ମନ ବିଚଳିତ ନରହୁ

  • 03-Mar-2021
  • 0 Comments


ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କୁ ପ୍ରବଚନ ଦେବାପାଇଁ ଲାହୋରକୁ ଡକାଯାଇଥିଲା । ସମୟ ଭଲ ନଥିବାରୁ ଦୟାନନ୍ଦ ସେଠାରେ ପହଂଚୁ ପହଂଚୁ ଗୋଟିଏ ଦିନ ଡେରି ହୋଇଗଲା । ତଥାପି ସତସଙ୍ଗ ସମାରୋହକୁ ଆସିଥିବା ଲୋକମାନେ ତାଙ୍କ ଆସିବା ବାଟକୁ ଅନାଇ ବସିଥିଲେ । ଦୟାନନ୍ଦଙ୍କ ଅପେକ୍ଷାରେ ଥିବା ଲୋକମାନେ ପ୍ରାର୍ଥନା ଆରମ୍ଭ କରିଦେଲେ । ସମସ୍ତେ ଆଖି ବନ୍ଦ କରି ଧ୍ୟାନ କରିବାକୁ ଲାଗିଲେ । କିଛି ସମୟ ପରେ ସମାବେଶରେ ଦୟାନନ୍ଦ ପ୍ରବେଶ କଲେ । ସ୍ୱାମୀଜୀ ଆସିବା କ୍ଷଣି ସଭାସ୍ଥଳ ଗୁଞ୍ଜରିତ ହେଲା । ଲୋକଙ୍କ ଧ୍ୟାନ ଭାଙ୍ଗିଗଲା । ସମସ୍ତେ ପରସ୍ପରକୁ ଅନାଇବା ସହିତ ସ୍ୱାମୀଜୀଙ୍କୁ ଦେଖି ଠିଆ ହୋଇଗଲେ । 
ମଂଚରେ ପହଂଚି ସ୍ୱାମୀ ଦୟାନନ୍ଦ ସରସ୍ୱତୀ ପ୍ରବଚନ ଦେବା ପୂର୍ବରୁ କହିଲେ, ମୋ ଆସିବା ପୂର୍ବରୁ ଆପଣମାନେ ପ୍ରାର୍ଥନାରେ ଲୀନ ରହି ପରମେଶ୍ୱରଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କରେ ଥିଲେ । ମୋ ଆସିବା ଖବର ଶୁଣି ଆଖି ଖୋଲି ତୁରନ୍ତ ଠିଆ ହୋଇଗଲେ । ମନେରଖନ୍ତୁ, ପ୍ରଭୁଙ୍କ ପୂଜା, ଭକ୍ତି ଅବା ସାଧନା କରୁଥିବା ସମୟରେ ଯିଏ ଆସିଲେ ମଧ୍ୟ ସାମାନ୍ୟ ବିଚଳିତ ହେବା ଅନୁଚିତ । ପରମାତ୍ମାଙ୍କ ଆରାଧନା ସମୟରେ ନିଜ ମନ ଉପରେ ନିୟନ୍ତ୍ରଣ ରଖନ୍ତୁ ।

 

ମୁଁ ଆପଣମାନଙ୍କର ଆଦରଣୀୟ, ମୋତେ ଅଭିନନ୍ଦନ ଜଣାନ୍ତୁ । ମାତ୍ର ପ୍ରଥମେ ପରମେଶ୍ୱରଙ୍କ ଆରାଧନା, ତା’ପରେ ମୋତେ ଶୁଭେଚ୍ଛା ପ୍ରଦାନ କରନ୍ତୁ । ଭବିଷ୍ୟତରେ କେବେ ବି ଏପରି ସମୟ ଆସିଲେ, ପ୍ରଥମେ ପୂଜାପାଠ ଓ ପ୍ରାର୍ଥନା ଶେଷ କରନ୍ତୁ । ତା’ପରେ ଅତିଥିଙ୍କ ପ୍ରତି ଧ୍ୟାନ ଦିଅନ୍ତୁ । ଏକାଗ୍ରତା ବିନା ପୂଜାପାଠର କୌଣସି ମୂଲ୍ୟ ନାହିଁ । ପୂଜା ଓ ଆରାଧନା ସମୟରେ ଘର, ପରିବାର ଓ ଅନ୍ୟ କାମକୁ ମନେ ପକାଇଲେ, ପ୍ରଭୁଙ୍କ ଦିବ୍ୟ କୃପା ମିଳେ ନାହିଁ । ପୂଜା ଶେଷ ନହେବା ପର୍ଯ୍ୟନ୍ତ ସଂସାରର କୌଣସି କାମ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ । 

Related

News