ଆମେ ମଣିଷ!: ୧୯ ବର୍ଷରେ ୨ ହଜାର ବାଘ ଶିକାର

  • 22-Aug-2019
  • 0 Comments


ଭାରତରେ ସର୍ବାଧିକ ୬୨୬
ଦ୍ୱିତୀୟରେ ଥାଇଲାଣ୍ଡ ୩୬୯
ତୃତୀୟରେ ଇଣ୍ଡୋନେସିଆ ୨୬୬


ନାଗପୁର: ବାର୍ଷିକ ୧୦୪ ହାରରେ ୨୦୦୦ରୁ ୨୦୧୮ ମଧ୍ୟରେ ବିଶ୍ୱର ପ୍ରାୟ ୩୨ଟି ଦେଶରେ ୧୯୭୭ଟି ବାଘ ଶିକାର କରାଯାଇଛି । ଏହାକୁ ବାଦ୍ ଦେଲେ, ୩୮୨ଟି ବାଘ ଶିକାରୀଙ୍କ ହାତରେ ବନ୍ଦୀ ଅଛନ୍ତି । ବ୍ରିଟେନ୍ର କେମ୍ବ୍ରିିଜସ୍ଥିତ ଟ୍ରାଫିକ୍ ଇଣ୍ଟରନ୍ୟାସନାଲ୍ ଦ୍ୱାରା ପ୍ରସ୍ତୁତ ରିପୋର୍ଟରୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ଆନ୍ତର୍ଜାତିକ ସ୍ତରରେ ପ୍ରତିଷ୍ଠିତ ସ୍ୱେଚ୍ଛାସେବୀ ସଂସ୍ଥା ‘ଟ୍ରାଫିକ୍’ ବନ୍ୟଜନ୍ତୁ ଶିକାର ଓ ଅବୈଧ ବେପାର ସମେତ ବିଲୁପ୍ତପ୍ରାୟ ବୃକ୍ଷଲତା ସଂରକ୍ଷଣ ଦିଗରେ କାର୍ଯ୍ୟ କରିଆସୁଛି । ସାରା ବିଶ୍ୱରେ ବାଘସଂଖ୍ୟା ୩୯୫୧ ଥିଲାବେଳେ କେବଳ ଭାରତରେ ସର୍ବାଧିକ ୨୯୭୬ ବାଘ ଅଛନ୍ତି । ସେହି ଦୃଷ୍ଟିରୁ ଭାରତରେ ବାଘ ଶିକାର ହାର ମଧ୍ୟ ଯଥେଷ୍ଟ ଅଧିକ ଅଛି । ବିଗତ ୧୯ ବର୍ଷରେ ଭାରତରେ ୬୨୬ ବାଘ ଶିକାର କରାଯିବା ସହ ୪୬୩ ମାମଲା ରୁଜୁ କରାଯାଇଛି । ଭାରତରେ କୌଣସି ଶିକାରୀଙ୍କଠାରୁ ଜୀବିତ ବାଘ ଉଦ୍ଧାର କରାଯାଇଥିବାର ସୂଚନା ନାହିଁ । ବାଘ ଶିକାର କ୍ଷେତ୍ରରେ ଭାରତ ପ୍ରଥମ ସ୍ଥାନରେ ଥିଲାବେଳେ ଦ୍ୱିତୀୟରେ ଅଛି ଥାଇଲ୍ୟାଣ୍ଡ । ଗତ ୧୯ ବର୍ଷ ମଧ୍ୟରେ ଥାଇଲାଣ୍ଡରେ ୩୬୯ଟି ବାଘ ଶିକାର କରାଯାଇଛି । ତୃତୀୟ ସ୍ଥାନରେ ଇଣ୍ଡୋନେସିଆ ଅଛି । ୨୦୦୦-୨୦୧୮ ମଧ୍ୟରେ ଇଣ୍ଡୋନେସିଆରେ ୨୬୬ ବାଘ ଶିକାରୀଙ୍କ ହାତରେ ମରିଛନ୍ତି । ତାଲିକାର ଚତୁର୍ଥରେ ଚୀନ୍ (୨୪୬), ପଞ୍ଚମରେ ଭିଏତନାମ (୨୧୬), ଷଷ୍ଠରେ ନେପାଳ (୧୯୭), ସପ୍ତମରେ ମାଲେସିଆ (୧୦୩), ଅଷ୍ଟମରେ ରୁଷିଆ (୧୦୭), ନବମରେ ବାଂଲାଦେଶ (୯୧) ଓ  ଦଶମରେ ଲାଓସ୍ (୩୯) ଅଛନ୍ତି ।
ଏସିଆର ପ୍ରାୟ ୧୩ଟି ଦେଶରେ ବାଘ ମୃତ୍ୟୁସଂଖ୍ୟା ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଛି । ସରକାରଙ୍କ କଠୋର ଆଇନ ସତ୍ତେ୍ୱ ଶିକାରୀଙ୍କ ଉପଦ୍ରବ କମିବାର ନାମ ଧରୁନି । ବାର୍ଷିକ ପ୍ରାୟ ୧୨୪ ହାରରେ ବାଘ ଶିକାରୀଙ୍କୁ  ଧରାଯାଇଛି । ଆନ୍ତର୍ଜାତିକ ସ୍ତରରେ ବାଘର ନଖ, ଦାନ୍ତ, ଚମଡ଼ା ଓ ହାଡ଼ର ଚାହିଦା ଥିବାରୁ ଶିକାରୀମାନେ ଏ ଦିଗରେ ଉତ୍ସାହିତ ହେଉଛନ୍ତି । ବନ୍ୟଜନ୍ତୁଙ୍କୁ ଜୀବିତ ଅବା ମୃତ୍ୟୁ ଅବସ୍ଥାରେ ଚୋରାଚାଲାଣ କରାଯାଉଛି । ସ୍ଥଳବିଶେଷରେ ଶିକାରୀମାନେ ବାଘକୁ ମାରି ସେମାନଙ୍କ ଦାନ୍ତ, ନଖ, ହାଡ଼, ମାଂସ ସମେତ ଶରୀରର ଅନ୍ୟାନ୍ୟ ଅଙ୍ଗକୁ ସତର୍କତାର ସହ ଚାଲାଣ କରିବା ପାଇଁ ନିରାପଦ ମଣୁଛନ୍ତି । ଭାରତରେ ବାଘ ସଂଖ୍ୟା ଯେଉଁ ହାରରେ ବୃଦ୍ଧି ପାଉଛି, ସେହି ହାରରେ ହ୍ରାସ ପାଉଛି । ପ୍ରାକୃତିକ ଶୋଭାବର୍ଦ୍ଧନ କରିବାରେ ବାଘର ଭୂମିକା ଯଥେଷ୍ଟ ଥିବାବେଳେ ସରକାରଙ୍କ ଦୂରଦୃଷ୍ଟିର ଅଭାବ ସେଥିପ୍ରତି ବାଧକ ସାଜିଛି । ଦେଖିବାକୁ ମିଳିଛି ଯେ ଅଭୟାରଣ୍ୟରେ ଅବାଧ ବାଘ ଶିକାର ଚାଲିଛି । ବନ୍ୟ କର୍ମଚାରୀଙ୍କ ମହଜୁଦ ସତ୍ତେ୍ୱ ଜାତୀୟ ଉଦ୍ୟାନରେ ବାଘ ଶିକାର ବୃଦ୍ଧି ପାଇବା ସରକାରୀ କଳର ଉଦାସୀନତାକୁ ବୁଝାଉଛି ।

