ଗଣମାଧ୍ୟମର ସ୍ୱାଧୀନତା: ଭାରତରେ ତା’ର ଭୂମିକା

  • 17-Nov-2020
  • Comments


ସାମ୍ବାଦିକତା ଏକ ପୁରାତନ ପେସା ।  କଲମଠାରୁ ଶକ୍ତିଶାଳୀ ଅସ୍ତ୍ର ଏ ଦୁନିଆରେ ନାହିଁ ବୋଲି ବିଶ୍ୱାସ ରହିଛି । ଜାତୀୟ ପ୍ରେସ ଦିବସ ଅବସରରେ ଆମ ସମସ୍ତଙ୍କୁ ସେହି ଅସ୍ତ୍ର ବିଷୟରେ କିଛି ଜାଣିବା ଉଚିତ । ୧୯୬୬ରେ ଭାରତରେ ପ୍ରେସ କାଉନ୍ସିଲ ଅଫ୍ ଇଣ୍ଡିଆ ଗଠନ କରାଗଲା । ଭାରତରେ ଛପା ଯାଉଥିବା ସମ୍ବାଦପତ୍ର ଉପରେ ଗଭୀର ଦୃଷ୍ଟି ରଖିବା ପାଇଁ ପ୍ରେସ କାଉନ୍ସିଲ୍ ପ୍ରତିଷ୍ଠା କରାଯାଇଥିଲା । ଏବେ ଭାରତରେ ଲକ୍ଷାଧିକ ଖବରକାଗଜ ଓ ମାଗାଜିନ ଛପା ଚାଲିଛି । ପ୍ରତିଦିନ ବିଭିନ୍ନ ଭାଷାର ପ୍ରାୟ ୧୭ ହଜାରରୁ ଅଧିକ ସମ୍ବାଦପତ୍ର ଛପାଯାଉଛି । ସର୍ବାଧିକ ସମ୍ବାଦପତ୍ର ବିକି୍ର ହେଉଥିବା ରାଷ୍ଟ୍ର ଭିତରେ ଭାରତର ସ୍ଥାନ ଦ୍ୱିତୀୟ । ପ୍ରଥମରେ ଚୀନ ରହିଛି ।  ଭାରତରେ ପ୍ରାୟ ୪୦୦ରୁ ଅଧିକ ଦିବାରାତ୍ର ସମ୍ବାଦ ଚାନେଲ କାମ କରୁଛି । କେବଳ ସେତିକି ନୁହେଁ, ଭାରତରେ ଦ୍ୱିତୀୟ ସର୍ବାଧିକ ସୋସିଆଲ୍ ମିଡିଆ ଉପଭୋକ୍ତା ଅଛନ୍ତି । ଚୀନରେ ସର୍ବାଧିକ ଲୋକ ସୋସିଆଲ ମିଡିଆ ଦେଖୁଛନ୍ତି । 
ଆଧୁନିକ ଭାରତରେ ୧୭୮୦ରେ ପ୍ରଥମେ ବେଙ୍ଗଲ୍ ଗେଜେଟ୍ ନାମକ ସମ୍ବାଦପତ୍ର ଛାପିଥିଲେ ବି୍ରଟିଶ ନାଗରିକ ଜେମ୍ସ ଅଗଷ୍ଟସ୍ ହିକି । ସ୍ୱାଧୀନତା ଆନେ୍ଦାଳନ ଚାଲିଥିବା କାରଣରୁ ଭାରତରେ ଗଣମାଧ୍ୟମ ପ୍ରକାଶନ ଏତେ ବ୍ୟାପି ନଥିଲା । ମାତ୍ର ଏବେ ଭାରତର ପ୍ରତି କୋଣରେ ଗଣମାଧ୍ୟମ ପହଂଚି ପାରିଛି । ୧୮୫୭ ସିପାହୀ ବିଦ୍ରୋହ ସମ୍ପର୍କରେ ବି୍ରଟିଶ ସମ୍ବାଦପତ୍ର ‘ଦି ଇଲୁଷ୍ଟ୍ରେଟେଡ୍ ଟାଇମ୍ସ’ରେ ପ୍ରକାଶ ପାଇଥିଲା । ୧୮୫୭ ପରେ ଭାରତରେ ଏକାଧିକ ସମ୍ବାଦପତ୍ର ପ୍ରକାଶିତ ହେବାରୁ ତକ୍ରାଳୀନ ବି୍ରଟିଶ ସରକାର ସେଗୁଡ଼ିକ ଉପରେ କଟକଣା ବ୍ୟବସ୍ଥା ଲାଗୁ କଲେ । ସେହି ଧାରା ଏ ପର୍ଯ୍ୟନ୍ତ ଗଡ଼ିଚାଲିଛି । ୧୮୫୯ରେ ବଙ୍ଗ କୃଷକଙ୍କ ବିରାଟ ଆନେ୍ଦାଳନକୁ ସ୍ଥାନୀୟ ସମ୍ବାଦପତ୍ରଗୁୁଡ଼ିକ ଛପାଇ ବି୍ରଟିଶ ସରକାରଙ୍କ କୋପଦୃଷ୍ଟିରେ ପଡ଼ିଲେ । ୧୯୧୦ରେ ପ୍ରେସ ଆଇନ ଗଠନ କରାଯିବା ପରେ  ପ୍ରାୟ ଏକ ହଜାର ସମ୍ବାଦପତ୍ର ନିୟମିତ ଭାବେ ପ୍ରକାଶ ପାଉଥିଲା । ୫୦୦ରୁ ଅଧିକ ସମ୍ବାଦପତ୍ରର ପ୍ରକାଶନ ବନ୍ଦ କରି ଦିଆଗଲା । ବହୁ ସମ୍ବାଦପତ୍ରର ସମ୍ପାଦକ ଓ ମାଲିକଙ୍କୁ ଦେଶଦ୍ରୋହ ଅପରାଧରେ ଜେଲଦଣ୍ଡ ଦିଆଗଲା । ୧୯୧୭ରେ ମହାତ୍ମା ଗାନ୍ଧୀ ସତ୍ୟାଗ୍ରହ ଆନେ୍ଦାଳନ ଆରମ୍ଭ କଲେ । ଭାରତର ପ୍ରମୁଖ ସମ୍ବାଦପତ୍ରଗୁଡ଼ିକ ଉକ୍ତ ଖବର ପ୍ରସାରଣ କଲେ । ଫଳରେ ଦେଶବାସୀଙ୍କ ମନରେ ସ୍ୱାଧୀନତା ଆନେ୍ଦାଳନ ପ୍ରତି ଅନୁରାଗ ଜାତ ହେଲା । ବି୍ରଟିଶ ସରକାର ଦେଶବାସୀଙ୍କ ମନରେ ଉଠିଥିବା ନବ ଜାଗରଣକୁ ବରଦାସ୍ତ କରିବା ସ୍ଥିତିରେ ନଥିଲେ । ତେଣୁ ୧୯୩୧ରେ ଜରୁରୀ ପ୍ରେସ ଆଇନ ପ୍ରଣୟନ କରି ନିୟମିତ ଭାବେ ପ୍ରକାଶ ପାଉଥିବା ଏକ ହଜାର ସମ୍ବାଦପତ୍ର ଉପରେ କଠୋର କଟକଣା ଜାରିକଲେ ।  ୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ସୂତ୍ରପାତ ହେଲା । ବି୍ରଟିଶ ସରକାର ଭାରତର ଅନିଚ୍ଛା ସତ୍ତ୍ୱେ ଉକ୍ତ ଯୁଦ୍ଧ ଭିତରକୁ ଟାଣିନେଲା । ଭାରତୀୟ ସମ୍ବାଦପତ୍ରଗୁଡ଼ିକ ଉକ୍ତ ଖବରକୁ ପ୍ରକାଶ କରିବାକୁ ଲାଗିଲେ । ବିଦେଶରେ ପ୍ରକାଶ ପାଉଥିବା ଖବରକାଗଜଗୁଡ଼ିକ ଉକ୍ତ ଘଟଣାକୁ ଭିନ୍ନରୂପ ଦେବାକୁ ଲାଗିଲେ । ୧୯୩୯ରେ ଭାରତରେ ଅବସ୍ଥାପିତ ଜେଲରେ ସବୁ କଏଦୀମାନେ ଆମରଣ ଅନଶନ ଆରମ୍ଭ କଲେ । ଉକ୍ତ ଖବରକୁ କୌଣସି ସମ୍ବାଦପତ୍ରରେ ନଛପାଇବା