୮୧ ରନରେ ଇଂଲଣ୍ଡ ଚିତ୍

  • 25-Feb-2021
  • 0 Comments


ଅଶ୍ୱିନଙ୍କ ୪୦୦ ଟେଷ୍ଟ୍ ୱିକେଟ୍ ରେକର୍ଡ 

ଦିବାରାତ୍ର ଟେଷ୍ଟର ଦ୍ୱିତୀୟ ଦିନରେ ଟିମ ଇଣ୍ଡିଆ  ଇଂଲଣ୍ଡ ବିପକ୍ଷରେ ସ୍ଥିତି ମଜବୁତ୍ କରିଛି । ବିଶ୍ୱର ସର୍ବବୃହତ୍ ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଇଂଲଣ୍ଡ ଟସ୍ ଜିତି ପ୍ରଥମ ପାଳି ୧୧୨ ରନ୍ କରିଥିଲା । ଜବାବରେ ଭାରତ ୧୪୫ ରନ୍ କରିଥିଲା । ଦ୍ୱିତୀୟ ପାଳି ବ୍ୟାଟିଂ କରି ଇଂଲଣ୍ଡ ମାତ୍ର ୮୧ ରନ୍ କରିଛି । ଫଳରେ ଟିମ ଇଣ୍ଡିଆକୁ ଜିତିବା ପାଇଁ ୪୯ ରନ୍ ଦରକାର । ଦ୍ୱିତୀୟ ପାଳିରେ ଇଂଲଣ୍ଡର ବେନ ଷ୍ଟୋକ୍ସ ସର୍ବାଧିକ ୨୫ ରନ୍ ଓ କ୍ୟାପଟେନ୍ ଜୋ ରୁଟ ୧୯ ରନ୍ କରିଛନ୍ତି । ସ୍ପିନର୍ ଅକ୍ଷର ପଟେଲଙ୍କୁ ୫ ଓ  ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୪ଟି ୱିକେଟ୍ ମିଳିଛି । ୱାଶିଂଟନ୍ ସୁନ୍ଦର ଗୋଟିଏ ୱିକେଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଦ୍ୱିତୀୟ ପାଳିରେ ଇଂଲଣ୍ଡ ପ୍ରଥମ ଓଭରରେ କୌଣସି ରନ୍ ନକରି ଦୁଇଟି ୱିକେଟ୍ ହରାଇଥିଲା । ଅକ୍ଷର ପଟେଲଙ୍କ ବଲରେ ଜ୍ୟାକ୍ କ୍ରାଉଲି ଓ ଜନି ବେୟରଷ୍ଟୋ କ୍ଲିନ୍ ବୋଲ୍ଡ ହେଲେ । ପରେପରେ ଇଂଲଣ୍ଡର ରନ୍ ୧୯ ଥିଲାବେଳେ ତୃତୀୟ ୱିକେଟ୍ ଭାବେ ଡ୍ୟାମ ସିବନୀ କ୍ୟାଚ୍ ଆଉଟ୍ ହୋଇଥିଲେ । ଦଳଗତ ସ୍କୋର ୫୦ ଥିଲାବେଳେ ଚତୁର୍ଥ ୱିକେଟର ପତନ ଘଟିଥିଲା । ଇଂଲଣ୍ଡର ରନ୍ ୫୬ ଥିଲାବେଳେ ପଂଚମ ୱିକେଟ୍ ଗଳିଥିଲା ।

ଯଦି ଗୁରୁବାର ମ୍ୟାଚ୍ ଶେଷ ହୋଇଯାଏ, ତେବେ  ଟେଷ୍ଟ ଇତିହାସର ବାଇଶିତମ ଟେଷ୍ଟରେ ଭାରତ  ଇଂଲଣ୍ଡକୁ ମାତ୍ର ୨ ଦିନ ଭିତରେ ପରାଜିତ କରିବ । ୨୦୧୮ରେ ବେଙ୍ଗାଲୁରୁ ଟେଷ୍ଟରେ ଭାରତ ଆଫଗାନିସ୍ତାନକୁ ମାତ୍ର ୨ ଦିନରେ ପରାସ୍ତ କରିଥିଲା ।

 

ଭାରତର ଅଫ୍ ସ୍ପିନର୍ ରବିଚନ୍ଦ୍ରନ ଅଶ୍ୱିନ ଦ୍ୱିତୀୟ ପାଳିରେ ୩ଟି ୱିକେଟ୍ ଦଖଲ କରିଛନ୍ତି । ସେ ୭୭ଟି ଟେଷ୍ଟ୍ ଖେଳି ଆଜିସୁଦ୍ଧା ୪୦୦ ୱିକେଟ୍ ଲାଭ କରିଛନ୍ତି । ଶ୍ରୀଲଙ୍କାର ମୁଥୈୟା ମୁରଲୀଧରନଙ୍କ ପରେ ଅଶ୍ୱିନ ହେଉଛନ୍ତି ବିଶ୍ୱର ଦ୍ୱିତୀୟ ବୋଲର୍ ଯେ ଦ୍ରୁତତମ ୱିକେଟ୍ ହାସଲକାରୀ । ମୁରଲୀଧରନ ୭୨ଟି ଟେଷ୍ଟରୁ ଦମଦାର ୪୦୦ ୱିକେଟ୍ ଲାଭ କରିଥିଲେ । ଭାରତୀୟ ସ୍ପିନର୍ ଅନିଲ କୁମ୍ବଲେ ୮୫ଟି ଟେଷ୍ଟ୍ ଖେଳି ୪୦୦ ୱିକେଟ୍ ଅକ୍ତିଆର୍ କରିଥିଲେ ।

Related

News