ଆମେରିକା: ଗ୍ରୀନକାର୍ଡ ଉପରୁ ହଟିଲା କଟକଣା

  • 25-Feb-2021
  • 0 Comments


ଆମେରିକା ରାଷ୍ଟ୍ରପତି ଜୋଏ ବାଇଡେନ୍ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ନିଷ୍ପତିକୁ କାଟ କରିଛନ୍ତି । କରୋନା ମହାମାରୀ କାରଣରୁ ବେରୋଜଗାରଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରୁ ଟ୍ରମ୍ପ  ଗ୍ରୀନକାର୍ଡ ମଞ୍ଜୁରି ଉପରେ କଟକଣା ଲାଗୁ କରିଥିଲେ । ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ଗ୍ରୀନକାର୍ଡ ଉପରେ କଟକଣା ଲଗା ଯାଇଥିଲା । ମାତ୍ର ପରେ ତାକୁ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଏବେ ବାଇଡେନଙ୍କ ନିଷ୍ପତି ଫଳରେ ଆମେରିକାରେ ଏଚ-୧ ଭିସା ବଳରେ କାର୍ଯ୍ୟରତ ଭାରତୀୟମାନେ ଲାଭ ପାଇବେ । ବୁଧବାର ରାଷ୍ଟ୍ରପତି ବାଇଡେନ ଗ୍ରୀନକାର୍ଡ ଉପରୁ କଟକଣା ହଟାଇବା ପରେ କହିଥିଲେ ଯେ ଦେଶର ହିତ ଦୃଷ୍ଟିରୁ ଗ୍ରୀନକାର୍ଡ ଉପରୁ କଟକଣା ହଟାଇ ଦିଆଯିବାର ଆବଶ୍ୟକତା ରହିଛି । ବିଦେଶୀଙ୍କ ଆଇନଗତ ପ୍ରବେଶ ରୋକିବା ଫଳରେ ଆମେରିକାର ଉଦ୍ୟୋଗ ଜଗତ ପ୍ରଭାବିତ ହେବାର ଆଶଙ୍କା ରହିଛି । 

ସାଧାରଣତଃ ବିଦେଶୀଙ୍କ ପାଇଁ ଆମେରିକା ପ୍ରଶାସନ ପକ୍ଷରୁ ଗ୍ରୀନକାର୍ଡ ଜାରି କରାଯାଇଥାଏ । ଏହି କାର୍ଡର ବୈଧତା ୧୦ ବର୍ଷ ପାଇଁ । ପ୍ରତି ୧୦ ବର୍ଷରେ ଗ୍ରୀନକାର୍ଡର ନବୀକରଣ କରାଯିବାର ନିୟମ ଅଛି । ଅନ୍ୟପକ୍ଷରେ କହିଲେ, ଏହି କାର୍ଡ ଆମେରିକାରେ ରହୁଥିବା ବିଦେଶୀଙ୍କ ପାଇଁ ସ୍ଥାୟୀ କାର୍ଡ କୁହାଯାଇପାରେ । କାର୍ଡର ରଙ୍ଗ ସବୁଜ ହୋଇଥିବାରୁ ତା’ର ନାମ ଗ୍ରୀନକାର୍ଡ ହୋଇଛି ।
ଏ ପର୍ଯ୍ୟନ୍ତ ଆମେରିକାରେ ସବୁ ଦେଶ ପାଇଁ ୭% ସଂରକ୍ଷଣ ସ୍ଥିର କରାଯାଇଥିଲା । 

 

ସବୁ ଦେଶର ମାତ୍ର ୭% ଲୋକଙ୍କୁ ଗ୍ରୀନକାର୍ଡ ଦିଆଯାଉଥିଲା ବେଳେ ଅଧିକାଂଶ ଲୋକଙ୍କୁ ଅପେକ୍ଷା କରିବାକୁ ପଡୁଥିଲା । ନୂଆ ଆଇନ ଫଳରେ ଭାରତୀୟମାନେ ସର୍ବାଧିକ ଫାଇଦା ଉଠାଇବେ । ପ୍ରତିବର୍ଷ ଆମେରିକା ୮୫ ହଜାର ନୂଆ ଏଚ-୧ ଭିସା ପ୍ରଦାନ କରିଥାଏ । ସେମାନଙ୍କ ଭିତରୁ ଭାରତର ପ୍ରାୟ ୭୦ ହଜାର ଆଇଟି ଛାତ୍ରଛାତ୍ରୀ ଥାଆନ୍ତି । ମାର୍ଚ୍ଚ ୯ରୁ ୨୫ ତାରିଖ ଭିତରେ ନୂଆ ଭିସା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ ।  ମାର୍ଚ୍ଚ ୩୧ ତାରିଖରୁ ଲଟେରୀ ମାଧ୍ୟମରେ ଯୋଗ୍ୟ ଆବେଦନକାରୀଙ୍କୁ ଭିସା ଦିଆଯିବ ।

Related

News