ବିଦେଶ ଯାଇପାରିବେନି ଇମ୍ରାନ୍

  • 26-May-2023
  • 0 Comments


ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କ ବିଦେଶ ଯାତ୍ରା ଉପରେ କଟକଣା ଲାଗୁ କରିଛନ୍ତି ପାକିସ୍ତାନ ସରକାର । ଏହି ଦୁଇଜଣଙ୍କ ସମେତ ପାକିସ୍ତାନ ତେହେରିକ୍ ଏ ଇନସାଫ୍ ଦଳର ପ୍ରାୟ ୮୦ ଜଣ ନେତାଙ୍କୁ ମଧ୍ୟ ବିଦେଶ ଯିବାକୁ ବାରଣ କରାଯାଇଛି । କଟକଣାର ଶିକାର ହୋଇଥିବା ଦଳୀୟ ନେତାମାନେ ଇମ୍ରାନଙ୍କ ଗିରଫଦାରିକୁ ପ୍ରତିବାଦ କରି ଦେଶରେ ହିଂସାକାଣ୍ଡ ଭିଆଇଥିଲେ ବୋଲି ପାକ୍ ସରକାର ଅଭିଯୋଗ କରିଛନ୍ତି ।

ଇମ୍ରାନ୍ ଖାନ୍ ପାକିସ୍ତାନ ସରକାରଙ୍କ ବିରୋଧରେ ଅଦାଲତର ଦ୍ୱାରସ୍ଥ ହୋଇଥିବାରୁ ସେଥିରେ କ୍ଷୋଭ ପ୍ରକାଶ କରି ପାକ୍ ସରକାର ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି । ପାକିସ୍ତାନର ଏକାଧିକ ରାଜ୍ୟରେ ସମ୍ବିଧାନର ୨୪୫ ଧାରା ଲାଗୁ କରି ପାକ୍ ସରକାର ସେନା ମୁତୟନ କରିଛନ୍ତି ଯାହାକୁ ଇମ୍ରାନ ଜନତାଙ୍କ ମୌଳିକ ଅଧିକାର ପ୍ରତି ଘୋର ଅପମାନ ବୋଲି ଯୁକ୍ତି କରି ଅଦାଲତଙ୍କ ହସ୍ତକ୍ଷେପ କାମନା କରିଚନ୍ତି ।

ପାକିସ୍ତାନ ସମ୍ବିଧାନରେ ଧାରା ୨୪୫ ଅନୁସାରେ ସେନା ପ୍ରୟୋଗ ବିଧି ଥିବାରୁ ଇମ୍ରାନଙ୍କ ଆବେଦନର ପରିଣାମ ଉପରେ ସମସ୍ତଙ୍କ ନଜର ରହିଛି ।  ଇମ୍ରାନଙ୍କ ପିଟିସନରେ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ, ପିଏମଏଲ-ଏନ୍ ମୁଖ୍ୟ ନୱାଜ ଶରିଫ ଓ ତାଙ୍କ ଝିଅ ମରିୟମ, ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲୀ ଜର୍ଦ୍ଦାରୀ, ଜେୟୁଆଇ-ଏଫ୍ ମୁଖ୍ୟ ମୌଲାନା ଫଜଲୁର ରେହମାନଙ୍କ ଆହୁରି କିଛି ବଳିଷ୍ଠ ନେତାଙ୍କୁ ପ୍ରତିବାଦୀ କରାଯାଇଛି ।

ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ କହିଛନ୍ତି ଯେ ମେ’ ୯ ତାରିଖରେ ପାକିସ୍ତାନର ମାନସମ୍ମାନ ଉପରେ ଆଂଚ ଅଣାଯାଇଛି । ଇମ୍ରାନଙ୍କ ଦଳ ଓ ସମର୍ଥକମାନେ ଶତ୍ରୁଙ୍କୁ ମଉଜମସ୍ତି କରିବାକୁ ସୁଯୋଗ ଦେଇଛନ୍ତି । ସେଭଳି ଦୁଃଖଦ ଘଟଣାକୁ କଦାପି କ୍ଷମା କରାଯିବନି ।

Related

News