ବଜେଟରେ ଲାଭକ୍ଷତିର ବିଚାର

  • 02-Feb-2021
  • 0 Comments


ବହୁଚର୍ଚ୍ଚିତ ବଜେଟ କାହାକୁ ରଖିବ, କାହାକୁ ମାରିବ । ତାକୁ ନେଇ ଅର୍ଥଶାସ୍ତ୍ରୀମାନେ ସୁଚିନ୍ତିତ ମତାମତ ପ୍ରଦାନ କରିଛନ୍ତି । ସେମାନଙ୍କ ମତାମତକୁ ଫେଣ୍ଟି ଦେବାରୁ ଜଣାପଡ଼ିଲା ଯେ ବଜେଟଟି ଝିଣ୍ଟିକା ମାରି ବଣି ପୋଷିବା ନୀତିକୁ ପ୍ରାଧାନ୍ୟ ଦିଆଯାଇଛି । ନୂଆ ଆର୍ଥିକ ବର୍ଷରେ ସଭରେନ୍‌ ବଣ୍ଡ ଭାବେ ୧୬୪ ବିଲିୟନ ଡଲାର ଋଣ କରିବାକୁ ସରକାର ଘୋଷଣା କରିଛନ୍ତି। ଏତଦ୍‌ବ୍ୟତୀତ ୮୦୦ବିଲିୟନ ଟଙ୍କା ଋଣ ଉଠାଇବାକୁ ଯୋଜନା ରଖିଛନ୍ତି। ଏହାଦ୍ବାରା ସରକାରଙ୍କ ଋଣ ପରିମାଣ ୧୩.୧ ଟ୍ରିଲିୟନ ଟଙ୍କା ହେବ। ଭାରତ ସରକାର ସ୍ବଦେଶୀ ନିର୍ମାଣକୁ ପ୍ରୋତ୍ସାହନ ଲକ୍ଷ୍ୟରେ ସୌର ଓ ମୋବାଇଲ ଫୋନ୍‌ ଯନ୍ତ୍ରପାତି, ଗାଡ଼ିମଟର ଯନ୍ତ୍ରାଂଶ ଇତ୍ୟାଦି ଆମଦାନୀ ମୂଲ୍ୟ ବୃଦ୍ଧି ଦ୍ବାରା ବାଣିଜ୍ୟ ନୀତି ପ୍ରଭାବିତ ହେବା ଆଶଙ୍କା ରହିଛି। ଗ୍ରାମୀଣ ତଥା କୃଷି କ୍ଷେତ୍ର ପାଇଁ ସରକାର ବଡ଼ ଘୋଷଣା କରିଛନ୍ତି; ହେଲେ ସାମ୍ପ୍ରତିକ ଅସନ୍ତୋଷ ଦୂର ପାଇଁ କିଛି ସୂଚନା ଦେଇ ନ ଥିବାରୁ ଘୋଷିତ ନୀତି କାର୍ୟ୍ୟକାରିତା କ୍ଷେତ୍ରରେ ସମସ୍ୟା ରହିଛି। ଗ୍ରାମାଞ୍ଚଳରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା ଅଧିକ। ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବା ଆଇଟି କ୍ଷେତ୍ର ପ୍ରତି ବଜେଟରେ ବିଶେଷ ଧ୍ୟାନ ଦିଆଯାଇ ନାହିଁ।

ବଜେଟରେ କ୍ଷତି ସହିବା କ୍ଷେତ୍ର ମଧ୍ୟରେ ରହିଛି ବଣ୍ଡ ବଜାର, ଆମଦାନୀ, କୃଷକ ଓ ଗ୍ରାମୀଣ ଭାରତ, ଆଇଟି କ୍ଷେତ୍ର ଇତ୍ୟାଦି। ଲାଭ ପାଇଥିବା କ୍ଷେତ୍ରଗୁଡ଼ିକ ହେଉଛନ୍ତି ସ୍ବାସ୍ଥ୍ୟସେବା, ରିୟଲ ଇଷ୍ଟେଟ୍‌ ଓ ବିନିର୍ମାଣ, ଧାତବ ନିର୍ମାତା, ଜାତୀୟକରଣ ବ୍ୟାଙ୍କ, ବୟନ ଶିଳ୍ପ। ସ୍ବାସ୍ଥ୍ୟସେବା ପରିବ୍ୟାପ୍ତ ପାଇଁ ଅଧିକ ଭିତ୍ତିଭୂମି ବା ଡାକ୍ତରଖାନା ଓ ନିଦାନ କେନ୍ଦ୍ର ପ୍ରତିଷ୍ଠା ଉପରେ ନିର୍ମଳା ଗୁରୁତ୍ବାରୋପ କରିଛନ୍ତି। ଏ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପରିମାଣ ୧୩୭ ପ୍ରତିଶତ ବୃଦ୍ଧି ଧାର୍ୟ୍ୟ କରାଯାଇଛି।

 

ଇସ୍ପାତ ଓ ଆଲୁମିନିୟମ ଧାତବ ନିର୍ମାତାଙ୍କ ମାଧ୍ୟମରେ ୧୧ହଜାର କିଲୋକିଟର ଅତିରିକ୍ତ ରାଜପଥ ଓ ମେଟ୍ରୋ ପଥ ନିର୍ମାଣ ହେବ। ଏହା ୨୭ଟି ମହାନଗରରେ ପରିବହନ ବ୍ୟବସ୍ଥାକୁ ସହଜ କରିବ। ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ, ଟାଟା ଷ୍ଟିଲ, ହିଣ୍ଡାଲ୍‌କୋ, ବେଦାନ୍ତ, ହିନ୍ଦୁସ୍ତାନ ଜିଙ୍କ୍‌, ହିନ୍ଦୁସ୍ତାନ କପର ଆଦି ସଂସ୍ଥା ଏଥିରୁ ଲାଭ ପାଇବେ। ଜାତୀୟକରଣ ବ୍ୟାଙ୍କଗୁଡ଼ିକ ପାଇଁ ଏକ ସମ୍ପତ୍ତି ପରିଚାଳନା କମ୍ପାନୀ ପ୍ରତିଷ୍ଠା କରାଯିବ ବୋଲି ନିର୍ମଳା ଘୋଷଣା କରିବା ଫଳରେ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ବରୋଦା, କାନାଡ଼ା ବ୍ୟାଙ୍କା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ଇଣ୍ଡିଆ ଇତ୍ୟାଦି ଲାଭବାନ୍‌ ହେବେ। ପ୍ରସ୍ତାବିତ କମ୍ପାନୀ ଦ୍ବାରା ଏହି ବ୍ୟାଙ୍କଗୁଡ଼ିକର ଖରାପ ଋଣ ବୋଝ ହ୍ରାସ ପାଇବ। ସୀତାରମଣ ୭ଟି ବୃହତ୍‌ ବୟନ ଶିଳ୍ପ ପାର୍କ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି।

Related

News