ଧନ୍ୟ ଏ ରାଜ୍ୟର ଭୋଟର

  • 13-Nov-2020
  • Comments


ଦିନେ ଏ ରାଜ୍ୟର ଲୋକମାନେ ଅନ୍ୟ ରାଜ୍ୟର ଲୋକମାନଙ୍କ ପାଇଁ ଉଦାହରଣ ଥିଲେ । ରାଜ୍ୟର ମର୍ଯ୍ୟାଦା ଓ ଗୌରବ ଅକ୍ଷୁଣ୍ଣ ରଖିବା ପାଇଁ ଜୀବନ ଦେବାକୁ ପଛାଉ ନଥିଲେ । ଚାଷକ୍ଷେତରେ କୃଷକ ଓ ଯୁଦ୍ଧକ୍ଷେତ୍ରରେ ସୈନିକ, ଦୁଇଟି ଭୂମିକାକୁ ଅତି ଚମକ୍ରାର ଭାବେ ନିର୍ବାହ କରୁଥିବାରୁ ଏ ରାଜ୍ୟକୁ ଆକ୍ରମଣ କରିବା ପାଇଁ ପଡ଼ୋଶୀୀ ରାଜ୍ୟର ରାଜାମାନେ ଏକାଧିକବାର ଚିନ୍ତା କରୁଥିଲେ । କୁହାଯାଏ, ନଅଙ୍କ ଦୁର୍ଭିକ୍ଷ ସମୟରେ ବି୍ରଟିଶ ସରକାର ଗାଁ ଗଣ୍ଡାରେ ଲୋକମାନଙ୍କ ପାଇଁ ମାଗଣା ଚାଉଳ, କିରାସିନି, ଡାଲି ବାଣ୍ଟିଥିଲେ ମଧ୍ୟ ସ୍ୱାଭିମାନୀ ଓଡ଼ିଆ ସେମାନଙ୍କ ଆଗରେ ହାତ ପତାଇ ନଥିଲା । ବରଂ ହସିହସି ମରିଯିବାକୁ ଉଚିତ ମଣିଥିଲା । କିନ୍ତୁ ସମୟର ପ୍ରବାହରେ ଆଜି ସବୁକିଛି ବଦଳିଯାଇଛି । କିଲୋ ଟଙ୍କାଏ ଚାଉଳ ପାଇଁ ଲୋକମାନେ ନିଜ ପିଲାଙ୍କ ଭବିଷ୍ୟତକୁ ଅନ୍ଧକାରମୟ କରିବାକୁ ପଛାଉନାହାନ୍ତି । କୁକୁର ଆଗରେ ମାଂସ ଖଣ୍ଡଟିଏ ପକାଇ ଡକାୟତମାନେ ସିନ୍ଦୁକ ସଫା କରିବା ପରି ଶାସକଦଳ ଶସ୍ତାରେ ଚାଉଳ ବାଂଟି ଯୋଜନା ଆଳରେ ରାଜକୋଷ ଲୁଟିି ଚାଲିଛନ୍ତି । ନିର୍ବାଚନରେ ୪୩% ଭୋଟ ପାଇଥିଲେ ମଧ୍ୟ ଶାସନ କରୁଛନ୍ତି । ଗଣତନ୍ତ୍ରରେ ସର୍ବାଧିକ ଜନମତ ହାସଲ କରିଥିବା ଦଳକୁ ଶାସନ କରିବାର ସୁଯୋଗ ମିଳିବା କଥା । କିନ୍ତୁ ଦୁଃଖର କଥା, ୪୩% ଭୋଟ ପାଇଥିବା ଦଳ ଶାସନ କରୁଛି । ଏମିତି କାହିଁକି, ସ୍ୱାଧୀନତା ଲାଭ ପରଠାରୁ ଦେଶରେ ଯେତେବାର ନିର୍ବାଚନ ହୋଇଛି, ସବୁଥର ଏକ ତୃତୀୟାଂଶ ଭୋଟର ମତଦାନ କରୁନାହାନ୍ତି । ଏହା ସୁସ୍ଥ ଗଣତନ୍ତ୍ରର ପରିଚୟ ନୁହେଁ । ୧୯୫୦ରେ ଦେଶର ଭୋଟରଙ୍କ ସଂଖ୍ୟା ୨୫ କୋଟି ଥିଲା । ୨୦୧୯ରେ ଭୋଟରଙ୍କ ସଂଖ୍ୟା ୧୨୦ କୋଟିକୁ ଛୁଇଁଥିଲେ ମଧ୍ୟ ଏବେମଧ୍ୟ ଏକ ତୃତୀୟାଂଶ ଭୋଟର ମତଦାନ କରୁନାହାନ୍ତି । ସ୍ୱାଧୀନତା ଲାଭ ସମୟରେ ଦେଶରେ ଶିକ୍ଷିତ ଲୋକଙ୍କ କମ୍ ଥିବାରୁ ଏକ ତୃତୀୟାଂଶ ମତଦାନ କରୁନଥିବା ବୁଝିହେଉଛି । ମାତ୍ର ଏବେ ଶିକ୍ଷିତ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଥିଲେ ମଧ୍ୟ ୨୦୧୯ ନିର୍ବାଚନରେ ଏକ ତୃତୀୟାଂଶ ଭୋଟର ମତଦାନ କରିନଥିଲେ । ଖୋଦ  ନିର୍ବାଚନ କମିଶନ ଓ ନିର୍ବାଚିତ ସରକାର ଏକ ତୃତୀୟାଂଶ ଭୋଟରଙ୍କୁ ବୁଥକୁ ଆଣିବାକୁୁ ସକ୍ଷମ ହୋଇନାହାନ୍ତି । ନିର୍ବାଚିତ ସରକାର ଏହାର ନିରାକରଣ କରିବେନି କାରଣ କଙ୍କଡ଼ାକୁ ଗୋଳିପାଣି ସୁହାଉଛି । ତେବେ ନିର୍ବାଚନ କମିଶନର ଦକ୍ଷତା ବିଷୟରେ କ’ଣ କହିବା । ନିର୍ବାଚନକୁ ଅବାଧ ଓ କଳାଧନରୁ ମୁକ୍ତ ରଖିବା ପାଇଁ ମତଦାନ ବ୍ୟବସ୍ଥାକୁ ଯେତେ ସଂଶୋଧନ କଲେମଧ୍ୟ କମିଶନ ଏ ପର୍ଯ୍ୟନ୍ତ ସକ୍ଷମ ହୋଇନାହିଁ । ଗଣତନ୍ତ୍ର ଶାସନ ଦିଗହରା ହୋଇଯାଇଛି ବୋଲି ସମସ୍ତେ ଗାଇ ବୁଲୁଛନ୍ତି, ମାତ୍ର ତାକୁ ସଂଶୋଧନ କରିବା ପାଇଁ କେହି ଆଗ୍ରହୀ ନୁହନ୍ତି । ଦେଶକୁ ଲୁଟିବା ପାଇଁ ଡକାୟତ ଦଳର ଆବଶ୍ୟକତା ନାହିଁ, ଶୃଙ୍ଖଳିତ ରାଜନୈତିକ ଦଳଟିଏ ଲୋଡ଼ା । ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନରେ କ୍ଷମତାସୀନ ଦଳ ପ୍ରାୟ ୨୦୦ କୋଟି ଟଙ୍କାର ବଜେଟ କରିଥିବା ଶୁଣିବାକୁ ମିଳିଛି । ଉଭୟ ନିର୍ବାଚନ କମିଶନ ଓ ରାଜ୍ୟ ପ୍ରଶାସନ ଏ ସମ୍ପର୍କରେ ଅବଗତ ଥିଲେ ମଧ୍ୟ ନିରୁପାୟ । ଗୋଟିଏ ଦଳର ମୁଖିଆ ଦର୍ଳୀୟକର୍ମୀଙ୍କୁ ଉଦ୍ବୋଧନ ଛଳରେ କହୁଥିବାର ଶୁଣିବାକୁ ମିଳିଥିଲା, କାମଚୋର ଓ ଶାଗପଖାଳଖିଆ ଲୋକ ଥିବା ପର୍ଯ୍ୟନ୍ତ ଆମକୁ କ୍ଷମତାରୁ ହଟାଇବା ଅସମ୍ଭବ । ଏ ରାଜ୍ୟର ଲୋକଙ୍କୁ ଶାଗପଖାଳ ଖୁଆଇ ଦିବାସ୍ୱପ୍ନ ଦେଖାଇ ଭୋଟ ହାତେଇବା ସହଜ ।  ଏ ରାଜ୍ୟର ଲୋକମାନେ ସେମାନଙ୍କ ପିଲାଙ୍କ ଭବିଷ୍ୟତ ପ୍ରତି ଯେତିକି ସଚେତନ ନୁହନ୍ତି । ଟଙ୍କାଏ ମୂଲ୍ୟରେ ଚାଉଳ ପାଇବା ପାଇଁ ଅଧିକ ବ୍ୟଗ୍ର । ଟଙ୍କିକିଆ ଚାଉଳ ଦେଇ ଉକ୍ରଳର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦାଣ୍ଡର ଭିକାରୀ ସଜାଇଦେଲେ ମଧ୍ୟ ଲୋକମାନେ ଉଁ କି ଚୁଁ କହିବେନି । ଧନ୍ୟ ଏ ରାଜ୍ୟର ମହାନ ଭୋଟର । 

Related

News