ରାଜସ୍ଥାନରେ ମହିଳାଙ୍କୁ ବିକିଲେ

  • 13-Mar-2021
  • 0 Comments


ମଧ୍ୟପ୍ରଦେଶର ଗରିବ ମହିଳା ଓ ଯୁବତୀଙ୍କୁ ରାଜସ୍ଥାନରେ ବିକା ଚାଲିଛି । ଏ ସଂକ୍ରାନ୍ତ ଖବର ପ୍ରକାଶ ପାଇବା ପରେ ଉଭୟ ରାଜ୍ୟର ସରକାର ଚିନ୍ତା ପ୍ରକଟ କରିଛନ୍ତି । ଜବଲପୁରର ଗୋଟିଏ ହୋଟେଲ ପରିଚାଳକ ତଥା ଦଲାଲ କୋଟାର ଅନ୍ୟ ଜଣେ ଦଲାଲ ସହ ମିଶି ଏକାଧିକ ଯୁବତୀ ଓ ମହିଳାଙ୍କୁ ବିକିଥିବା ଜଣାପଡ଼ିଛି । ଅଭିଯୁକ୍ତ ଗରିବ ପରିବାରର ମହିଳାଙ୍କୁ ଅଧିକ ମଜୁରୀରେ କାମ ଯୋଗାଇଦେବାର ବାହାନା କରି ରାଜସ୍ଥାନକୁ ନେଇଯାଉଥିଲା ଓ ସେଠାରେ ବିକି ଦେଉଥିଲା । ପ୍ରାଥମିକ ଅନୁସନ୍ଧାନ କରିବା ପରେ ପୁଲିସ ଜାଣିବାକୁ ପାଇଛି ଯେ ଅଭିଯୁକ୍ତ ହୋଟେଲ ପରିଚାଳକ ତିନିଜଣ ମହିଳାଙ୍କୁ ରାଜସ୍ଥାନର କୋଟା ସହରକୁ ନେଇ ବିକିଦେଇଛି । ଜଣେ ମହିଳାଙ୍କୁ ୨ ଲକ୍ଷ ୮୦ ହଜାର ଟଙ୍କାରେ, ଦ୍ୱିତୀୟ ମହିଳାଙ୍କୁ ୭୦ ହଜାର ଟଙ୍କାରେ ବିକିଛି । କିନ୍ତୁ ୨୩ ବର୍ଷୀୟ ବିବାହିତା ଯୁବତୀଜଣକ ଶ୍ୟାମଳ ରଙ୍ଗର ଥିବାରୁ ତାଙ୍କୁ କିଣିବାକୁ ଗରାଖ ମିଳିଲେନି । ଅନ୍ୟ ଭାଷାରେ କହିଲେ, ଦେହର ରଙ୍ଗ ଶ୍ୟାମଳ ଥିବାରୁ ଯୁବତୀଜଣକ ଦଲାଲଙ୍କ କାମରେ ଆସିଲେନି । ଦୁଇ ପୀଡ଼ିତା କୌଣସିମତେ ଥାନାରେ ପହଂଚି ଦୁଷ୍କର୍ମ ଓ ମାନବ ଚାଲାଣର ଶିକାର ହୋଇଥିବା ଜଣାଇବା ପରେ ପ୍ରକୃତ ଘଟଣା ସାମନାକୁ ଆସିଛି । ତଥ୍ୟ ମୁତାବକ, ମଉଗଞ୍ଜ ରିବା ନିବାସୀ ୩୧ ବର୍ଷୀୟ ମହିଳା ଜବଲପୁର ସହରର ଭୂକମ୍ପ କଲୋନୀରେ ରହି ଛୋଟୀ ଲାଇନସ୍ଥିତ ବାସୁ ହୋଟେଲରେ ରୁଟି ତିଆରି କରନ୍ତି । ୧୫ ବର୍ଷ ତଳେ ମହିଳାଙ୍କର ବିବାହ ହୋଇଥିଲା । ତିନିବର୍ଷ କାଳ ସ୍ୱାମୀଙ୍କଠାରୁ ମାଡ଼ଗାଳି ଓ ନିର୍ଯାତନା ପାଇବା ପରେ ବିଚାରୀ ସ୍ୱାମୀଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ଏବେ ତାଙ୍କର ୧୨ ବର୍ଷର ଝିଅଟିଏ ଅଛନ୍ତି । ଝିଅଟି ଆଈ ପାଖରେ ରହୁଛନ୍ତି । ହୋଟେଲର କାମ କରି ସଂପୃକ୍ତ ମହିଳା ଦିନକୁ ୨୦୦ ଟଙ୍କା ରୋଜଗାର କରୁଥିଲେ । କିନ୍ତୁ ଦେହ ଦଲାଲର ମିଛ କଥାରେ ଭଳି ଯାଇ ସେ ରାଜସ୍ଥାନର କୋଟାକୁ ପଳାଇ ଯାଇଥିଲେ ।
ବାସୁ ହୋଟେଲର ପରିଚାଳକ ଅନୀଲ ବର୍ମନ ତାଙ୍କ ପତ୍ନୀ ଜ୍ୟୋତି ସହ ପୀଡ଼ିତାଙ୍କର ପରିଚୟ କରାଇ ଦେଇଥିଲା । ଜ୍ୟୋତି ପୀଡ଼ିତାଙ୍କୁ କହିଲେ, ‘କେତେଦିନ ଏମିତି ଦିନକୁ ୨୦୦ ଟଙ୍କାରେ କାମ କରିବ । ଝିଅକୁ ମା’ ପାଖକୁ ପଠାଇ ଦେଇ କୋଟାକୁ ଚାଲ । ସେଠାରେ ଅଧିକ ମଜୁରୀରେ କାମ ମିଳିଯିବା ପରେ ଝିଅକୁ ପାଖକୁ ନେଇଯିବ ।’ ଜ୍ୟୋତିର ପ୍ରସ୍ତାବରେ ପୀଡ଼ିତା ଜଣକ ରାଜି ହୋଇଗଲେ । ତହୁଁ ସେ ଜଣେ ସମ୍ପର୍କୀୟଙ୍କ ସହ ଝିଅକୁ ମା’ଙ୍କ ନିକଟକୁ ପଠାଇଦେଲେ । ପରେ ଜ୍ୟୋତି ପୀଡ଼ିତାଙ୍କୁ ୨୬ ତାରିଖ ଦିନ କୋଟା ନେଇଗଲେ । ସେଠାରେ ଅନୀଲ ବର୍ମନ, ଗୌରୀଘାଟ ନିବାସୀ ଶାଳିନୀ ଜୈନ (୨୩) ଓ ପରସବାଡା ନିବାସୀ ସନ୍ତୋଷୀ ମରାଠାଙ୍କୁ ପୀଡ଼ିତା ଭେଟିଥିଲେ ।

