୍ଦ ଘୋଷଣାକୁ ଦାୟୀ କରାଯିବା ଯଥାର୍ଥ । କରୋନାର ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ସମୟରେ ତାଲାବନ୍ଦ ଘୋଷଣା କରି ପ୍ରଧାନମନ୍ତ୍ରୀ ପ୍ରବାସୀ ଶ୍ରମିକଙ୍କଠାରୁ ବଂଚିବାର ରାହା ଛଡ଼ାଇନେଲେ । କରୋନା ମହାମାରୀ କିଛି ଲୋକଙ୍କ ଜୀବନ ନେଇ କିଛି ପରିବାର ପାଇଁ ଦୁର୍ଦ୍ଦିନ ଆଣିଥିଲା ବେଳେ ସରକାରଙ୍କ ଲକ୍ ଡାଉନ୍ ଚୋଟରେ ଅଧିକାଂଶ ପରିବାର ଜୀବିକା ହରାଇ ଛଟପଟ ।   ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ପ୍ୟାକେଜ ଘୋଷଣା କଲେ ସତ; ମାତ୍ର ତା’ର ବାସ୍ତବିକ ଥଳକୂଳ ପାଇଲେନି କେନ୍ଦ୍ର ଅର୍ଥମନ୍ତ୍ରୀ । ଏପରିକି ଅର୍ଥ ବିଶେଷଜ୍ଞମାନେ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି । 

ବିଗତ ଚାରିଦଶନ୍ଧି ଭିତରେ ୨୦୨୦-୨୧ ଅର୍ଥନୀତି ସର୍ବାଧିକ ବିପର୍ଯ୍ୟୟ । ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର ଭାରତ’ ଘୋଷଣାରେ କିଛି ସରକାରୀ ଅନୁକମ୍ପା ପ୍ରାପ୍ତ କମ୍ପାନୀ ଲାଭ ପାଇବା ସମ୍ଭାବନା । ମାତ୍ର ଖଟିଖିଆ ଶ୍ରମିକଙ୍କ ଆଖିରୁ ଲୁହ ଶୁଖିବା ଆଶା କ୍ଷୀଣ । 

Related

News