ବିଦା ହେଲେ ବିବାଦୀୟ ଆଇଏଫଏସ ଅଭୟକାନ୍ତ

  • 04-May-2021
  • 0 Comments


୧୯୮୭ ମସିହାର ଆଇଏଫ୍‍ଏସ୍‍ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଅଭୟକାନ୍ତଙ୍କୁ ଚାକିରିରୁ ବିଦା କରିବା ପାଇଁ ରାଜ୍ୟ ସରକାର ରାଷ୍ଟ୍ରପତିଙ୍କ ଅନୁମତି ଲୋଡ଼ିଥିଲେ। ରାଷ୍ଟ୍ରପତି ରାଜ୍ୟ ସରକାରଙ୍କ ସୁପାରିସକୁ ସବୁଜ ସଙ୍କେତ ଦେବା ପରେ ଅଭୟକାନ୍ତଙ୍କୁ ଚାକିରିରୁ ବିଦା କରାଯାଇଛି। ଅଭୟଙ୍କୁ ମିଶାଇ ରାଜ୍ୟ ସରକାର ୧୧୮ କର୍ମଚାରୀଙ୍କୁ ଇତିମଧ୍ୟରେ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି।
ଦୁର୍ନୀତି ନିବାରଣ ବିଭାଗ ଗତ ନଭେମ୍ବର ୨୫ରେ ଅଭୟକାନ୍ତଙ୍କ ସ୍ଥାନୀୟ ସରକାରୀ ବାସଭବନ ସହିତ ମୁମ୍ବଇ, ପୁଣେ, ରାଜସ୍ଥାନ ଓ ବିହାର ଆଦି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଅଭୟକାନ୍ତଙ୍କ ସହିତ ତାଙ୍କ ପୁଅ ଆକାଶ ପାଠକକୁ ପୁଣେରୁ ଗିରଫ କରାଯାଇଥିଲା।

ଅଭୟକାନ୍ତ ଏବଂ ତାଙ୍କ ପୁଅ ଆକାଶ ନାମରେ ୧୪.୭୭ କୋଟି ଟଙ୍କାର ସମ୍ପତ୍ତି ଥିବା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଉଭୟଙ୍କୁ ଗିରଫ କରାଯାଇ ଅଦାଲତ ଚାଲାଣ କରାଯାଇଥିଲା। ଅଭୟକାନ୍ତ ବେଆଇନ୍‍ ଭାବେ ଠୁଳ କରିଥିବା ଟଙ୍କାକୁ ଆକାଶ ନୂଆପଲ୍ଲୀ ଅଞ୍ଚଳରେ ଥିବା ତାଙ୍କର ଏକ ବ୍ୟାଙ୍କ ଜମାଖାତାରେ ରଖିଥିଲେ। 

Related

News