ବାପାଙ୍କ ପାଇଁ ମୁମ୍ବାଇ ଫେରିଥିଲେ ରୋହିତ

  • 02-Dec-2020
  • 0 Comments


ରୋହିତ ଶର୍ମା ଭାରତୀୟ ଦଳ ସହ ଅଷ୍ଟ୍ରେଲିଆ ନ ଯାଇ ଭାରତ କାହିଁକି ଫେରିଆସିଲେ; ବିସିସିଆଇ ସ୍ପଷ୍ଟୀକରଣ ଦେଇ ଦ୍ବନ୍ଦ୍ବ ଦୂର କରିଦେଇଛି। ରୋହିତ ଭାରତ ଫେରିଆସିବା କାରଣ ନେଇ ସ୍ପଷ୍ଟତା ନଥିବାରୁ ଏପରି ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା ବୋଲି ବିସିସିଆଇ ସମ୍ପାଦକ ଜୟ ଶାହା କହିଛନ୍ତି। ଶାହାଙ୍କ ଅନୁସାରେ, ୟୁଏଇରେ ଆଇପିଏଲ୍‌ ଖେଳିବା ପରେ ରୋହିତ ଭାରତ ଫେରିଆସିବାର କାରଣ ହେଲା ତାଙ୍କ ପିତାଙ୍କ ଅସୁସ୍ଥତା। ପିତା ଗୁରୁନାଥ ଶର୍ମା କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଜାଣିବା ପରେ ରୋହିତ ମୁମ୍ବଇ ଫେରି ଆସିଥିଲେ। ଏଥିପାଇଁ ସେ ବିସିସିଆଇର ଅନୁମତି ମଧ୍ୟ ନେଇଥିଲେ। ତାଙ୍କ ପିତା ସୁସ୍ଥହେବା ପରେ ଏନ୍‌ସିଏ ଯାଇ ଅଭ୍ୟାସ କରିବାକୁ ତାଙ୍କୁ ଅନୁମତି ମିଳିଥିଲା।

ଡିସେମ୍ବର ୧୧ରେ ରୋହିତଙ୍କ ଫିଟ୍‌ନେସ ପରୀକ୍ଷା ହେବ। ଏହାପରେ ହିଁ ରୋହିତ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ ଖେଳିପାରିବେ କି ନାହିଁ; ବିସିସିଆଇ ତାହା ସ୍ପଷ୍ଟ ଭାବେ କହିପାରିବ। ଏହାସହ ଶାହା ପରୋକ୍ଷରେ କହିଛନ୍ତି ଯେ ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ରୋହିତଙ୍କୁ ବାଧ୍ୟତାମୂଳକ ୧୪ ଦିନ ସଂଗରୋଧରେ ରହିବାକୁ ଥିବାରୁ ସେ ପ୍ରଥମ ୨ଟି ଟେଷ୍ଟମ୍ୟାଚ୍‌ ନ ଖେଳିପାରନ୍ତି। ଡିସେମ୍ବର ୧୭ରୁ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭହେବ। ଆଇପିଏଲ୍‌ ଖେଳିବା ବେଳେ ରୋହିତ ଆହତ ହୋଇଥିଲେ। ସେ ଫାଇନାଲରେ ୬୮ ରନ୍‌ର ଦର୍ଶନୀୟ ଇନିଂସ ମଧ୍ୟ ଖେଳିଥିଲେ।

Related

News