ହାଇଦ୍ରାବାଦକୁ ୬ ରନରେ ହରାଇଲା ବେଙ୍ଗାଲୁରୁ

  • 15-Apr-2021
  • 0 Comments


ଆଇପିଏଲ ୨୦୨୧ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୬ ରନରେ ହରାଇଛି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ । ଚେନ୍ନାଇର ଚେପକ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଟସ ହାରି ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି  ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୯ ରନ କରିଥିଲା । ଜବାବରେ ହାଇଦ୍ରାବାଦ ଟିମ ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୩ ରନ କରିଥିଲା । ହାଇଦ୍ରାବାଦକୁ ଶେଷ ୪ ଓଭରରେ ୩୫ ରନର ଆବଶ୍ୟକତା ଥିଲା । ମାତ୍ର ଟିମ ତାରି ଭିତରେ ୭ ୱିକେଟ୍ ହରାଇ ୨୮ ରନ ସଂଗ୍ରହ କରିଥିଲା । ବେଙ୍ଗାଲୁରୁ ପାଇଁ ୧୭ତମ ଓଭର ଟର୍ଣ୍ଣିଂ ପଏଂଟ ଥିଲା । ହାଇଦ୍ରାବାଦ ୧୬ ଓଭର ସୁଦ୍ଧା ୨ ୱିକେଟ୍ ହରାଇ ୧୧୫ ରନ କରି ସାରିଥିଲା । କିନ୍ତୁ ତା’ପରେ ଭାଗ୍ୟ ବିପର୍ଯ୍ୟୟ ଆଡ଼କୁ ଗତି କରିଥିଲା । ସ୍ପିନର ଶାହବାଜ ଅହମ୍ମଦ ୧୭ତମ ଓଭରର ପ୍ରଥମ ବଲରେ ଜନି ବେୟରୋଷ୍ଟଙ୍କୁ ପାଭିଲିଅନ ପଠାଇଥିଲେ । ବେୟରୋଷ୍ଟ ୧୩ଟି ବଲରୁ ୧୨ ରନ୍ ସାଉଁଟିଥିଲେ । ୧୭ତମ ଓଭରର ଦ୍ୱିତୀୟ ବଲରେ ମନିଷ ପାଣ୍ଡେ ଆଉଟ୍ ହୋଇଥିଲେ । ମନିଷ ୩୯ଟି ବଲରୁ ୩୮ ରନ କରିଥିଲେ । ଶାହବାଜ ହ୍ୟାଟ୍ରିକ କରିପାରିଲେ ନାହିଁ । କିନ୍ତୁ ଓଭରର ଶେଷ ବଲରେ ଅବଦୁଲ ସମଦଙ୍କୁ ଆଉଟ୍ କରିଥିଲେ ।
ବିରାଟଙ୍କ ଟିମ ସିଜନର ପ୍ରଥମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା । ବୁଧବାର ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ କରି ବେଙ୍ଗାଲୁରୁ ୪ ପଏଂଟ ପାଇ ଶୀର୍ଷରେ ପହଂଚିଛି । ପୂର୍ବରୁ ହାଇଦ୍ରାବାଦ କୋଲକାତା ନାଇଟ୍ ରାଇଡର୍ସଠାରୁ ହାରିଥିଲା । ଚଳିତ ସିଜନର ଦୁଇଟି ମ୍ୟାଚରେ ହାରି ହାଇଦ୍ରାବାଦ ଟେବୁଲର ସପ୍ତମ ସ୍ଥାନରେ ଅଛି ।
 

ହାଇଦ୍ରାବାଦ ପକ୍ଷରୁ ୱାର୍ଣ୍ଣର ସର୍ବାଧିକ ୫୪ ରନ୍ କରିଥିଲେ । ମ୍ୟାଚରେ ୱାର୍ଣ୍ଣର ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ରେକର୍ଡ ଭାଙ୍ଗିଥିଲେ । ୱାର୍ଣ୍ଣର ବେଙ୍ଗାଲୁରୁ ବିପକ୍ଷରେ ଟି-୨୦ ମ୍ୟାଚରେ ସର୍ବାଧିକ ୮୭୭ ରନ୍ କରି ଧୋନୀଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି । ପୂର୍ବରୁ ଧୋନୀ ବେଙ୍ଗାଲୁରୁ ବିପକ୍ଷରେ ୮୩୩ ରନ୍ କରିି ରେକର୍ଡ ସୃଷ୍ଟି କରିଥିଲେ । ଏବେ ଧୋନୀ ଦ୍ୱିତୀୟ ସ୍ଥାନକୁ ଖସିଗଲା ବେଳେ ବେଙ୍ଗାଲୁରୁ ବିପକ୍ଷରେ ୭୫୫ ରନ୍ କରି ସୁରେଶ ତୃତୀୟ, ୭୧୬ ରନ୍ କରି ରୋହିତ ଶର୍ମା ଚତୁର୍ଥ ଓ ଗୌତମ ଗମ୍ଭୀର ୭୧୩ ରନ୍ କରି ପଂଚମ ସ୍ଥାନରେ ଅଛନ୍ତି ।

Related

News