ସାରା ବିଶ୍ୱକୁ ଭୟ ଓ ଆଶଙ୍କା

  • 20-Apr-2021
  • 0 Comments


ସାରା ବିଶ୍ୱ ଏବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଅବସ୍ଥା ଭୋଗୁୁଛି । ଚାରିଆଡ଼େ ଭୟ ଓ ଆତଙ୍କର ବାତାବରଣ । ଦେଶ-ଦେଶ, ମଣିଷ-ମଣିଷ, ଜାତି-ଜାତି ଓ ଆଂଚଳିକ ବୈଷମ୍ୟତା କାରଣରୁ ଘୃଣା ଓ ବିଦ୍ୱେଷ ମୁଣ୍ଡ ଟେକୁଛି । ଗୋଟିଏ ଦେଶ ଆଉ ଗୋଟିଏ ଦେଶକୁ ପଦାନତ କରି ରଖିବାର ଦୁର୍ବାର ଅଭିଳାଷ ଏବେ ସାରା ବିଶ୍ୱକୁ ଧ୍ୱଂସ ଆଡ଼କୁ ଟାଣିନେଉଛି । ଏଭଳି ସ୍ଥିତିରେ ମିଳିତ ଜାତିସଂଘକୁ ଗୁରୁଦାୟିତ୍ୱ ବହନ କରିବାର ସମୟ ଆସିଛି । କେବଳ ସେତିକି ନୁହେଁ, ମିଳିତ ଜାତିସଂଘକୁ ଆଂଚଳିକ ଭିତ୍ତିରେ ଗଠିତ ଛୋଟଛୋଟ ସଂଗଠନ ସହିତ ସୁସମ୍ପର୍କ ସ୍ଥାପନ କରି ପୃଥିବୀକୁ ମହାଯୁଦ୍ଧ ବିଭୀଷିକାରୁ ମୁକ୍ତ ରଖିବାକୁ ସକ୍ଷମ ହୋଇପାରିବ । ୧୯ ତାରିଖରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ମିଳିତ ଜାତିସଂଘର ନିରାପତ୍ତା ପରିଷଦ ବୈଠକରେ ଯୋଗଦେଇ ଏହି ଅଭିଭାଷଣ ପ୍ରଦାନ କରିଛନ୍ତି ।
ଜୟଶଙ୍କର ପୁଣି କହିଥିଲେ ଯେ ବିଶ୍ୱଭାତୃତ୍ୱକୁ ମଜବୁତ ପାଇଁ ଭାରତ ବହୁ ଆଂଚଳିକ ସଂଗଠନ ସହିତ ସୁସମ୍ପର୍କ ରଖିବାକୁ ପ୍ରୟାସ ଜାରିି ରଖିଛି । ଆଫ୍ରିକା ୟୁନିଅନ ସହ ଭାରତର ବୁଝାମଣା ହୋଇଛି । ଆସିଆନ, ବିମଷ୍ଟେକ ଭଳି ସଂଗଠନ ସହ ସୁସମ୍ପର୍କ ସ୍ଥାପନ କରିଚି । ଏ ବର୍ଷ ଇରିଟ୍ରିଆ ଓ ଇଥିଓପିଆର ବୈଦେଶିକ ମନ୍ତ୍ରୀଗର ଦିଲ୍ଲୀ ଗସ୍ତରେ ଆସି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ବଙ୍ଗୋପ ସାଗରକୁ ଲାଗି ରହିଥିବା ଦେଶଗୁଡ଼ିକ ସହ ଆଂଚଳିକ ସୁରକ୍ଷା, ପ୍ରତିରକ୍ଷା, ସାମରିକ, କାରିଗରୀ, ସୂଚନାପ୍ରଯୁକ୍ତି ବିଦ୍ୟା, ବୈଷୟିକ ଓ ଆର୍ଥିକ ସମତା ରକ୍ଷା ପ୍ରତି ଭାରତ ଦୃଷ୍ଟି ଦେଇଛି ।

୭୫ ବର୍ଷ ବୟସ୍କ ମିଳିତ ଜାତିସଂଘ ପକ୍ଷରୁ ଶକ୍ତିଶାଳୀ ପଦକ୍ଷେପ ଗ୍ରହଣ କରା ନଗଲେ, ବିଶ୍ୱକୁ ଆଉ ଗୋଟିଏ ମହାଯୁଦ୍ଧକୁ ବଂଚାଇବା କଷ୍ଟକର ହୋଇପଡ଼ିବ । 
ବିମଷ୍ଟେକରେ ଏବେ ୨୦ଟି ଦେଶ ଅଛନ୍ତି । ୧୯୯୭ରେ ଭାରତ, ବାଂଲାଦେଶ, ଭୁଟାନ, ମିଅାଁମାର, ନେପାଳ, ଶ୍ରୀଲଙ୍କା ଓ  ଥାଇଲାଣ୍ଡ ମିଶି ବିମଷ୍ଟେକ ଗଠନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ପାଳି ଶପଥ ଗ୍ରହଣ ସମାରୋହକୁ ବିମଷ୍ଟେକ ଅନ୍ତର୍ଭୁକ୍ତ ଦେଶର ମୁଖ୍ୟଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଜାନୁଆରୀରୁ ଆଜିସୁଦ୍ଧା ଜାତିସଂଘର ଉଚ୍ଚସ୍ତରୀୟ ଆଲୋଚନାରେ ଭାଗ ନେଇ ଜୟଶଙ୍କର ତିନିଥର ଏହି ପ୍ରସ୍ତାବ ଆଗତ କରିଛନ୍ତି । 

Related

News