ଜେଲ୍ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

  • 04-Dec-2020
  • 0 Comments


ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଠିକଣା ବଦଳିଛି। ୟୁନିଟ୍‌ ୬ କ୍ବାର୍ଟର୍ସରୁ ​‌​‌ସେ ଯାଇଛନ୍ତି ଝାରପଡ଼ା ଜେଲ୍‌। ଗୁରୁବାର ଦିନ ବେଳା ଗଣମାଧ୍ୟମରେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିବା ନେଇ ସେ ବିବୃତ୍ତି ରଖିଥିଲେ। ତେବେ ସନ୍ଧ୍ୟାରେ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ଭାବୀ ଜ୍ବାଇଁ ଆକାଶ ପାଠକଙ୍କ ପାଇଁ ଟଙ୍କା ଆଦାୟ କରୁଥିବା ଭଳି ସଙ୍ଗୀନ ଅଭିଯୋଗରେ ଉଠାଇ ନେଇ ଗିରଫ କରିବା ପରେ କୋର୍ଟରେ ତାଙ୍କ ଜାମିନ ଖାରଜ୍‌ ହୋଇଯାଇଥିଲା। ବିଧାୟକ  ପାଣିଗ୍ରାହୀଙ୍କୁ ବ୍ୟାପକ ସୁରକ୍ଷା ବଳୟ ମଧ୍ୟରେ କୋର୍ଟରେ ହାଜର କରାଯାଇଥିଲା। ସୁରକ୍ଷା ଦୃଷ୍ଟିକୋଣରୁ କୋର୍ଟ ବାହାରେ ଏକ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଥିଲା। ପ୍ରତିକ୍ରିୟା ନେବାକୁ ଗଣମାଧ୍ୟମ ପ୍ରତିନିଧି ବାହାରେ ଭିଡ଼ ଜମାଇଥିଲେ।

ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ରିମାଣ୍ଡ ପାଇଁ ଆବେଦନ କରାଯାଇନି। ତାଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେବ କି ନାହିଁ ଏ ପର୍ୟ୍ୟନ୍ତ କୌଣସି ନିଷ୍ପତ୍ତି ହୋଇ ନଥିବା ଜଣାପଡ଼ିଛି।

କୋଭିଡ ଯୋଗୁଁ ଜେଲ୍‌କୁ ଯାଉଥିବା ନୂତନ କଏଦୀଙ୍କୁ ପୃଥକ୍‌ ସେଲ୍‌ରେ ରଖାଯାଉଛି। ଏହି ପୃଥକ୍‌ କୋଠରୀରେ ବିଧାୟକ ପାଣିଗ୍ରାହୀଙ୍କୁ ମଧ୍ୟ ରଖାଯାଇଛି। ଜେଲ୍‌ରେ ଥିବା ଦୁଇ ସେଲ୍‌ରେ ପୂର୍ବରୁ ଭିଜିଲାନ୍ସ ଦ୍ବାରା ଗିରଫ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ରହୁଛନ୍ତି। ବିଧାୟକ ପ୍ରଦୀପଙ୍କୁ ଏହି ଦୁଇ ସେଲ୍‌ ମଧ୍ୟରୁ ଗୋଟିଏ ସେଲ୍‌ରେ ରଖାଯାଇଛି। ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ତାଙ୍କୁ ଜେଲ୍‌ରେ ସମସ୍ତପ୍ରକାରର ଚିକିତ୍ସା ଯୋଗାଇ ଦିଆଯିବ।   

Related

News