ସୁପ୍ରିମକୋର୍ଟରେ ପେଗାସସ୍ ବିଚାର

  • 05-Aug-2021
  • 0 Comments


ସରକାରଙ୍କ ନିକଟକୁ ଅଭିଯୋଗର ନକଲ ପଠାଇବାକୁ ପରାମର୍ଶ 

ଗୁରୁବାର ସୁପ୍ରିମକୋର୍ଟରେ ପେଗାସସ୍ ଗୁଇନ୍ଦାଗିରି ଜଡ଼ିତ ୯ଟି ପିଟିସନର ବିଚାର ହୋଇଛି । ପିଟିସନଗୁଡ଼ିକ ସାମ୍ବାଦିକ, ଓକିଲ, ସାମାଜିକ କର୍ମୀ ଓ ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ପକ୍ଷରୁ ରୁଜୁ କରାଯାଇଛି । ପିଟିସନରେ ପେଗାସସ୍ ମାମଲାର ଏସଆଇଟି ତଦନ୍ତ ଦାବି କରାଯାଇଛି । ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ଏନଭି ରମନ୍ନା ‘ଗୁଇନ୍ଦାଗିରି ରିପୋର୍ଟ ସତ୍ୟ ହୋଇଥିଲେ, ସାଂଘାତିକ ନିଶ୍ଚିତ’ କହିଛନ୍ତି । ଅଭିଯୋଗର ଗୋଟିଏ ଗୋଟିଏ ନକଲ ସରକାରଙ୍କ ନିକଟକୁ ପଠାଇବା ପାଇଁ ପ୍ରଧାନ ବିଚାରପତି ସବୁ ଆବେଦନକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଆସନ୍ତା ମଙ୍ଗଳବାର ମାମଲାର ବିଚାର କରାଯିବ । 
ପ୍ରଧାନ ବିଚାରପତି କହିଛନ୍ତି, ୨୦୧୯ରେ ଗୁଇନ୍ଦାଗିରି ରିପୋର୍ଟ ସାମ୍ନାକୁ ଆସିଥିଲା । ମାତ୍ର ସେତେବେଳେ ସରକାର ଟେଲିଗ୍ରାଫ୍ ଆକ୍ଟକୁ ଯୁକ୍ତିଯୁକ୍ତ ଦର୍ଶାଇ ଆବେଦନକାରୀଙ୍କ ମୁହଁ ବନ୍ଦ କରି ଦେଇଥିଲେ । 

 

ସାମ୍ବାଦିକ ଏନ୍ ରାମ ଓ ଶଶି କୁମାରଙ୍କ ପକ୍ଷରୁ ଆଇନଜୀବୀ କପିଲ ସିବଲ କୋର୍ଟଙ୍କୁ କହିଥିଲେ ଯେ ପେଗାସସ୍ ଭଳି ଅସ୍ତ୍ର ଆମ ଅଜାଣତରେ ଆମ ଭବିଷ୍ୟତକୁ ନଷ୍ଟ କରିଦେବ । ଏହା ଆମର ଗୌରବ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ହମଲା । ସ୍ପାଇୱେୟର କେବଳ ସରକାରୀ ସଂସ୍ଥାକୁ ବିକ୍ରି କରାଯାଇଥାଏ ।
ସ୍ପାଇୱେୟର କିଏ କିଣିଛି? ହାର୍ଡୱେୟାର କୋଉଠି ରଖାଯାଇଛି? ସରକାର ମାମଲା ରୁଜୁ କଲେନି କାହିଁକି? ଏ ସମ୍ପର୍କରେ ସରକାରଙ୍କ ନିକଟକୁ ନୋଟିସ୍ ପଠାଇବା ପାଇଁ କପିଲ ସିବଲ ଯୁକ୍ତି କରିଥିଲେ । ଜଣେ ଶିକ୍ଷାବିତଙ୍କ ପକ୍ଷରୁ ଆଇନଜୀବୀ ଶ୍ୟାମ ଦିୱାନ କୋର୍ଟରେ କହିଥିଲେ ଯେ ପେଗାସସ୍ ମାମଲା ଅତ୍ୟନ୍ତ ଗମ୍ଭୀର ହୋଇଥିବାରୁ ଘଟଣାର ନିରପେକ୍ଷ ତଦନ୍ତ ଜରୁରୀ । 

Related

News