ମୁଖ୍ୟମନ୍ତ୍ରୀଙ୍କ ଖଣିଯଜ୍ଞରେ କଳାବାଘ ବଳି

  • 05-Jun-2022
  • 0 Comments


ସୁନ୍ଦରଗଡ଼,(ଭାରତଡେଲି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖଣିଲୁଟ ଯଜ୍ଞରେ ବିରଳ ପ୍ରଜାତିର କଳାବାଘକୁ ବଳି ଦିଆଯାଉଛି । ନିର୍ବାଚନ ଖର୍ଚ୍ଚ ତୁଲାଇବା ପାଇଁ ଖଣି ପଟ୍ଟାଦାରଙ୍କୁ ଅନୁମତି ଦିଆଯାଉଛି । ଫଳରେ ରାଜ୍ୟର ବନ୍ୟଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି । ୨୦୧୮ ମେ’ ମାସରେ ସୁନ୍ଦରଗଡ଼ ବନଖଣ୍ଡ ଅଧୀନ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ଦୁଇଟି କଳାବାଘ ଛୁଆ ପଶୁପ୍ରେମୀଙ୍କୁ ଆମୋଦିତ କରିଥିଲା । ତାକୁ ବିଚାର କରି ଗର୍ଜନପାହାଡ଼କୁ ଅଭୟାରଣ୍ୟ ମାନ୍ୟତା ଦେବାକୁ ଉଦ୍ୟମ ଚାଲିଥିଲା । ପଡ଼ୋଶୀ ରାଜ୍ୟ ସହ ଉତ୍ତମ ବୁଝାମଣା ରକ୍ଷା କରି ବନ୍ୟଜନ୍ତୁଙ୍କ ଅବାଧ ବିଚରଣ ଓ ନିରାପଦ ଜୀବନଯାପନ ପାଇଁ ପ୍ରଶାସନିକ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ସରକାର ଅଭୟାରଣ୍ୟ ଘୋଷଣା କରିବାକୁ ପଛାଇଗଲେ ।
ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲ କଡ଼େ କଡ଼େ ଏସିଆ ମହାଦେଶର ଦ୍ବିତୀୟ ସର୍ବବୃହତ ଏମସିଏଲ ସମେତ ଏସିପିଏଲ, ଏନଟିପିସି କୋଇଲା ଖଣି ରହିଥିବା ଓ  ଆଗକୁ ବିଜାହାଣ୍ଡ, ଜାମକାନି,  ସାନରମ୍ପିଆ, ଘୋଘରପାଲି, ସାନଘୁମଡ଼ା ଅଞ୍ଚଳରେ ୧୮ରୁ ଅଧିକ କୋଇଲା ଖଣି ଖନନ ହେବାକୁ ଥିବାରୁ ଏହା ଅଭୟାରଣ୍ୟ ପାଇଁ ବାଧକ ହୋଇପାରେ ବୋଲି ସେତେବେଳେ ଆଶଙ୍କା ପ୍ରକାଶ କରିଥିଲା ବନବିଭାଗ। ଏବେ ସେ ଆଶଙ୍କା ସତ ହେବାକୁ ଯାଉଛି। କୋଇଲା ଖଣି ପାଇଁ ଏଠାରେ ଅଭୟାରଣ୍ୟ କରିବାକୁ ସରକାର ପଛାଇ ଯାଇଥିବା ଆଲୋଚନା ହେଉଛି । ଗତ ୨୦୨୧ ଅଗଷ୍ଟରେ ଓଡ଼ିଶା ଆଠମଲ୍ଲିକ ଉତ୍ତର, ଖୋର୍ଦ୍ଧାର ବରବରା ଓ ବଲାଙ୍ଗୀର, ବରଗଡ଼ ସୀମାନ୍ତ ଜଙ୍ଗଲକୁ ଅଭୟାରଣ୍ୟ ମାନ୍ୟତା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ବିରଳ କଳାବାଘକୁ ନେଇ ଚର୍ଚ୍ଚାରେ ଥିବା ଗର୍ଜନପାହାଡ଼କୁ ଏହି ବନ୍ୟଜନ୍ତୁ ସୁରକ୍ଷା କରିଡରରେ ସାମିଲ କରାଯାଇନି ।
ସୁନ୍ଦରଗଡ଼ ଜିଲ୍ଲାର ଦକ୍ଷିଣ-ପଶ୍ଚିମ ଦିଗରେ ଅବସ୍ଥିତ ହେମଗିର ଅଞ୍ଚଳର ହେମଗିର ଓ ଗୋପାଳପୁର ବନାଞ୍ଚଳକୁ ନେଇ ୧୦୦୩୮.୧୨ ହେକ୍ଟର ପରିମିତ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲ ବହୁ ଜୈବ ବିବିଧତାରେ ପରିପୂର୍ଣ୍ଣ। ବହୁ ମୂଲ୍ୟବାନ ବିଶାଳକାୟ ଗଛ, ଔଷଧୀୟ ଗୁଲ୍ମ, ଛୋଟ ବଡ଼ ନାଳ, ହାତୀ, ବାଘ, ଭାଲୁ, ହରିଣ, ବାରହା, ସମ୍ବର, କୁଟୁରା, ଝିଙ୍କ, ବଜ୍ରକାପ୍ତା ପରି ବନ୍ୟପ୍ରାଣୀ,  ମୟୂର, ଶୁଆଶାରୀ, କଜଳପାତି, କପୋତ, କାଠହଣା ଚଢ଼େଇ ଓ  ଅଜଗର, ଅହିରାଜ, କଳା ନାଗ, ଗୋଧି ଆଦି ବହୁ ସରୀସୃପ ଗର୍ଜନପାହାଡ଼କୁ ଅଧିକ ଶୋଭନୀୟ ଓ ଚଳଚଞ୍ଚଳ କରିଛି।

୪୦୯୦.୬୫ ହେକ୍ଟର ପରିମିତ ଗୋପାଳପୁର ବନାଞ୍ଚଳରେ  ଗର୍ଜନପାହାଡ଼, ଧନୁବାଉଁଶ, ପୁଞ୍ଜିପାହାଡ଼, ପାଣିଖୋଲିଆ, ରେଗଡ଼ାଖୋଲ, ଝାଟିଖୋଲ, ବାଲିଜୋରି, ପଣ୍ଡ୍ରିପାଣି, କଲତାପାଣି, କଳାମେଘ, ଢୋକଲାପାହାଡ଼, ସରଙ୍ଗିଝରିଆ ବଣ ରହିଥିବା ବେଳେ ଜଙ୍ଗଲକୁ ଲାଗି ରହିଛି ଜନବସତି ଗାଁ କୁତାବଗା, ସାହାଜପୁର, ଗଡ଼ଦ୍ବାର, କୁଣ୍ଡ, ଚକ୍ରପୁର, ଝୁପୁରୁଙ୍ଗା, ପତ୍ରାପାଲି। ଗର୍ଜନପାହାଡ଼କୁ ଅଭୟାରଣ୍ୟ ମାନ୍ୟତା ଦିଆଗଲେ ଏହା ରାଜ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିବ ବୋଲି ପରିବେଶ ଓ ବନ୍ୟପ୍ରାଣୀ ପ୍ରେମୀମାନେ ମତପ୍ରକାଶ କରି ଆସୁଛନ୍ତି। 

Related

News