ପବ୍ ଜି ନିଶା: ମା’ଙ୍କୁ ହତ୍ୟା କଲା ପୁଅ

  • 08-Jun-2022
  • 0 Comments


ପବ୍ ଜି ନିଶା: ମା’ଙ୍କୁ ହତ୍ୟା କଲା ପୁଅ

ଲକ୍ଷ୍ନୌ: ଲକ୍ଷ୍ନୌରେ ଜଣେ ମହିଳାଙ୍କୁ ହତ୍ୟା କରିଛି ତାଙ୍କର ୧୬ ବର୍ଷର ପୁଅ । ହତ୍ୟା କରିବା ପରେ ଅଭିଯୁକ୍ତ ପୁଅ ତା’ର ୧୦ ବର୍ଷର ଭଉଣୀ ସହିତ ମା’ର ମୃତଦେହକୁ ଘରେ ସାଇତି ରଖିଥିଲା । ହତ୍ୟାର କାରଣ ମୋବାଇଲ ଗେମ୍ ପବ୍ ଜିକୁ ଦାୟୀ କରି ପୁଲିସ କହିଛି, ଅଭିଯୁକ୍ତ ନାବାଳକ ପବ୍ ଜି ଖେଳିବାକୁ ଚାହୁଁଥିଲା । ତା’ର ମା’ ପ୍ରତିବାଦ କରିଥିଲେ । ଫଳରେ କ୍ରୋଧରେ ଅନ୍ଧ ନାବାଳକ ମା’ଙ୍କ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇଥିଲା । ହତ୍ୟା ପରେ ଅଭିଯୁକ୍ତ ତା’ ଘରେ ପାର୍ଟିର ଆୟୋଜନ କରିଥିଲା । ମାତ୍ର ପୁଲିସ ଆଗରେ ମା’ର ଚରିତ୍ର ସଂହାର କରି ଅଭିଯୁକ୍ତ କହିଥିଲା ଯେ ମା’ଙ୍କୁ ହତ୍ୟା କରିବା ପଛରେ ଜଣେ ତୃତୀୟ ବ୍ୟକ୍ତିଙ୍କର ଘରକୁ ଅବାଧ ଯିବା ଆସିବା । ପୁଲିସ ଅଭିଯୁକ୍ତର ବୟାନକୁ ସତ ମଣୁ ନଥିଲେ ମଧ୍ୟ ଅଜଣା ଚରିତ୍ରକୁ ତଲାସ କରୁଛି ।
ଅଭିଯୁକ୍ତ ନାବାଳକ କହିଛି, ବିଜୁଳି ବିଭାଗରେ କାର୍ଯ୍ୟରତ ଆକାଶ ନାମକ ଜଣେ ବ୍ୟକ୍ତି ତାଙ୍କ ଘରକୁ ସବୁବେଳେ ଯିବା ଆସିବା କରୁଥିବାର ଦେଖି ସେ (ଅଭିଯୁକ୍ତ) ମା’ଙ୍କୁ ବାରଣ କରିଥିଲା । ଏକାଧିକବାର ବାରଣ କରିବା ପରେ ମଧ୍ୟ ମା’ ସଂପୃକ୍ତ ବ୍ୟକ୍ତିକୁ ଘରକୁ ଆସିବାକୁ ଅନୁମତି ଦେଇଥିଲେ । ଏ ଘଟଣାରେ ଅଭିଯୁକ୍ତ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲା । ମା’ର ଆଚରଣରେ କ୍ଷୁବ୍ଧ ହୋଇ ଅଭିଯୁକ୍ତ ହତ୍ୟା କରିଥିଲା । ଅଭିଯୁକ୍ତ ବାରମ୍ବାର ଆକାଶ ନାମକ ଲୋକକୁ ଦାୟୀ କରୁଥିବାରୁ ପୁଲିସ ତାକୁ ଧରିବାକୁ ଉଦ୍ୟମ କରୁଛି । ଅଭିଯୁକ୍ତ ନାବାଳକର ବାପା ନବୀନ କୁମାର ସିଂହ ସେନାରେ କାମ କରନ୍ତି । ସେ ଏବେ ପଶ୍ଚିମବଙ୍ଗରେ କାମ କରୁଛନ୍ତି । ଲକ୍ଷ୍ନୌର ପିଜିଆଇ ଇଲାକା ଅନ୍ତର୍ଗତ ଯମୁନାପୁରମ କଲୋନୀରେ ନବୀନଙ୍କ ପରିବାର ରୁହନ୍ତି ।

ପରିବାର କହିଲେ ନବୀନଙ୍କ ପତ୍ନୀ ୪୦ ବର୍ଷୀୟା ସାଧନା, ୧୬ ବର୍ଷର ପୁଅ ଓ ୧୦ ବର୍ଷର ଝିଅ । ମଙ୍ଗଳବାର ରାତିରେ ଅଭିଯୁକ୍ତ ପୁଅ ଭିଡିଓ କଲ କରି ବାପା ନବୀନଙ୍କୁ ମା’ର ମୃତଦେହ ଦେଖାଇ ସବୁ ବିଷୟ ବଖାଣିଥିଲା । ମର୍ମାହତ ନବୀନ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇ ଘରକୁ ଯିବାକୁ କହିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ଘର ଭିତର ଦୃଶ୍ୟ ଦେଖି ହତବାକ୍ ହୋଇଥିଲା । ଅଭିଯୁକ୍ତ ନାବାଳକ ତିନିଦିନ ଧରି ମା’ର ମୃତଦେହକୁ ଘରେ ଲୁଚାଇ ରଖିଥିଲା । ମୃତଦେହର ଦୁର୍ଗନ୍ଧ ଏଡ଼ାଇବା ପାଇଁ ଘନଘନ ରୁମ ସ୍ପ୍ରେ ବ୍ୟବହାର କରୁଥିଲା । ହତ୍ୟା କରିବା ପରେ ଅଭିଯୁକ୍ତ ତା’ର ସାଙ୍ଗମାନଙ୍କୁ ଘରକୁ ଡକାଇ ଅନଲାଇନରେ ଖାନା ମଗାଇଥିଲା । ସବୁ କିଛି ସ୍ୱାଭାବିକ ବୋଲି ଜଣାଇବାକୁ ଚାହୁଁଥିଲା ।

Related

News