୧୧୩ ଅପରାଧୀଙ୍କ ଯମ ଏବେ ଯନ୍ତାରେ

  • 17-Jun-2021
  • 0 Comments


ସମାଜକୁ ଅପରାଧମୁକ୍ତ କରିିବା ଯାହା ଜୀବନର ଏକମାତ୍ର ଲକ୍ଷ୍ୟ ଥିଲା, ସେ ଦିନେ ଅପରାଧୀ ଜଗତକୁ ପଶିଯିବେ ବୋଲି କଳ୍ପନା କରି ନଥିବେ । ଜଣେ ଦୁଇଜଣ ନୁହେଁ, ୧୧୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଂଟର କରି ଯମ ବୋଲାଉଥିବା ପ୍ରଦୀପ ଶର୍ମା ଏବେ ଏନଆଇଏ ଯନ୍ତାରେ । 
ଆଂଟିଲିଆ ମାମଲାର ତଦନ୍ତକାରୀ ସଂସ୍ଥା ଏନଆଇଏ ଜାଲରେ ଧରାପଡ଼ିଥିବା ପୂର୍ବତନ ଏନକାଉଂଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କର ବିବାଦ ସହିତ ପୁରୁଣା ସମ୍ପର୍କ ରହିଛି । ମନସୁଖ ହିରେନଙ୍କ ରହସ୍ୟଜନକ ମୃତୁ୍ୟ ଓ ମୁକେଶ ଅମ୍ବାନୀଙ୍କ ଅଟ୍ଟାଳିକା ଆଗରୁ ଜବତ ପରିତ୍ୟକ୍ତ କାର ମାମଲାରେ ଗିରଫ ପୂର୍ବତନ ପୁଲିସ ଅଧିକାରୀ ସଚିନ ବାଜେଙ୍କ ସହିତ ସମ୍ପର୍କ ରଖି ପ୍ରଦୀପ ଶର୍ମା ଫସି ଯାଇଛନ୍ତି ବୋଲି କୁହାଯାଉଛି । ଏନଆଇଏ ଯନ୍ତାରେ ପଡ଼ିବା ପରେ ପ୍ରଦୀପଙ୍କ ଗୁଣାବଳୀ ଜାଣିବାକୁ ଲୋକଙ୍କ ମନରେ କୌତୁହଳ ସୃଷ୍ଟି ହୋଇଛି । ଅପରାଧିଙ୍କ ପାଇଁ ଯମ ଓ ପୁଲିସ ପ୍ରଶାସନର ଗୌରବ ବୋଲାଉଥିବା ପ୍ରଦୀପ ଶର୍ମାଙ୍କ ପ୍ରଶଂସାରେ କଳଙ୍କର ଦାଗ ଲାଗିଛି ।
ମୁମ୍ବାଇର ଶ୍ରେଷ୍ଠ ପୁଲିସ ଅଧିକାରୀ ଭାବେ ଜଣାଶୁଣା ପ୍ରଦୀପଙ୍କ ଭିଟାମାଟି ହେଉଛି ଉତ୍ତର ପ୍ରଦେଶର ଆଗ୍ରା । ଆଗ୍ରାରେ ଜନ୍ମ ହୋଇଥିଲେ ମଧ୍ୟ ପ୍ରଦୀପ ମୁମ୍ବାଇରେ ଛୋଟରୁ ବଡ଼ ହେବା ସହିତ ଚାକିରି ଜୀବନ ଆରମ୍ଭ କରିଥିଲେ । ପ୍ରଦୀପଙ୍କ ବାପା ଇଂରାଜୀ ଅଧ୍ୟାପକ ଥିଲେ । ମହାରାଷ୍ଟ୍ରର ଧୁଲେସ୍ଥିତ ଏକ କଲେଜରେ ଚାକିରି ପାଇ ସେ ପିଲାଛୁଆ ଧରି ଆଗ୍ରାରୁ ମହାରାଷ୍ଟ୍ର ଚାଲିଗଲେ । ଫଳରେ ପ୍ରଦୀପଙ୍କ ପିଲାଦିନ ଧୁଲେରେ କଟିଥିଲା । ସେହିଠାରେ ଛୋଟରୁ ବଡ଼ ହେବା ସହିତ ସେ ବିଜ୍ଞାନରେ ସ୍ନାତକୋତ୍ତର ଲାଭ କଲେ ।
ମହାରାଷ୍ଟ୍ର ପୁଲିସରେ ଚାକିରି କରିବା ପରେ ସେ ଆଉ ପଛକୁ ଫେରି ନଥିଲେ । ୧୯୮୩ରେ ମାହିମ ପୁଲିସ ଷ୍ଟେସନରୁ ସେ ଚାକିରି ଜୀବନ ଆରମ୍ଭ କରିଥିଲେ । ସ୍ପେଶାଲ ସ୍କ୍ୱାଡ୍ ରେ ଯୋଗଦାନ କରିବା ପରେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ସୁଯୋଗ ପାଇଲେ ।
 

