କଏଦୀଙ୍କୁ ଖୁସି କରିବା ପାଇଁ ଜେଲ କର୍ମଚାରୀ ପିଟାପିଟି

  • 28-Feb-2021
  • 0 Comments


କଏଦୀଙ୍କ ସେବାରେ ନିୟୋଜିତ ଜେଲ କର୍ମଚାରୀଙ୍କ ଭିତରେ ଏକପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଛି ସମ୍ବଲପୁର ମଣ୍ଡଳ କାରାଗାରରେ । ଜଣେ ଜଘନ୍ୟ ଅପରାଧିଙ୍କ କାରଣରୁ ଜେଲ କର୍ମଚାରୀମାନେ ଦୁଇଗୋଷ୍ଠୀରେ ପରିଣତ ହୋଇଛନ୍ତି । ଗୋଟିଏ ଗୋଷ୍ଠୀ କଏଦୀଙ୍କ ପ୍ରତି କରୁଣା ଦୃଷ୍ଟି ରଖିଥିଲା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ ଗଭୀର ଅସନ୍ତୋଷ ପ୍ରକାଶ କରିଛି । ଏହାକୁ ନେଇ ଶନିବାର ସନ୍ଧ୍ୟାରେ ଜେଲ କର୍ମଚାରୀ ମାନଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେବା ସହିତ କଥା କଟାକଟି ଓ ମାଡପିଟ ପର୍ୟ୍ୟନ୍ତ ଚାଲି ଯାଇଥିଲା। ଏଣୁ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ମାଡପିଟ ହୋଇଥିଲା। ତେବେ ଏଥିରେ କେହି ଆହତ ହୋଇ ନ ଥିବା ବେଳେ ଏ ନେଇ ଜେଲ କତ୍ତୃପକ୍ଷ ଧନୁପାଲି ଥାନାରେ ଅଭିଯୋଗ କରିଛନ୍ତି। 

ମାମଲାକୁ ଚପାଇବା ପାଇଁ ଭିନ୍ନ ମାମଲା ଦିଆଯାଇଥିବାର ଅଭିଯୋଗ ହେଉଛି। ଏ ସର୍ମ୍ପକରେ ଧନୁପାଲି ଥାନାକୁ ପଚରାଯିବାରୁ ଜେଲ ପରିସର ମଧ୍ୟରେ ମଦ୍ୟପାନ କରି ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିବାର ଅଭିଯୋଗ ମିଳିବା ପରେ ଜଣେ ଜେଲ ୱାର୍ଡରକୁ ଅଟକ ରଖାଯାଇ ତଦନ୍ତ କରାଯାଉଛି ବୋଲି କହିଛନ୍ତି। 

 

ସୂଚନାଯୋଗ୍ୟ ଯେ, ଗତ ୨୦୧୮ ମସିହାରେ ସମ୍ବଲପୁର ସହରରେ ଘଟିଥିବା ଡବଲ ମର୍ଡର ଘଟଣାର ଜଣେ ଅଭିଯୁକ୍ତ ସର୍କଲ  ଜେଲରେ ସଜା କାଟୁଛନ୍ତି। ଗତ ଜାନୁଆରୀ ୨୪ ତାରିଖରେ ସେ ନିଜକୁ ଅସୁସ୍ଥ ଥିବା ଦର୍ଶାଇବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। କିନ୍ତୁ ଚିକିତ୍ସାଳୟରେ ପହୁଞ୍ଚିବା ପରେ ଡାକ୍ତର ପରୀକ୍ଷା ପରେ ଔଷଧ ଲେଖି ଛାଡି ଦେଇଥିଲେ। ଜେଲକୁ ଫେରିବା ପରେ ପୁର୍ନବାର ଦେହ ଅସୁସ୍ଥ ଥିବାର କହିବାରୁ ପୁର୍ନବାର ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। କିନ୍ତୁ ସେହି ସମୟରେ ଉକ୍ତ ବ୍ୟକ୍ତି ଜଣକ ୱାର୍ଡରେ ଭର୍ତ୍ତି ହେବା ପାଇଁ ଜିଦ ଧରି ବସିଥିଲେ। ତେବେ ପୂର୍ବ ଡାକ୍ତର ଲେଖିଥିବା ଔଷଧ ଗୁଡିକ ଠିକ ଥିବା ଏବଂ ଭର୍ତ୍ତି ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ତାଙ୍କୁ ଦେଖିଥିବା ଡାକ୍ତର କହିବା ପରେ କଏଦୀ ଜଣଙ୍କ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। ଗାଳିଗୁଲଜ କରିବା ସହିତ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି ନ କଲେ କାହାରିକୁ ଛାଡିବେ ନାହିଁ ବୋଲି ଧମକଚମକ ମଧ୍ୟ ଦେଇଥିଲେ। ଏହି ଘଟଣାର ଏକ ମାସ ପରେ ଜେଲ ମଧ୍ୟରେ ସେହି କଏଦୀଙ୍କୁ ସ୍ୱତନ୍ତ୍ର ସୁବିଧା ଦିଆଯିବାକୁ ନେଇ ଜେଲ କର୍ମଚାରୀ ମାନଙ୍କ ମଧ୍ୟରେ ମାଡପିଟ ହୋଇଥିବାର କୁହାଯାଉଛି। 
 

Related

News