ଭାଇ ଭଗାରୀ: ମୁସଲିମଙ୍କ ପିଠିରେ ପଡୁନାହାନ୍ତି ମୁସଲିମ

  • 19-Oct-2023
  • 0 Comments


ହମାସ ସଂଗଠନର ରକେଟ୍ ମାଡ଼ରେ ମାଟିରେ ମିଶିଛି ଗାଜା ମେଡିକାଲ, ଅକାଳରେ ମରିଛନ୍ତି ୫୦୦ ରୋଗୀ ଓ ସେମାନଙ୍କର ସଂପର୍କୀୟ । ଏଭଳି ଏକ ଅନୁସନ୍ଧାନୀ ତଥ୍ୟ ପରିବେଷଣ କରିଛି ଇସ୍ରାଏଲ୍ । ଇସ୍ରାଏଲ୍ ରକେଟ୍ ମାଡ଼ କରି ଗାଜାସ୍ଥିତ ହସ୍ପିଟାଲକୁ କ୍ଷତିଗ୍ରସ୍ତ କରିବା ସହିତ ସେଠାରେ ଚିକିତ୍ସାଧୀନ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ଜୀବନ ସହିତ ଖେଳିଛି ବୋଲି ହମାସ୍ କହିଥିଲା । ଉକ୍ତ ଅଭିଯୋଗକୁ ଇସ୍ରାଏଲ୍ ଖଣ୍ଡନ କରି ଘଟଣାର ପ୍ରକୃତ କଥା ଜାଣିବାକୁ ଚାହିଁଥିଲା । ଇସ୍ରାଏଲ ଗୁଇନ୍ଦା ରିପୋର୍ଟ ଅନୁସାରେ ହମାସର ଇସ୍ରାଏଲ ମୁହାଁ ରକେଟ୍ ହଠାତ୍ ବାଟ ହୁଡ଼ିଯାଇ ଗାଜା ଡାକ୍ତରଖାନାକୁ କ୍ଷତିଗ୍ରସ୍ତ କରିଥିଲା ।

ଅନ୍ୟ ଏକ ରୋଚକପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି । ତାହା ହେଉଛି, ଗାଜାରୁ ପଳାୟନ କରୁଥିବା ନିରୀହ ଜନତାଙ୍କୁ କୌଣସି ମୁସଲିମ ଦେଶ ଶରଣ ଦେବାକୁ ରାଜି ନୁହନ୍ତି । ଗାଜା ଶରଣାର୍ଥୀଙ୍କୁ ମିଶର-ଗାଜା ସୀମା ନିକଟରେ ଅଧିକରୁ ଅଧିକ ସେନା ଠୁଳ କରାଯାଇଛି । ଗାଜାରୁ ଜଣେ ବି  ବ୍ୟକ୍ତି ଯେପରି ମିଶରରେ ଅନୁପ୍ରବେଶ କରି ନପାରିବେ, ସେଥିପ୍ରତି କଡ଼ା ପଦକ୍ଷେପ ଗ୍ରହଣ କରିଛି  ମିଶର । ମିଶର ଏକ ମୁସଲିମ ରାଷ୍ଟ୍ର ହୋଇଥିବା ସତ୍ୱେ ଗାଜା ମୁସଲିମଙ୍କୁ ଶରଣ ଦେବାକୁ ନାରାଜ । 

ମିଶର ରାଷ୍ଟ୍ରପତି ଅବଦେଲ ଫତେହ ଅଲସିସି କହିଛନ୍ତି ଗାଜା ଲୋକମାନେ ଏକଜୁଟ ହୋଇ ସେମାନଙ୍କ ଅଧିକାର ପାଇଁ ଲଢ଼ିବା ଦରକାର । ଜୀବନ ବିକଳରେ ଦେଶଛାଡ଼ି ଅନ୍ୟତ୍ର ପଳାୟନ କଲେ, ସେମାନଙ୍କୁ ନ୍ୟାଯ୍ୟ ହକ୍ ମିଳିବନି । ଛାତିକୁ ଲୁହାଠାରୁ ଆହୁରି କଠିନ କରି ଶତ୍ରୁକୁ ସାମ୍ନା କରିବା ଦରକାର । ତୁର୍କୀ ବିଦେଶ ମନ୍ତ୍ରୀ ହାକନ୍ ଫିଦାନ ମଧ୍ୟ ସମାନ ଉପଦେଶ ପ୍ରଦାନ କରିଛନ୍ତି । 

ମିଶର ବିଦେଶ ମନ୍ତ୍ରୀ ସମେହ ଶୌକରୀ ଧମକ ଅନ୍ଦାଜରେ କହିଛନ୍ତି, ମୁଁ ମିଶର-ଗାଜାସ୍ଥିତ ରାଫା ସୀମା ନିକଟରେ ଇସ୍ରାଏଲର ସଂକଟମୋଚନ ସେନାକୁ ଅପେକ୍ଷା କରିଛି । ଉକ୍ତ ସେନା ନଆସିବା ପର୍ଯ୍ୟନ୍ତ ଗାଜାରେ ଫସି ରହିଥିବା ଆମେରିକା ସମେତ ଅନ୍ୟ ବିଦେଶୀ ନାଗରିକମାନଙ୍କୁ ମିଶରରେ ପ୍ରବେଶ କରିବାକୁ ଅନୁମତି ମିଳିବନି ।

ସିରିୟା ସଂକଟ ସମୟରେ ଶରଣାର୍ଥୀଙ୍କୁ ମଧ୍ୟ ଏସିଆରେ ରହିବାକୁ ଅନୁମତି ମିଳିଲାନି । ଅଧିକାଂଶ ମୁସଲିମ ଦେଶ ମୁସଲିମ ଶରଣାର୍ଥୀଙ୍କୁ ଆଶ୍ରୟ ଦେବାକୁ ନାରାଜ । ମାତ୍ର ୟୁରୋପରେ ପହଂଚୁଥିବା ଶରଣାର୍ଥୀଙ୍କୁ ସେଠାକାର ଦେଶଗୁଡ଼ିକ ଆଶ୍ରୟ ଦେଉଛନ୍ତି ।

ଅବଶ୍ୟ ୟୁରୋପର କିଛି ଦେଶ ଧର୍ମ ଆଧାରରେ ଶରଣାର୍ଥୀଙ୍କୁ ଆଶ୍ରୟ ଦେଉଛନ୍ତି । ସ୍ଲୋଭାକିୟା, ପୋଲାଣ୍ଡ, ବୁଲଗାରିୟା ଭଳି ଦେଶଗୁଡ଼ିକ ଖ୍ରୀଷ୍ଟିୟାନ ଶରଣାର୍ଥୀଙ୍କୁ ଆଶ୍ରୟ ଦେବାକୁ ଖୋଲାଖୋଲି ସହମତି ପ୍ରକାଶ କରିଛନ୍ତି; କିନ୍ତୁ ଜଣେ ବି ମୁସଲିମଙ୍କୁ ଶରଣ ଦେବାକୁ ନାରାଜ ।

Related

News