୧୯୯୦ ଦଶକରେ ମୁମ୍ବାଇ ମହାନଗରୀ ଅଣ୍ଡରୱାର୍ଲଡ ହାତରେ ସଖି କଣ୍ଢେଇ ଭଳି ନାଚୁଥିଲା । ଅନ୍ଧାରୀ ଦୁନିଆର ଟପ୍ ବାଦଶାହମାନେ ମୁମ୍ବାଇରେ ରାଜୁତି କରୁଥିଲେ । ସେମାନଙ୍କ କବଳରୁ ମୁମ୍ବାଇକୁ ଉଦ୍ଧାର କରିବା ପାଇଁ ମହାରାଷ୍ଟ୍ର ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରିଥିଲା । ଉକ୍ତ ଟିମରେ କ୍ରାଇମ ବ୍ରାଂଚର ଅଭିଜ୍ଞ ପୁଲିସ ଅଧିକାରୀଙ୍କୁ ନିଯୁକ୍ତ କରାଗଲା । ପ୍ରଦୀପଙ୍କୁ ଉକ୍ତ ଟିମରେ ସାମିଲ କରାଯିବା ପରଠାରୁ ଖବରକାଗଜ ତାଙ୍କ ପ୍ରଶସ୍ତି ଗାଇବା ଆରମ୍ଭ କରିଦେଲା ।  ୨୫ ବର୍ଷର ଚାକିରି ଜୀବନ ଭିତରେ ସେ ୧୧୩ ଅପରାଧୀଙ୍କୁ ଶିକାର କରି ଦକ୍ଷ ପୁଲିସର ପରିଚୟ ଦେଇଥିଲେ । ଅଣ୍ଡରୱାର୍ଲଡ ଡନ୍ ଦାଉଦ ଇବ୍ରାହିମର ଭାଇ ଇକବାଲ କାସ୍କାରକୁ ପ୍ରଦୀପ ଗିରଫ କରିଥିଲେ । ୨୬/୧୧ ମୁମ୍ବାଇ ଆତଙ୍କୀ ହମଲାରେ ସହିଦ ବିଜୟ ସାଲସକର କ୍ରାଇମ ବ୍ରାଂଚରେ କାମ କରୁଥିଲା ବେଳେ ପ୍ରଦୀପଙ୍କ ସହିତ ଥିଲେ । ଅଣ୍ଡରୱାର୍ଲଡ ଡନ୍ ରବି ପୂଜାରୀଙ୍କ ଗୁରୁ ଶ୍ରୀକାନ୍ତ ମାମାଙ୍କୁ ଏନକାଉଂଟରରେ ମାରି ପ୍ରଦୀପ ଚର୍ଚ୍ଚାର ଶିଖରକୁ ଚାଲି ଯାଇଥିଲେ । ଅନ୍ଧାରୀମୂଲକର କୁଖ୍ୟାତ ଅପରାଧୀମାନେ ତାଙ୍କ ନାମକୁ ଜପାମାଳି କରିଥିଲେ । 
  

Related

News