ପାଇଁ ବି୍ରଟିଶ ସରାକର କଟକଣା ଜାରି କଲେ । ବି୍ରଟିଶ ସରକାରଙ୍କ ସମସ୍ତ କଟକଣା ସତ୍ତ୍ୱେ କିଛି ସମ୍ବାଦପତ୍ର ଉକ୍ତ ଖବର ଛପାଇଥିଲେ । ମହାତ୍ମା ଗାନ୍ଧୀଙ୍କ ଭାଷଣକୁ ସବୁ ସମ୍ବାଦପତ୍ରଗୁଡ଼ିକ ନିୟମିତ ଭାବେ ପ୍ରକାଶ କରିବାକୁ ଲାଗିଲେ । ଦାଣ୍ଡିମାର୍ଚ୍ଚ ଓ ଭାରତଛାଡ଼ ଆନେ୍ଦାଳନ ଭଳି ଖବରଗୁଡ଼ିକ ସମ୍ବାଦପତ୍ର ମଣ୍ଡନ କଲା । ଶହିଦ ଭଗତ ସିଂହଙ୍କ ପ୍ରତିଟି ଖବରକୁ ଭାରତୀୟ ସମ୍ବାଦପତ୍ରଗୁଡ଼ିକ ଛପାଇଲେ । ବିଶେଷ କରି ଭଗତ ସିଂହଙ୍କୁ ବି୍ରଟିଶ ସରକାରଙ୍କ ତରବରିଆ ଫାଶୀଦଣ୍ଡ ବିଷୟ ଛପାଇ ଭାରତୀୟ ସମ୍ବାଦପତ୍ର ପ୍ରତି ଭାରତୀୟଙ୍କ ମନରେ ନିଆଁ ଲଗାଇଦେଲା । ଚନ୍ଦ୍ରଶେଖର ଆଜାଦଙ୍କ ବଳିଦାନ ସମ୍ପର୍କରେ ଅବଗତ ହେବାପରେ ଭାରତର ଯୁବବର୍ଗ ବି୍ରଟିଶ ସରକାରଙ୍କ ପଦାନତ ହୋଇ ରହିବାକୁ କୁଣ୍ଠାବୋଧ କଲେ । ସ୍ୱାଧୀନତା ଆନେ୍ଦାଳନ ବିରାଟ ରୂପ ନେଲା । ତା’ ପରବର୍ତ୍ତୀ ବିଷୟ ଆପଣମାନେ ଜାଣିଛନ୍ତି । 
୧୯୪୬ରେ ଭାରତରେ ଅନ୍ତରୀଣ ସରକାର ପ୍ରତିଷ୍ଠା କରାଗଲା । ଭାରତ-ପାକିସ୍ତାନ ବିଭାଜନ ପରେ ସମ୍ବାଦପତ୍ରଗୁଡ଼ିକ ଉପରୁ କଟକଣା ହଟାଇ ଦିଆଗଲା । ୯୦ ଦଶକରେ ବୋଫର୍ସ କମାଣ କିଣା, ଗୋଖାଦ୍ୟ ଦୁର୍ନୀତି ଓ ଷ୍ଟକ ମାର୍କେଟ ଜାଲିଆତି ଭଳି ଚର୍ଚ୍ଚିତ ଖବରଗୁଡ଼ିକ ଛପାଯିବା  ଫଳରେ ଭାରତୀୟ ରାଜନୀତି ଉପରେ ତା’ର ପ୍ରଭାବ ପଡ଼ିଲା । ସରକାର ପରିବର୍ତନ ପଛରେ ଗଣମାଧ୍ୟମର ବିରାଟ ଅବଦାନକୁ ସ୍ୱୀକାର କରୁଥିଲେ ମଧ୍ୟ ପରବର୍ତ୍ତୀ ସରକାର ଭାରତୀୟ ଗଣମାଧ୍ୟମ ଉପରେ କଟକଣା ଲଗାଇବାକୁ ଅଣ୍ଟା ଭିଡିଲେ । ସରକାରଙ୍କ କଟକଣାର ଶିକାର ହୋଇ ଭାରତୀୟ ଗଣମାଧ୍ୟମ କିଛି ରାଜନେତାଙ୍କ ଗୋଡ଼ାଣିଆ ହୋଇରହିଲା । ସାମାନ୍ୟ ସ୍ୱାର୍ଥ ଆଶାରେ ଭାରତୀୟ ଗଣମାଧ୍ୟମ ମୁଷ୍ଟିମେୟ ରାଜନେତାଙ୍କ ଗୁଣଗାନ କରିବାକୁ ଲାଗିଲା ଯାହା ଆଜି ପର୍ଯ୍ୟନ୍ତ ଚାଲିଛି । ସାମ୍ବାଦିକତା ତା’ର ମୌଳିକ ଧର୍ମକୁ ହରାଇବସିଲା । ତଥାପି ଗଣମାଧ୍ୟମ ପ୍ରତି ସାଧାରଣ ଲୋକଙ୍କ ମନରେ ଗଭୀର ବିଶ୍ୱାସ ରହିଛି । ଗଣମାଧ୍ୟମରେ ସ୍ୱରୂପରେ ବିରାଟ ପରିବର୍ତନ ଘଟିଲା । ବୈଦୁ୍ୟତିକ ଗଣମାଧ୍ୟମ ଆସିବା ଫଳରେ ପ୍ରଥମ ଥର ପାଇଁ ଦେଶବାସୀ ଘରେ ବସି ଟେଲିଭିଜନରେ ୧୯୯୯ କାରଗିଲ ଯୁଦ୍ଧ ପରିସ୍ଥିତିକୁ ଦେଖିବାକୁ ପାଇଲେ । ପରେପରେ ଭାରତୀୟ ଏୟାର ଲାଇନ୍ସ ବିମାନକୁ ଆତଙ୍କବାଦୀମାନେ ଅପହରଣ କରି କାନ୍ଦାହାର ନେଇଯିବାର ଦୃଶ୍ୟ, ୨୦୦୧ ସେପ୍ଟେମ୍ବରରେ ଆମେରିକାର ପେଣ୍ଟାଗନ ଓ ବିରାଟ ବାଣିଜ୍ୟ କେନ୍ଦ୍ର ଉପରେ ଆତଙ୍କୀ ହମ୍ଲା, ଭାରତର ସଂସଦ ଉପରେ ଆତଙ୍କୀ ଆକ୍ରମଣ ପ୍ରଭୃତି ଘଟଣାକୁ ଲୋକମାନେ ଟିଭି ଓ ଇଣ୍ଟରନେଟ୍ରେ ଦେଖିବାକୁ ପାଇଥିଲେ ।
ଏବେ ଟିଆରପି ମାୟାରେ ଭାରତର ବୈଦୁ୍ୟତିକ ଗଣମାଧ୍ୟମ ପଡ଼ିଛନ୍ତି । ଚାନେଲଗୁଡ଼ିକର ଟିଆରପି ମୋହ ଗଣମାଧ୍ୟମକୁ ସମାଲୋଚନାର ପାତ୍ର କରିଦେଇଛି । ଜେସିକା ଲାଲ ହତ୍ୟା, ଟୁଜି-ସ୍ପେକ୍ଟ୍ରମ ଦୁର୍ନୀତି, କୋଇଲା ଦୁର୍ନୀତି, ସାଧାରଣ ଗୋଷ୍ଠୀକ୍ରୀଡ଼ା ଦୁର୍ନୀତି, ଜନଲୋକପାଳ ଆନେ୍ଦାଳନ ଓ ନିର୍ଭୟା ମାମଲା ଭଳି ଘଟଣାବହୁଳ ତଥ୍ୟ ଲୋକଲୋଚନକୁ ଆସିପାରିଛି ।
ମାତ୍ର ଏହାରି ଭିତରେ ଗଣମାଧ୍ୟମ କ୍ଷେତ୍ର ଏଭଳି କିଛି କାର୍ଯ୍ୟକୁ ଆଦରି ନେଇଛି ଯାହା ଲୋକମାନଙ୍କ ବିଶ୍ୱାସରେ କୁଠାରଘାତ କରିଛି । କିଛି ସାମ୍ବାଦିକମାନେ ମିଡିଆ ହାଉସର ମାଲିକ ହୋଇଯିବା ପରେ ଗଣମାଧ୍ୟମ ଆଜି ବ୍ୟବସାୟରେ ପରିଣତ ହୋଇଛି । ଏବେ ଗଣମାଧ୍ୟମ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି । 

Related

News