୨୦୨୩ ପୁରୁଷ ହକି ବିଶ୍ୱକପ୍ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

  • 12-Dec-2020
  • 0 Comments


ପୁରୁଷ ହକି ବିଶ୍ୱକପ-୨୦୨୩ ଚଳିତ ଥର ଭୁବନେଶ୍ୱର ସହ ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ ଜିଲାରେ ଆୟୋଜନ କରାଯିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ରାଜ୍ୟ କ୍ରୀଡ଼ା ଓ ଯୁବସେବା ବ୍ୟାପାରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି। ଆଜି ରାଉରକେଲାଠାରେ ଏ ନେଇ ରାଜ୍ୟ କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀ, ହକି ଇଣ୍ଡିଆର ମୁଖ୍ୟ ଓ ବୈଷୟିକ ଅଧିକାରୀଙ୍କ ସହ ରାଉରକେଲା ହାଉସରେ ସମୀକ୍ଷା ବୈଠକ ପରେ ଏ ନେଇ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ୫-ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଭିଡିଓ କନଫରେନ୍ସିଂ ଯୋଗେ ବୈଠକରେ ସାମିଲ ହୋଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଥିଲେ। ଶ୍ରୀ ବେହେରା କହିଲେ ଅନ୍ତର୍ଜାତୀୟ ହକି ଫେଡେରେସନ, ହକି ଇଣ୍ଡିଆ ଏନେଇ ସ୍ୱୀକୃତି ପ୍ରଦାନ କରିଥିବାରୁ ରାଜ୍ୟ ସରକାର ପ୍ରଥମଥର ବିଶ୍ୱକପ ହେଉଥିବା ରାଉରକେଲାରେ ଭିତ୍ତିଭୂମି ବିକାଶ ଉପରେ ଅଗ୍ରାଧିକାର ଦେଉଛନ୍ତି।

୨୦୨୩ ଜାନୁଆରୀରେ ଏହି ମ୍ୟାଚ ଅନୁଷ୍ଠିତ ହେବ। ସମୟ ପୂର୍ବରୁ ଯୋଗାଯୋଗ ବ୍ୟବସ୍ଥା, ସହରର ଭିତ୍ତିଭୂମି ଉନ୍ନତିକରଣ ପ୍ରକ୍ରିୟାକୁ ଜୋରଦାର କରାଯାଉଛି। ବର୍ତ୍ତମାନ ସେକ୍ଟର-୫ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ୧୨ରୁ ୧୩ ହଜାର ଦର୍ଶକ ବସିବାର କ୍ଷମତା ରହିଛି। ଏହାକୁ ଅଧିକ ୨୦ ହଜାର ଅର୍ଥାତ ୩୨ ହଜାର ବିଶିଷ୍ଟ କରିବା ପାଇଁ ଲକ୍ଷ୍ୟ ରହିଛି। ଏହାସହ ଏହାର ଗ୍ୟାଲେରୀର ପାରିପାର୍ଶ୍ବିକ ବ୍ୟବସ୍ଥାର ବିକାଶ କରାଗଲେ ୫୦ ହଜାର ଦର୍ଶକ ଏହି ଖେଳ ଦେଖିପାରିବେ ବୋଲି ସେ କହିଛନ୍ତି। ଏଥିପାଇଁ ପ୍ରଶାସନିକସ୍ତରରେ କାର୍ୟ୍ୟ ତ୍ୱରାନ୍ୱିତ ହେଉଛି ଏବଂ ରାଜ୍ୟ ସରକାର ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱକପର ଆବଶ୍ୟକତାକୁ ଦେଖି ରାଉରକେଲା ବିମାନ ବନ୍ଦରର ଉନ୍ନତିକରଣ, ସହରରେ ଖେଳାଳି ଓ ଅଫିସିଆଲଙ୍କ ରହିବା ପାଇଁ ଆବଶ୍ୟକ ହୋଟେଲ ରୁମ୍‌ ସହ ଆନୁଷଙ୍ଗିକ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଉରକେଲା ସ୍ମାର୍ଟ ସିଟି ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପକୁ ୨୦୨୩ ବିଶ୍ୱକପ ଦୃଷ୍ଟିରୁ ତ୍ୱରାନ୍ୱିତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। 

Related

News