କାନ୍ଦାହାର ଦୂତାବାସ ବନ୍ଦ

  • 11-Jul-2021
  • 0 Comments


ଆଫଗାନିସ୍ତାନରେ ତାଲିବାନୀ ସଂଗଠନର ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଇବା ଦେଖି ଭାରତ ସରକାର କାନ୍ଦାହାରସ୍ଥିତ ଦୂତାବାସ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ଦୂତାବାସରେ କାର୍ଯ୍ୟରତ ୫୦ କର୍ମଚାରୀ ଭାରତ ଫେରୁଛନ୍ତି ।
କେବଳ ଭାରତ ନୁହେଁ, ଆମେରିକା, ରୁଷିଆ ସମେତ ଆହୁରି ଅନେକ ରାଷ୍ଟ୍ର ତାଲିବାନ ସଂଗଠନର ନୀତିହୀନ କାର୍ଯ୍ୟ ପ୍ରତି ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତାଲିବାନ ମୁଖପାତ୍ର ସୁଶୀଲ ସାହିନ ଚୀନର ଏକ ମିଡିଆ ସଂସ୍ଥାକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ଆଫଗାନିସ୍ତାନର ୮୫ ଭାଗ ଇଲାକା ଏବେ ତାଲିବାନ ଦଖଲରେ ଅଛି । କିଛିଦିନ ତଳେ ଭାରତ ସରକାର କହିଥିଲେ ଯେ କାନ୍ଦାହାର ଓ ମଜାର-ଏ-ଶରିଫ ଦୂତାବାସକୁ ବନ୍ଦ କରିବାର ଯୋଜନା ନାହିଁ । ସେଠାରେ ପୂର୍ବଭଳି ସବୁକିଛି କାମ କରିବ । 
ମାତ୍ର ଅଚାନକ ରବିବାର ସକାଳେ କେନ୍ଦ୍ର ସରକାର କାନ୍ଦାହାର ଦୂତାବାସରେ କାର୍ଯ୍ୟରତ ରାଷ୍ଟ୍ରଦୂତ, କୂଟନୈତିକ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନୂଆଦିଲ୍ଲୀ ଫେରିଆସିବାକୁ ଆଦେଶନାମା ଜାରି କରିଛନ୍ତି ।

ଭାରତରେ ଅବସ୍ଥାପିତ ଆଫଗାନ୍ ରାଜଦୂତ ଫରିଦ ମାମୁଣ୍ଡଜେଙ୍କ ସୂଚନା ମୁତାବକ ୨୦ରୁ ଅଧିକ ଆତଙ୍କୀ ସଂଗଠନ ସହ ତାଲିବାନର ନିବିଡ଼ ସମ୍ପର୍କ ରହିଛି । ସେସବୁ ସଂଗଠନଗୁଡ଼ିକର ଚେର ରୁଷିଆରୁ ଭାରତ ପର୍ଯ୍ୟନ୍ତ ଲମ୍ବିଛି । ତାଲିବାନ ସଂଗଠନର ଉଗ୍ରବାଦୀ ନୀତିରେ ଭାରତ ଚିନ୍ତା ପ୍ରକଟ କରିଛି । ଦୁଇଦିନ ତଳେ ତାଲିବାନ ସଂଗଠନ ଚୀନକୁ ପ୍ରଶଂସାରେ ପୋତି ପକାଇଛି ।  

Related

News