 

କୋଟାରେ ସବୁ ପୀଡ଼ିତାଙ୍କୁ ବୁନ୍ଦୀ ନିବାସୀ ସୁରେଶ ସିଂହ ଠାକୁରଙ୍କ ଘରକୁ ନିଆଯାଇଥିଲା । ସେଠାରେ ରାଜସ୍ଥାନର ବଲଶାଖା ନିବାସୀ ଯମୁନା ଶଙ୍କର ସୁରେଶ ସିଂହ ଠାକୁରଙ୍କ ଘରକୁ ଆସିଥିଲେ । ପୀଡ଼ିତାଙ୍କୁ ଦେଖି କିଣିବାକୁ ରାଜି ହୋଇଥିଲେ । ସେତିକିବେଳେ ପୀଡ଼ିତା ଜଣକ ଦେହ ଦଲାଲଙ୍କ ହାବୁଡ଼ରେ ପଡ଼ିଥିବାର ଜାଣିବାକୁ ପାଇଥିଲେ । ଯମୁନା ଶଙ୍କର ସଂପୃକ୍ତ ମହିଳାଙ୍କୁ ୨ ଲକ୍ଷ ୮୦ ହଜାର ଟଙ୍କାରେ କିଣିନେଲେ । 
ପୀଡ଼ିତା ଜଣକ ଯେତେ ନେହୁରା ହେଲେ ମଧ୍ୟ ଦଲାଲ ଅନୀଲ ବର୍ମନ, ଜ୍ୟୋତି ବର୍ମନ, ସନ୍ତୋଷୀ ମରାଠା, ଶାଳିନୀ ଜୈନ କିଛି ଶୁଣି ନଥିଲେ । ବରଂ ଯମୁନା ଶଙ୍କର ନିଦେ୍ର୍ଦଶ ମୁତାବକ କାମ କରିବାକୁ ତାଗିଦ କରିଥିଲେ ।  ଅଭିଯୁକ୍ତ ଶାଳିନୀ ପୁଲିସ ଆଗରେ ମାନି ଯାଇଛନ୍ତି ଯେ ଅଭିଯୁକ୍ତ ଅନୀଲ ବର୍ମନ ଜଣେ ଯୁବତୀଙ୍କୁ ୮୦ ହଜାର ଟଙ୍କାରେ ବିକିଛନ୍ତି । ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି ।

Related

News