ଆଇପିଏଲ୍ ରୋକିବା ପାଇଁ ମାମଲା

  • 04-May-2021
  • 0 Comments


ଇଣ୍ଡିଆନ୍ ପ୍ରିମିୟର ଲିଗ (ଆଇପିଏଲ୍)ର ଅନ୍ୟାନ୍ୟ ମ୍ୟାଚ୍ ବାତିଲ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ପିଟିସନ୍ ଦାଖଲ କରାଯାଇଛି । ଉକ୍ତ ପିଟିସନରେ ଦର୍ଶାଯାଇଛି ଯେ ଲୋକଙ୍କ ସ୍ୱାସ୍ଥ୍ୟ ଅପେକ୍ଷା କ୍ରିକେଟ୍ ଓ ଆଇପିଏଲ୍ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଥିବାରୁ କେନ୍ଦ୍ର, ଦିଲ୍ଳୀ ସରକାର, ବିସିସିଆଇ ଓ ଡିଡିସିଏକୁ ନୋଟିସ ଜାରି କରାଯାଇ କୈଫିୟତ ତଲବ କରାଯାଉ । ସୂଚନାରୁ ଜଣାଯାଇଛି ଯେ ଦିଲ୍ଲୀର ଆଇନଜୀବୀ ତଥା ସାମାଜିକ କର୍ମୀ କରଣ ସିଂହ ଠକରାଲ୍ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । ଖୋଦ୍ ଠକରାଲ କରୋନା ସଂକ୍ରମିତ ଓ ଦିଲ୍ଲୀ ମେଡିକାଲରେ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଚିନ୍ତିତ । ସେ ଅନ୍ୟ ଜଣେ ଓକିଲ ବନ୍ଧୁଙ୍କ ଜରିଆରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଇପିଏଲର ଅନ୍ୟ ମ୍ୟାଚଗୁଡ଼ିକ ବାତିଲ କରିବା ପାଇଁ ହାଇକୋର୍ଟଙ୍କ ଆଦେଶ କାମନା କରିଛନ୍ତି ।

ଅଡୁଆରେ କେନ୍ଦ୍ର ସରକାର

ଦିଲ୍ଲୀରେ କୋଭିଡ୍ ମାମଲା ବଢ଼ିବା କାରଣ ସମ୍ପର୍କରେ ପ୍ରଥମେ କେନ୍ଦ୍ର ସରକାରଙ୍କଠାରୁ ସ୍ପଷ୍ଟୀକରଣ ଲୋଡ଼ିବା ପାଇଁ ପିଟିସନରେ ପ୍ରାର୍ଥନା କରାଯାଇଛି । ତା’ପରେ ବିସିସିଆଇ ଓ ଡିଡିସିଏକୁ ଜବାବ ଲୋଡ଼ିବାକୁ ଅନୁରୋଧ କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ନୋଟିସ୍ ଜାରି କରି କୈଫିୟତ ଲୋଡ଼ିବାକୁ ପିଟିସନରେ ଉଲ୍ଲେଖ କରାଯାଇଛି । ଆଇପିଏଲ ଆନନ୍ଦ ଅପେକ୍ଷା ଲୋକଙ୍କ ସ୍ୱାସ୍ଥ୍ୟରକ୍ଷା ବହୁତ ଜରୁରୀ ଦର୍ଶାଇ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ବନ୍ଦ କରିବା ପାଇଁ ଅନୁରୋଧ କରାଯାଇଛି । ହସ୍ପିଟାଲରେ ରୋଗୀଙ୍କ ପାଇଁ ଶଯ୍ୟା, ଅକ୍ସିଜେନ୍ ସମେତ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ସମ୍ଭବପର ହେଉନି । ସୋମବାର ମାମଲାଟିର ଶୁଣାଣି ଜଣିକିଆ ଖଣ୍ଡପୀଠରେ ଚାଲିଥିଲା । ଏବେ ଏହାକୁ ଡିଭିଜନ୍ ଖଣ୍ଡପୀଠକୁ ହସ୍ତାନ୍ତର କରାଯାଇଛି । ବୁଧବାର (ମେ’ ୫) ପରବର୍ତ୍ତୀ ଶୁଣାଣି ହେବ ।
 

ସୋମବାର ୨ ଖେଳାଳୀ ପଜିଟିଭ ଚିହ୍ନଟ

କୋଲକାତା ନାଇଟ୍ ରାଇଡର୍ସର ଦୁଇଜଣ ଖେଳାଳୀ ପଜିଟିଭ ଚିହ୍ନଟ ହେବାପରେ ସେଦିନ ରୟାଲ ଚାଲେଞ୍ଜର୍ସ ସହ ହେବାକୁ ଥିବା ମ୍ୟାଚ୍ ବାତିଲ କରି ଦିଆଯାଇଥିଲା ।  ମ୍ୟାଚଟିି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ହେବାର ଥିଲା । କେକେଆର ପରେ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳୀମାନେ ସଙ୍ଗରୋଧରେ ରହିଛନ୍ତି । କାରଣ କୋଲକାତା ଶେଷ ମ୍ୟାଚଟି ଦିଲ୍ଲୀ ବିପକ୍ଷରେ ଖେଳିଥିଲା । ସେହିପରି ଚେନ୍ନାଇ ସୁପର କିଙ୍ଗସର ବୋଲିଂ କୋଚ୍ ଲକ୍ଷ୍ମୀପତି ବାଲାଜୀ ଓ ଡିଡିସିଏର ପଡ଼ିଆ କର୍ମଚାରୀଙ୍କ ନିକଟରେ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛି ।  

Related

News