ସରକାରଙ୍କ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଯେତେ କଡ଼ା ହେଉ ନା କାହିଁକି, ସେଗୁଡ଼ିକୁ କଡ଼ାକଡ଼ି କାର୍ଯ୍ୟକାରୀ କରାନଗଲେ ଶିକାରୀଙ୍କ ଲୋଲୁପ ଦୃଷ୍ଟିରୁ ବନ୍ୟପ୍ରାଣୀଙ୍କୁ ବଞ୍ଚାଇବା କଷ୍ଟକର ହେବ । ଅନ୍ୟପକ୍ଷରେ ଦେଖାଯାଉଛି, ଜୈବ ପରିବର୍ତ୍ତନ କାରଣରୁ ବାଘଗୁଡ଼ିକ ବାସସ୍ଥାନ ପରିବର୍ତ୍ତନ କରିବାକୁ ବାଧ୍ୟ ହେଉଛନ୍ତି । ଏଥିପାଇଁ ମନୁଷ୍ୟକୃତ ତ୍ରୁଟି ଦାୟୀ କହିଲେ ଠିକ୍ ହେବ । ଅବାଧ ଗଛକଟା, ସହରାଞ୍ଚଳ ବୃଦ୍ଧି, କଳକାରଖାନା ପ୍ରତିଷ୍ଠା, ଶିଳ୍ପାଞ୍ଚଳରୁ ନିର୍ଗତ ବିଷାକ୍ତ ଗ୍ୟାସ, ଯାନବାହନରୁ ବାହାରୁଥିବା ବିଷାକ୍ତ ଗ୍ୟାସ ପ୍ରଭାବରେ ଜୈବ ପରିବର୍ତ୍ତନ ଘଟୁଛି । ସେହି ଅନୁପାତରେ ବନ୍ୟଜନ୍ତୁଙ୍କ ଜୀବନଯାପନ ଉପରେ କୁପ୍ରଭାବ ପଡ଼ୁଛି । ବାଘ ସମେତ ଅନ୍ୟ ବନ୍ୟପ୍ରାଣୀଙ୍କ ପ୍ରଜନନ ଓ ଶାବକଙ୍କ ଲାଳନପାଳନ କରିବାରେ ସବୁଜିମା ବଣପାହାଡ଼ର ଆବଶ୍ୟକତା ରହିଛି । କିନ୍ତୁ ବିକାଶ ଆଳରେ ପ୍ରାକୃତିକ ବନାନୀକୁ ଧ୍ୱଂସମୁଖରେ ପକାଇ ଖଣିଜ ସମ୍ପଦ ଲୁଟ୍ କରି ଏ ମଣିଷ ସମାଜ ବନ୍ୟପ୍ରାଣୀ ଓ ଉଦ୍ଭିଦଙ୍କ ପ୍ରତି ଘୋର ଅନ୍ୟାୟ କରିଚାଲିଛି । ଆମେ ସମସ୍ତେ ଭୁଲିଯାଉଛୁ, ବିଳାସମୟ ଜୀବନଯାପନ ପାଇଁ ଆମେ ବନ୍ୟପ୍ରାଣୀ ଓ ଜଙ୍ଗଲକୁ ଧ୍ୱଂସ କରିବା ସହ ନିଜ ପାଇଁ ମରଣଯନ୍ତା ତିଆରି କରୁଛୁ ।

Related

News