ମଣିଷ ଚାହିଁଲେ, ୧୫୦ ବର୍ଷ ବଂଚିବେ

  • 27-May-2021
  • 0 Comments


ସମସ୍ତ ଜାଣନ୍ତି, ଜନ୍ମ ଓ ମରଣ ଏକାନ୍ତ ସତ୍ୟ । ମାତ୍ର ମରିବାକୁ କେହି ଭଲ ପାଆନ୍ତି ନାହିଁ । ଜୀବନ ପ୍ରତି ସମସ୍ତଙ୍କର ମୋହ ଥାଏ । କଳିଯୁଗରେ ମଣିଷ କେତେ ବର୍ଷ ବଂଚିପାରିବ? ବହୁ ମହାପୁରୁଷମାନେ ଏହାରି ଉପରେ ନାନା ଭବିଷ୍ୟବାଣୀ କରିଛନ୍ତି । ମାତ୍ର  ‘ଯାହା ନଦେଖିବ ଦୁଇ ନୟନେ, ପରତେ ନଯିବ ଗୁରୁବଚନେ’ ନୀତି ପ୍ରତି ଅଧିକ ଦୃଷ୍ଟି ଦେଉଥିବା ବିଜ୍ଞାନ ଯୁଗର ପିଲାମାନଙ୍କ ପାଇଁ ବୈଜ୍ଞାନିକମାନେ ଦୀର୍ଘଦିନ ଧରି ଗବେଷଣା କରିବା ପରେ ନୂତନ ସିଦ୍ଧାନ୍ତ ପ୍ରଦାନ କରିଛନ୍ତି । ବୈଜ୍ଞାନିକଙ୍କ ମତରେ ମଣିଷ ଚାହିଁଲେ, ୧୫୦ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ଓ ନିରାମୟ ଜୀବନ କାଟିପାରିବ । ମାତ୍ର ସେଥିପାଇଁ ତାଙ୍କୁ କେତୋଟି ନୀତି ନିୟମ ମାନି ଚଳିବାକୁ ହେବ । ବୈଜ୍ଞାନିକମାନେ ଏ ଦିଗରେ ମଣିଷର ସାମାଜିକ ଓ ଆର୍ଥିକ ସ୍ଥିତି, ଚାଲିଚଳଣୀ ଓ ଖାଦ୍ୟପେୟ ପ୍ରତି ଆଲୋଚନା କରିଛନ୍ତି । ସଦ୍ୟ ପ୍ରକାଶିତ ନେଚର କମୁନିକେସନ୍ ରିପୋର୍ଟ ଅନୁସାରେ ମଣିଷ ସର୍ବାଧିକ ୧୫୦ ବର୍ଷ ପର୍ଯ୍ୟନ୍ତ ବଂଚି ରହିପାରିବ ।
ଜଣେ ମଣିଷର ଇଛା ସହିତ ତା’ ଶରୀର ସାଧାରଣତଃ କେତେ ବର୍ଷ ପର୍ଯ୍ୟନ୍ତ ତାଳ ଦେଇ ରହିପାରିବ, ତା’ରି ଉପରେ ସିଙ୍ଗାପୁର ବୈଜ୍ଞାନିକମାନେ ମଣିଷର ରକ୍ତ ପରୀକ୍ଷଣ କରିଥିଲେ । ଗବେଷକଙ୍କ ମତରେ ବୟସ ବଢ଼ିବା ସହିତ ମଣିଷର ଶରୀର ଦୁର୍ବଳ ହୋଇଯାଏ । ବଂଚିବାକୁ ଇଛା ଥିଲେ ମଧ୍ୟ ଦୁର୍ବଳ ଶରୀରକୁ ନାନା ରୋଗ ଗ୍ରାସ କରିଥାଏ । ବିଶେଷ କରି ବିଶୁଦ୍ଧ ବାୟୁ,  ସ୍ୱାସ୍ଥ୍ୟକର ଖାଦ୍ୟ, ବିଶୁଦ୍ଧ ପାଣି, ନିର୍ମଳ ପରିବେଶ ଆମ ଶରୀରକୁ ସୁସ୍ଥ ଓ ସତେଜ ରଖିଥାଏ । 
ମାତ୍ର ସବୁବେଳେ ଚିନ୍ତାଗ୍ରସ୍ତ ରହିବା ଫଳରେ ଯେତେ ଧନ ଗଚ୍ଛିତ ରଖିଲେ ମଧ୍ୟ ସୁସ୍ଥ ଶରୀର ସହିତ ଅସୁସ୍ଥ ମନ ତାଳ ମିଳାଇ ଚାଲିପାରେନା । ଚିନ୍ତାଗ୍ରସ୍ତ ମନ ମସିଷ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ, ଫଳରେ ହୃଦଘାତ ଭଳି ମାରାତ୍ମକ ରୋଗ ଶରୀରକୁ କ୍ଷତିଗ୍ରସ୍ତ କରିପାରେ । 
 

ବୈଜ୍ଞାନିକମାନେ ରକ୍ତରେ ଥିବା ‘ଡିଏନଏ’ର କ୍ରମ ବିଭାଜନକୁ ଅନ୍ୟତମ କାରଣ ଦର୍ଶାଇଛନ୍ତି । ‘ଡିଏନଏ’ କ୍ରମ ବିଭାଜନ କାରଣରୁ ନାନା ରୋଗ ଆମ ଶରୀରକୁ କ୍ଷତିଗ୍ରସ୍ତ କରିଥାଏ ।
ବୈଜ୍ଞାନିକମାନେ ରକ୍ତରେ ଥିବା ଶ୍ୱେତ ରକ୍ତକଣିକା, ଲୋହିତ ରକ୍ତକଣିକାକୁ ଗଭୀର ଭାବେ ବିଶ୍ଲେଷଣ କରିଥିଲେ । ମଣିଷ ଶରୀରକୁ କେଉଁ ବୟସରେ କେଉଁ ରୋଗଠାରୁ ଅଧିକ ବିପଦର ଆଶଙ୍କା ଥାଏ, ତା’ର ଏକ ତାଲିକା ପ୍ରସ୍ତୁତ କରିଛନ୍ତି ।  
ଯେଉଁ ମଣିଷକୁ କେବେ ରୋଗ ସଂକ୍ରମଣ କରିନଥାନ୍ତି, ବୁଝିନେବାକୁ ହେବ, ତାଙ୍କର ଖାଦ୍ୟପାନୀୟ ଓ ଦୈନିକ କାର୍ଯ୍ୟଭାର ଭିତରେ ଠିକ୍ ସନ୍ତୁଳନ ରହିଛି । ଅତଏବ, ଏଣିକି ଆମକୁ ଚିନ୍ତାମୁକ୍ତ ରହିବାକୁ ହେବ, ବୟସ ଅନୁସାରେ ଖାଦ୍ୟପାନୀୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିବ । ନିୟମିତ ବ୍ୟାୟାମ, ଶୁଦ୍ଧ ବାତାବରଣ ଆମ ଶରୀରକୁ ୧୨୦ରୁ ୧୫୦ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ରଖିବ ।

Related

News