ପେଟ୍ରୋଲ ଲିଟର ୧୦୦ ଟଙ୍କା ଟପିଲା

  • 11-May-2021
  • 0 Comments


ସପ୍ତାହକ ଭିତରେ ପଂଚମ ଥର ପାଇଁ ତୈଳ କମ୍ପାନୀ ପକ୍ଷରୁ ଦର ବୃଦ୍ଧି କରାଯାଇଛି । ଫଳରେ ସୋମବାର ମହାରାଷ୍ଟ୍ର, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ପେଟ୍ରୋଲ ଦର ଲିଟର ପିଛା ଶହେ ଟଙ୍କା ଅତିକ୍ରମ କରିଛି । ପେଟ୍ରୋଲ ଲିଟର ପିଛା ୨୬ ପଇସା ଓ ଡିଜେଲ ଲିଟର ପିଛା ୩୩ ପଇସା ବୃଦ୍ଧି ପାଇଥିବା ସମ୍ପର୍କରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଜଣାଇଛନ୍ତି । ସୂଚନା ମୁତାବକ, ମେ’ ୪ରୁ ୧୦ ତାରିଖ ଭିତରେ ପାଂଚ ଥର ତୈଳ ଦର ବୃଦ୍ଧି ପାଇଛି । ବିଧାନସଭା ନିର୍ବାଚନ କାରଣରୁ ଗତ କିଛି ସପ୍ତାହ ଧରି ତୈଳଦର ସ୍ଥିର ରଖାଯାଇଥିଲା ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି । ସୋମବାର ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୯୧ ଟଙ୍କା ୫୩ ପଇସା ଥିଲାବେଳେ ଡିଜେଲ ଦର ଲିଟର ପିଛା ୮୨ ଟଙ୍କା ୦୬ ପଇସା ଅଛି । ମହାରାଷ୍ଟ୍ରର ପରଭାନି ଅଂଚଳରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ୨୦ ପଇସାକୁ ବୃଦ୍ଧି ପାଇଛି । ମଧ୍ୟପ୍ରଦେଶର ଭୋପାଳରେ ପେଟ୍ରୋଲ ଲିଟର ପିଛା ୯୯ ଟଙ୍କା ୫୫ ପଇସାକୁ ବୃଦ୍ଧି ପାଇଛି । ରାଜସ୍ଥାନର ଗଙ୍ଗାନଗର ଜିଲ୍ଲାରେ ପେଟ୍ରୋଲ ଲିଟର ୧୦୨ ଟଙ୍କା ୪୨ ପଇସା ହୋଇଛି । 
 

ଖବରରୁ ଜଣାଯାଇଛି ଯେ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଉପରୁ ୬୦ ପ୍ରତିଶତ  ଓ ଡିଜେଲ ଉପରୁ ୫୪ ପ୍ରତିଶତ ଟିକସ ଲାଭ କରିଥାନ୍ତି । କେନ୍ଦ୍ର ସରକାର ଏକ ଲିଟର ପେଟ୍ରୋଲ ଉପରେ ୩୨ ଟଙ୍କା ୯୦ ପଇସା ଓ ଡିଜେଲ ଉପରେ ୩୧ ଟଙ୍କା ୮୦ ପଇସା ଅବକାରୀ ଶୁଳ୍କ ଆଦାୟ କରୁଛନ୍ତି । ସୋମବାର ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୯୭ ଟଙ୍କା ୮୬ ପଇସା ଥିଲାବେଳେ ଡିଜେଲ ଲିଟର ୮୯ ଟଙ୍କା ୧୭ ପଇସା ଅଛି ।

Related

News