କରୋନା କୋପ: ବେପରୁଆ ମନୋଭାବ ଦାୟୀ

  • 09-Apr-2021
  • 0 Comments


‘କରୋନା ଟୀକା ନେବାପରେ ଆଉ କରୋନା ଭୂତାଣୁ ସଂକ୍ରମଣ କରିବ ନାହିଁ ବୋଲି ଲୋକଙ୍କ ମନରେ ଗୋଟିଏ ବିରାଟ ଭ୍ରମ ଧାରଣା ସୃଷ୍ଟି ହୋଇଛି । ବାସ୍ତବ କଥା ହେଉଛି, ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକା ନେବାପରେ ହିଁ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।’ ଏଭଳି ମନ୍ତବ୍ୟ ପ୍ରଦାନ କରିଛନ୍ତି ଏମ୍ସ ଡାକ୍ତର ଅଂଜନ ତ୍ରିଖା । ଦେଶରେ କରୋନାର ଦ୍ୱିତୀୟ ସଂକ୍ରମଣ ସ୍ଥିତି କ୍ରମେ ସଂକଟମୟ ହେଉଛି । ରୋଗୀଙ୍କ ପାଇଁ ହସ୍ପିଟାଲରେ ଶଯ୍ୟାର ଅଭାବ ପରିଲକ୍ଷିତ ହେଲାଣି । କରୋନା ଟୀକା ନେବାପରେ ଲୋକଙ୍କ ନିକଟରେ ସଚେତନତାର ଅଭାବ ଦେଖିବାକୁ ମିଳୁଛି । କରୋନାର ଦ୍ୱିତୀୟ ସଂକ୍ରମଣ ବୃଦ୍ଧି ପାଇଁ ଲୋକମାନେ ହିଁ ମୁଖ୍ୟତଃ ଦାୟୀ । ଲୋକମାନେ ଆଉ ମାସ୍କ (ମୁଖା) ଧାରଣ କରୁନାହାନ୍ତି । ସାମାଜିକ ଦୂରତା ରକ୍ଷା କରୁନାହାନ୍ତି । ସାନିଟାଇଜର ନାଁ ଧରୁନାହାନ୍ତି । ପରିଣାମ  ସ୍ୱରୂପ କରୋନାର ଦ୍ୱିତୀୟ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଆଶଙ୍କା ହୋଇଛି । 
 

ଏମ୍ସ ଡାକ୍ତର ତ୍ରିଖାଙ୍କ ମତରେ କୌଣସି ସଂକ୍ରାମକ ରୋଗର ଭୂତାଣୁ ସହଜରେ ଲୋପ ପାଏନାହିଁ । ଲୋକମାନେ ଯେତିକି ସଚେତନ ରହିବେ, ଭୂତାଣୁ ସଂକ୍ରମଣ କରିବା ଆଶଙ୍କା ସେତିକି ପରିମାଣରେ କମିବ । କରୋନାର ପ୍ରଥମ ପର୍ଯ୍ୟାୟ ଭୂତାଣୁ ତୁଳନାରେ ଦ୍ୱିତୀୟ ରୂପ ଆହୁରି ଭୟଙ୍କର । ସହଜରେ ଯେକୌଣସି ସୁସ୍ଥ ଲୋକଙ୍କୁ ଆକ୍ରାନ୍ତ କରିବାର ସମ୍ଭାବନା ରହିଛି । ହସ୍ପିଟାଲରେ ଶଯ୍ୟା ସଂଖ୍ୟା ଅଧିକ ନଥିବାରୁ ଲୋକଙ୍କୁ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଉଛି । ଦେଶର ପ୍ରତ୍ୟେକ ଏମ୍ସ ହସ୍ପିଟାଲରେ କରୋନା ପାଇଁ ଉଦ୍ଦିଷ୍ଟ ଶଯ୍ୟା ଆଉ ନାହିଁ କହିଲେ ଚଳେ । ସଂକ୍ଷେପରେ କହିଲେ, ଆଜିସୁଦ୍ଧା ଦେଶର ମାତ୍ର ୫/୬% ଲୋକ କରୋନା ଟୀକା ନେଇଛନ୍ତି । ତେଣୁ ଲୋକମାନେ ସଚେତନ ନହେଲେ, ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣରୁ ଲୋକଙ୍କୁ ବଂଚାଇବା ଅସମ୍ଭବ ହୋଇପଡ଼ିବ । 
ଡାକ୍ତର ତ୍ରିଖା କହିଛନ୍ତି, ‘ଦିଲ୍ଲୀ କଥା କ’ଣ କହିବି । ଏଠି ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି । ହରିଆଣାର ଝାଜର ଜିଲ୍ଲାରେ ଏମ୍ସର ଆଉ ଗୋଟିଏ ହସ୍ପିଟାଲ ଖୋଲିବାକୁ ଯାଉଛୁ । ଉକ୍ତ ହସ୍ପିଟାଲରେ ସୁସ୍ଥ ଆଡ଼କୁ ଗତି କରୁଥିବା ଚିକିତ୍ସାଧୀନଙ୍କୁ ରଖାଯିବ । ଭାରତ ସରକାର ବେଶ ଚତୁରତାର ସହ କରୋନାକୁ ପ୍ରତିହତ କରୁଛନ୍ତି । କିନ୍ତୁ ଭାରତବାସୀଙ୍କୁ ଆହୁରି ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଉଭୟ ସରକାର ଓ ଜନତାଙ୍କ ମିଳିତ ପ୍ରୟାସ ହିଁ ଭାରତକୁ କରୋନାମୁକ୍ତ କରିପାରିବ ।’

Related

News