କାମରେ ଲାଗୁନି ସରକାରଙ୍କ ଆଇନ

  • 13-Jul-2021
  • 0 Comments


ବନ୍ଦୋବସ୍ତ ଓ ଚକବନ୍ଦୀ ଭୁଲଭଟକା

ରାଜ୍ୟରେ ହଜାର ହଜାର ପରିବାର ସରକାରଙ୍କ ଚକବନ୍ଦୀ ବନ୍ଦୋବସ୍ତ  ଓ ହାଲ ବନ୍ଦୋବସ୍ତର ସୁଫଳରୁ ବଂଚିତ ହୋଇଛନ୍ତି । ଲୋକଙ୍କ ଅଜ୍ଞତାର ପରିଣାମ ହେଉ ବା ଚକବନ୍ଦୀ ଅଧିକାରୀଙ୍କ ଦାୟିତ୍ୱରେ ଅବହେଳା ହେଉ, ଜମିଜମା ରେକର୍ଡ ସଂଶୋଧନ ହୋଇ ନପାରି ବହୁ ପରିବାର ହନ୍ତସନ୍ତ ହେଉଛନ୍ତି । ସାଧାରଣ ଲୋକମାନେ ସରକାରଙ୍କ ଆଇନ ବ୍ୟବସ୍ଥା ପ୍ରତି ସଚେତନ ନୁହନ୍ତି, ତେଣୁ ଦାୟିତ୍ୱରେ ଥିବା ଅଧିକାରୀ ଲୋକଙ୍କ ନିକଟକୁ ଯାଇ ଚକବନ୍ଦୀ ବ୍ୟବସ୍ଥାର ସୁଫଳ ବୁଝାଇବା ସହ ଜମିଜମା ସଂଶୋଧନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା କଥା । ଜମିଜମାର ସଠିକ ରେକର୍ଡ ପାଇଁ ସରକାର ବିଭିନ୍ନ ସମୟରେ ବନେ୍ଦାବସ୍ତ ପ୍ରକ୍ରିୟା ଆପଣାଇଛନ୍ତି । ୧୯୯୦ ଚକବନ୍ଦୀ ବ୍ୟବସ୍ଥାରେ ଜଣେ ବ୍ୟକ୍ତିଙ୍କ ନାମରେ ଏକାଧିକ ସ୍ଥାନରେ ଥିବା ଜମିକୁ ଗୋଟିଏ ଚକଭୁକ୍ତ କରିବାର ବନେ୍ଦାବସ୍ତ ଥିଲା । ଏଥିପାଇଁ ସ୍ଥାନୀୟ ଚକକମିଟିର ଅନୁମୋଦନ ଆବଶ୍ୟକ ପଡୁଥିଲା । ପ୍ରତ୍ୟେକ ଜମିର ମୂଲ୍ୟାୟନ କରି ଜମି ମାଲିକଙ୍କ ମଧ୍ୟରେ ଅଦଳବଦଳ କରାଯିବାର ବ୍ୟବସ୍ଥା ଥିଲା । ମାତ୍ର ସେତେବେଳର ଅଧିକାରୀଙ୍କ ମନମୁଖୀ ପଦକ୍ଷେପ ଓ ଚକ କମିଟିର ଭୁଲ ନିଷ୍ପତିର ପରିଣାମ ଭୋଗୁଛନ୍ତି ହଜାର ହଜାର ପରିବାର । ଜମିଜମା ରେକର୍ଡ ସଠିକ ହେବା ବଦଳରେ ତ୍ରୁଟିପୂର୍ଣ୍ଣ ହେଲା । ସେତେବେଳର ଭୁଲଭଟକା ଆଜି ପର୍ଯ୍ୟନ୍ତ ସଂଶୋଧନ ହୋଇପାରୁନି । ହାଲ ବନ୍ଦୋବସ୍ତ ପୂର୍ବରୁ ଜମି କିଣିଥିବା ଲୋକମାନେ ଏବେ ବି ନିଜ ନାମରେ ଉକ୍ତ ଜମିକୁ ରେକର୍ଡଭୁକ୍ତ କରି ପାରୁନାହାନ୍ତି ।
୧୯୫୦ରେ ଜମିଦାରୀ ବ୍ୟବସ୍ଥା ଉଚ୍ଛେଦ କରିବା ପାଇଁ ସରକାର ଜମି ଜବରଦଖଲ ନିରୋଧ ଆଇନ (ଓଡିଶା ପ୍ରିଭେନସନ୍ ଅଫ୍ ଲ୍ୟାଣ୍ଡ୍ ଏନକ୍ରୋଚମେଂଟ) ଅନୁସାରେ ସରକାର ଜୋରିମାନା ଆଦାୟ କଲେ । ଜମିଦାରଙ୍କଠାରୁ ଜମି ନେଇ ଭାଗଚାଷୀଙ୍କ ନାମରେ କରିବା ବ୍ୟବସ୍ଥା କ୍ରମେ ଦିଗହରା ହୋଇଗଲା । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନେ ନାନା ସମସ୍ୟା ଭୋଗୁଛନ୍ତି ।

ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତିର ଉଦାହରଣ ଦେଖାଇବାକୁ ଆପଣଙ୍କୁ ନେଇଯାଉଛୁ ଧାମରା ଅଂଚଳକୁ । ୪୦ ବର୍ଷ ବିତିଗଲାଣି, ମାତ୍ର ଲୋକଙ୍କ ଜମିଜମା ସଂଶୋଧନ ସରିନାହିଁ । ବାଲେଶ୍ୱର, ବ୍ରହ୍ମପୁର, କଟକ, ସମ୍ବଲପୁର ଆଦି ସ୍ଥାନରେ ଚକବନ୍ଦୀ କାର୍ଯ୍ୟାଳୟ ଖୋଲାରହିଛି । ମାତ୍ର ଅଫିସରେ କାମ ବୋଲି କିଛି ନାହିଁ । ଚକବନ୍ଦୀ ଆୟୁକ୍ତଙ୍କ କୋର୍ଟକୁ ଧାଇଁ ଧାଇଁ ଲୋକମାନେ ହତାଶ ହେବାପରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି । ଲୋକଙ୍କ ସୁବିଧା ପାଇଁ ରାଜସ୍ୱ ବିଭାଗକୁ ୫-ଟି ବ୍ୟବସ୍ଥା ଅଧୀନକୁ ଅଣାଯାଇଛି । ମାତ୍ର ଚକବନ୍ଦୀ ସମସ୍ୟାର ସମାଧାନ ପାଇଁ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଇନି ।
 

Related

News