‘କଳାଧନ’ ଶବ୍ଦ ଭୁଲିଗଲାଣି କେନ୍ଦ୍ର

  • 28-Jun-2021
  • 0 Comments


ବିଗତ ୧୩ ବର୍ଷ ଭିତରେ ସର୍ବାଧିକ ଭାରତୀୟ ଜମା
ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ୨୦,୭୦୦ କୋଟି
କରୋନା ମହାମାରୀ ଧନୀ ଭାରତୀୟଙ୍କ ପାଇଁ ବରଦାନ

କ୍ଷମତାକୁ ଆସିବା ପୂର୍ବରୁ ବିଦେଶୀ ବ୍ୟାଙ୍କରୁ କଳାଧନ ସାଉଁଟି ଆଣିବା ପାଇଁ ଦୃଢ଼ତାର ସହ ଗାଇ ବୁଲୁଥିବା ବିଜେପି ଏବେ ପୁରାଥଣ୍ଡା ପଡ଼ିଯାଇଛି । ପ୍ରଥମ ପାଳି ଶାସନରେ ବିମୁଦ୍ରାକରଣ ପଦକ୍ଷେପ ଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନାନା କଷ୍ଟ ସହିବା ପାଇଁ ଆହ୍ୱାନ ଦେଇ କହିଥିଲେ ଯେ ଏହି ପ୍ରକ୍ରିୟା ଜରିଆରେ ଦେଶରୁ କଳାଧନ ଉପାର୍ଜନର ବାଟ ବନ୍ଦ କରି ଦିଆଯିବ । ବିଦେଶୀ ବ୍ୟାଙ୍କରୁ କଳାଧନ ଉଦ୍ଧାର କରି ତାକୁ ଦେଶର ଜନକଲ୍ୟାଣ କାର୍ଯ୍ୟରେ ବ୍ୟବହାର କରାଯିବ । କରୋନା କାଳରେ ଦେଶର ଅର୍ଥନୀତି ଭୁଶୁଡ଼ି ଯାଇଥିଲା ବେଳେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମାରାଶି ବୃଦ୍ଧି ପାଇଛି । ଏହା କିପରି ସମ୍ଭବ ହେଲା ବୋଲି ପ୍ରଶ୍ନ କରିଚନ୍ତି ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ରାଜ୍ୟ ସଭାପତି ସୁଶାନ୍ତ ସର୍ବେଶ୍ୱର ଦାସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି କାରଣରୁ ଦେଶରେ ଦୈନିକ ୧୨୦୦ କୋଟି ଟଙ୍କାର କଳାଧନ ରୋଜଗାର ଚାଲିଛି । ସେଥିରୁ ସିଂହଭାଗ ବିଜେପି ପକେଟକୁ ଯାଉଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଟିରେ ଆଉ କଳାଧନ ଶବ୍ଦ ଶୁଭୁନାହିଁ ବୋଲି ଆରପିଡି ସଭାପତି ଅଭିଯୋଗ କରିଛନ୍ତି ।
ତଥ୍ୟ ମୁତାବକ ୨୦୧୯ ଶେଷ ସୁଦ୍ଧା ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ପରିମାଣ ୬୬୨୫ କୋଟି ଟଙ୍କା (୮୯୯ ନିୟୁତ ସ୍ୱିସ୍ ଫ୍ରାଙ୍କ) ଥିଲା । ଏବେ ତାହା ବୃଦ୍ଧି ପାଇ ୨୦,୭୦୬ କୋଟି ଟଙ୍କା (୨୫୫ ବିଲିଅନ୍ ସ୍ୱିସ୍ ଫ୍ରାଙ୍କ) ହୋଇଛି । ୨୦୦୬ରେ ସ୍ୱିସ୍ ବ୍ୟାଙ୍କରେ ଜମାରାଶି ରେକର୍ଡ ୬.୫ ବିଲିଅନ୍ ସ୍ୱିସ୍ ଫ୍ରାଙ୍କ ଥିଲା । ମାତ୍ର ୨୦୧୧, ୨୦୧୩ ଓ ୨୦୧୭ ରେକର୍ଡରୁ ଜମାରାଶି କମୁଥିବା ଜଣାପଡ଼ିଥିଲା । ମାତ୍ର କରୋନା ମହାମାରୀ ଭାରତୀୟ କଳାବେପାରୀଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇଛି । 

୨୦୧୮ରେ ଭାରତ ଓ ସ୍ୱିଜରଲାଣ୍ଡ ମଧ୍ୟରେ ସ୍ୱୟଂକ୍ରିୟ ଟିକସ ବୁଝାମଣା ସମ୍ପାଦନ ପରେ ସ୍ୱିସ୍ କର୍ତ୍ତୃପକ୍ଷ ସ୍ପଷ୍ଟ କରି ଦେଇଛନ୍ତି ଯେ ଏଣିକି ସ୍ୱିଜରଲାଣ୍ଡ ବ୍ୟାଙ୍କରେ ଜମା ରହିଥିବା ଭାରତୀୟଙ୍କ ଟଙ୍କାକୁ କଳାଧନ କହିବା ଉଚିତ ହେବନାହିଁ । ସ୍ୱିଜରଲାଣ୍ଡ ବ୍ୟାଙ୍କରେ ସର୍ବାଧିକ ଧନ ସାଇତି ରଖିବାରେ ବ୍ରିଟେନ ନାଗରିକ ଶୀର୍ଷରେ ଅଛନ୍ତି । ଅନ୍ୟ ୧୦ଟି ଦେଶ ଭିତରେ ୱେଷ୍ଟଇଣ୍ଡିଜ, ଫ୍ରାନ୍ସ, ହଂକଂ, ଜର୍ମାନୀ, ସିଙ୍ଗାପୁର, ଲକ୍ସେମବର୍ଗ, କେମ୍ୟାନ ଆଇଲାଣ୍ଡ୍ସ ଓ ବାହାମାସ ଅଛନ୍ତି ।   

Related

News