ନତାଶା, ଦେବାଙ୍ଗନା ଓ ଆସିଫଙ୍କ ଜାମିନକୁ ଚାଲେଞ୍ଜ 

  • 16-Jun-2021
  • 0 Comments


ସୁପ୍ରିମକୋର୍ଟ ଗଲା ଦିଲ୍ଲୀ ପୁଲିସ

ଦିଲ୍ଲୀ ହିଂସାକାଣ୍ଡ ମାମଲାରେ ଅଭିଯୁକ୍ତ ନତାଶା ନରୱାଲ, ଦେବାଙ୍ଗନା କଲିତା ଓ ଆସିଫ ଇକବାଲଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଥିବାରୁ ଦିଲ୍ଲୀ ପୁଲିସ ସ୍ପେଶାଲ ଲିଭ୍ ପିଟିସନ୍ ଜରିଆରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦିଲ୍ଲୀ ଦଙ୍ଗା ମାମଲାରେ ଜଡ଼ିତ ପିଞ୍ଜଡ଼ା ତୋଡ୍ ଗ୍ରୁପର ସଭ୍ୟ ନତାଶା ନରୱାଲ, ଦେବାଙ୍ଗନା କଲିତା ଓ ଆସିଫ ଇକବାଲଙ୍କୁ ଗତବର୍ଷ ଫେବୃଆରୀରେ ଗିରଫ କରିଥିଲା ପୁଲିସ । ପରେ ସେମାନଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ (ନିରାକରଣ) ଆଇନ ଲାଗୁ କରାଯାଇଥିଲା । ଉକ୍ତ ମାମଲାର ବିଚାର କରି ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ତିନି ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଥିଲେ । ଜାମିନ ମଞ୍ଜୁର କରିବା ସମୟରେ ହାଇକୋର୍ଟ କହିଥିଲେ, ଆମେ ଉପାୟହୀନ ହୋଇ କହିବାକୁ ଯାଉଛୁ ଯେ ଅସନ୍ତୋଷ କମାଇବା ଆଶଙ୍କାରେ ମାମଲା ହାତରୁ ଖସିଯିବାକୁ ବସିଛି । ସାମ୍ବିଧାନିକ ଭାବେ ପ୍ରତିବାଦ କରିବାର ଅଧିକାର ଓ ଆତଙ୍କୀ କାର୍ଯ୍ୟକଳାପ ଭିତରେ ଥିବା ତଫାତ୍ ପ୍ରକୃତ ସତ୍ୟକୁ ଏପରି ଭାବେ ଘୋଡ଼ାଇ ଦେଇଛି ଯେ ତାହା ଭବିଷ୍ୟତରେ ଗଣତନ୍ତ୍ର ପ୍ରତି ମହାବିପଦ ସୃଷ୍ଟି କରିବ ।
 

ହାଇକୋର୍ଟ ତିନି ଅଭିଯୁକ୍ତଙ୍କୁ ନିୟମିତ ଜାମିନ ପ୍ରଦାନ କରିବା ସହିତ ସେମାନଙ୍କ ପାସପୋର୍ଟକୁ ସରେଣ୍ଡର କରିବାକୁ ଆଦେଶ ଦେଇଛନ୍ତି । ହାଇକୋର୍ଟ ସ୍ପଷ୍ଟ କହିଛନ୍ତି ଯେ ସରକାରୀ ଓ ସଂସଦୀୟ କାର୍ଯ୍ୟ ବିରୋଧରେ ସାମ୍ବିଧାନିକ ପ୍ରତିବାଦ ଆଇନସଙ୍ଗତ । ଉକ୍ତ ପ୍ରତିବାଦ ଶାନ୍ତିପୂର୍ଣ୍ଣ ରହିବା ଦରକାର । ତେବେ ପ୍ରତିବାଦ କରିବାକୁ ଯାଇ ଚକାଜାମ, ଉତ୍ତେଜନାପୂର୍ଣ୍ଣ ଭାଷଣ ଓ ବିବାଦୀୟ ପରିସ୍ଥିତି ସୃଷ୍ଟି କରିବା ଅକ୍ଷମଣୀୟ । 

Related

News