ମହାରାଷ୍ଟ୍ର ମନ୍ତ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

  • 15-Jan-2021
  • 0 Comments


ଶରଦ ପାୱାରଙ୍କ ଦଳ ଏନସିପି ମୁଣ୍ଡରେ ଦାଗ ଲାଗିଛି । ଦୁଷ୍କର୍ମ ଅଭିଯୋଗରେ ଫସିଛନ୍ତି ମହାରାଷ୍ଟ୍ର ସରକାରଙ୍କ ସାମାଜିକ ନ୍ୟାୟ ମନ୍ତ୍ରୀ ଓ ଏନସିପି ବିଧାୟକ ଧନଞ୍ଜୟ ମୁଣ୍ଡେ । ଏ ପ୍ରକାର ଅଭିଯୋଗ ମୁଣ୍ଡ ଟେକିବା ପରେ ଦଳର ମୁଖ୍ୟ ଶରଦ ପାୱାର ଚିନ୍ତିତ ହୋଇପଡ଼ିଛନ୍ତି । ଅଭିଯୋଗଟିକୁ ଗୁରୁତର କହି ପୁଲିସର ତଦନ୍ତ ରିପୋର୍ଟକୁ ଅପେକ୍ଷା କରିଛନ୍ତି । 

ରିପୋର୍ଟରୁ ଅଭିଯୋଗର ସତ୍ୟତା ଜଣାପଡ଼ିବା ପରେ ମହାରାଷ୍ଟ୍ର କ୍ୟାବିନେଟରୁ ଧନଞ୍ଜୟ ମୁଣ୍ଡେ ବାଦ ପଡ଼ିବାର ସମ୍ଭାବନା ରହିଛି । ମନ୍ତ୍ରୀଙ୍କୁ ବ୍ଲାକମେଲିଂ କରିବା ନିମନ୍ତେ ଯୁବତୀ ଜଣକ ଏପରି ଅଭିଯୋଗ କରିଛନ୍ତି ବୋଲି ଧନଞ୍ଜୟ ମୁଣ୍ଡେ କହିଛନ୍ତି । ବିଜେପିର କି୍ରଷ୍ଣା ହେଗଡେ ଓ ମହାରାଷ୍ଟ୍ର ନବନିର୍ମାଣ ସେନା ନେତା ମନିଷ ଧୁରେଙ୍କ ପରାମର୍ଶରେ ସଂପୃକ୍ତ ମହିଳା ଏପରି ଭିତ୍ତିହୀନ ଅଭିଯୋଗ କରିଛନ୍ତି ।

ଏହା ପୂର୍ବରୁ ସଂପୃକ୍ତ ଯୁବତୀ ଅନ୍ୟ ଜଣେ ବ୍ୟକ୍ତିଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜୁ କରିଥିବାର କୁହାଯାଉଛି । ଏନସିପିର କାର୍ଯ୍ୟକାରିଣୀ କମିଟି ଧନଞ୍ଜୟ ମୁଣ୍ଡେଙ୍କ ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି ଶରଦ ପାୱାର କହିଛନ୍ତି ।  

 

ଜାନୁଆରୀ ୧୦ ତାରିଖରେ ମହିଳାଜଣକ ଓଶିୱାରା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ୨୦୦୬ରୁ ମହିଳାଙ୍କ ସହିତ ମନ୍ତ୍ରୀଙ୍କର ସମ୍ପର୍କ ରହିଥିଲା । ପୁଲିସ ଅଦ୍ୟାବଧି ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିନାହିଁ । ତେବେ ପୁଲିସ ସଂପୃକ୍ତ ମହିଳା ଓ ମନ୍ତ୍ରୀ ମୁଣ୍ଡେଙ୍କ ବୟାନ ରେକର୍ଡ କରିବ । ମୁଣ୍ଡେ କହିଛନ୍ତି ଯେ ଅଭିଯୋଗ କରିଥିବା ଭଉଣୀଙ୍କ ସହ ତାଙ୍କର ସମ୍ପର୍କ ଅଛି । 

Related

News